ମଞ୍ଚେଶ୍ୱର,୦୨/୦୬: ମାଛ କିଣିବାକୁ ଘରୁ ବାହାରି ଯାଇଥିଲେ । ହେଲେ ଘରକୁ ଫେରିଲେନି । ଚାଲି ଚାଲି କେଉଁ ଆଡେ ଅନ୍ତର୍ଦ୍ଧାନ ହୋଇଗଲେ । ମଞ୍ଚେଶ୍ୱର ଚକେଇସିହାଣୀ ଅଞ୍ଚଳରୁ ରବିବାର ସକାଳେ ଏମିତି ଜଣେ ନାବାଳିକା କେଉଁଆଡେ ନିଖୋଜ ହୋଇଯାଇଛନ୍ତି । ଏନେଇ ଥାନାରେ ଅଭିଯୋଗ ପରେ ପୁଲିସ ଏତଲା ରଖି ଖୋଜାଖୋଜି ଆରମ୍ଭ କରିଛି ।
୧୧ ବର୍ଷୀୟ ନାବାଳିକା ଚକେଇସିହାଣୀର ଏକ ବସ୍ତିରେ ରହୁଛନ୍ତି । ରବିବାର ସକାଳ ୧୦ରେ ମାଛ କିଣିବାକୁ ଯାଇଥିଲେ । ଦୀର୍ଘ ସମୟ ଯାଏଁ ଘରକୁ ଫେରିନଥିଲେ । ପରିବାର ଲୋକ ଆଖ ପାଖରେ ଖୋଜା ଖୋଜି କରିଥିଲେ । ହେଲେ ସେ ମିଳିନଥିଲେ । ଝିଅଟିକୁ କୌଣସି ଲୋକ ବି ଦେଖି ନଥିବା କହିଥିଲେ । ଶେଷରେ ନିରାଶ ହୋଇ ମଞ୍ଚେଶ୍ୱର ଥାନାରେ ଅଭିଯୋଗ କରିଥିଲେ । ପୁଲିସ ଘଟଣାସ୍ଥଳରେ ଲାଗିଥିବା ସିସିଟିଭି ସବୁ ଯାଞ୍ଚ କରିଥିଲା । ପ୍ରାୟ ୨ କିଲୋମିଟର ଯାଏଁ ସିସିଟିଭି ଯାଞ୍ଚ କରିବା ପରେ ଜଣା ପଡିଥିଲା ଝିଅଟି ଚାଲି ଚାଲି ଏକା ଯାଇଛି । ହେଲେ ଆଗକୁ ଯିବା ପରେ ସିସିଟିଭି ନଥିବାରୁ ପୁଲିସ ଖୋଜା ଖୋଜି କରୁଛି । ଏହା ସହ ଅନ୍ୟ ଅଞ୍ଚଳକୁ ଯାଇ ମଧ୍ୟ ପୁଲିସ ପଚରାଉଚରା କରୁଛି । ଏହା ସହ ପରିବାର ଲୋକଙ୍କୁ ମଧ୍ୟ ପଚରାଉଚରା କରୁଛି ପୁଲିସ ।