ଆସିକା, ୫।୫ : ନ୍ୟାୟ ପାଇ ପ୍ରେମିକର ଘର ଆଗରେ ଧାରଣାରେ ବସିଥିଲା ଗର୍ଭବତୀ ପ୍ରେମିକା। ଏଥିରେ ଉତକ୍ଷିପ୍ତ ହୋଇ ପ୍ରେମିକାକୁ ଟାଙ୍ଗିଆରେ ହାଣି ହତ୍ୟା କଲା ପ୍ରେମିକର ସାନ ଭାଇ । ହିଂଜିଳି ଥାନା କେ.ଖରିଡାରେରେ ଏଭଳି ଘଟଣା ଘଟିଛି।ମୃତ ପ୍ରେମିକା ଜଣକ ହେଲେ ରମ୍ଵା ଥାନା ଅନ୍ତର୍ଗତ ଅଗସ୍ଥି ନୁଆଗାଁ ର ପୂଜା ସ୍ଵାଇଁ l

ପୂଜା ଦୁଇ ବର୍ଷ ତଳେ ଇନଷ୍ଟାଗ୍ରାମରେ କେ. ଖରିଡ଼ା ଗ୍ରାମର ଚିଣ୍ଟୁ ଗୌଡକୁ ଭଲ ପାଇଥିଲେ l ପ୍ରଥମେ ଅନଲାଇନ୍ ରେ କଥାବାର୍ତ୍ତା ପରେ ମିଳାମିଶା କରିଥିଲେ l ଗତ ତିନି ବର୍ଷ ତଳେ ସେମାନେ ମନ୍ଦିରରେ ବିବାହ କରିଥିଲେ l ଗତ ଛଅ ମାସ ହେଲା ପୁରୀରେ ଭଡାରେ ରହୁଥିଲେ l ପନ୍ଦର ଦିନ ତଳେ ପୂଜାକୁ ଘରଲୋକଙ୍କ ସହ ଦେଖା କରିବାକୁ କହି ବ୍ରହ୍ମପୁର ଷ୍ଟେସନରେ ଛାଡି ଚାଲି ଯାଇଥିଲା ପ୍ରେମିକ ଚିଣ୍ଟୁ ଗୌଡ l ଏନେଇ ହିଞ୍ଜିଳି ଥାନାର ଦ୍ଵାରସ୍ଥ ହୋଇଥିଲେ ପୂଜା l ନ୍ୟାୟ ନମିଳିବାରୁ ସୋମବାର ଠାରୁ ପ୍ରେମିକଙ୍କ ଘର ଆଗରେ ଧାରଣାରେ ବସିଥିଲେ ପୂଜା l ତାଙ୍କର ତିନି ବର୍ଷ ଗୋଟେ ଝିଅ ରହିଥିବା ବେଳେ ଏବେ ଚାରି ମାସର ଗର୍ଭବତୀ ଥିଲେ l ପୂଜାର ମାଆ ବାପା ନଥିବା ବେଳେ ସେ ସମ୍ପୂର୍ଣ ବେସାହାରା ଥିଲେ l ଭଲ ପାଇ ଯାହାକୁ ମନ୍ଦିରରେ ବିବାହ କରିଥିଲେ ସେ ତାଙ୍କୁ ଛାଡ଼ି ଚାଲିଯିବା ପରେ ନ୍ୟାୟ ଦାବିରେ ସ୍ବାମୀଙ୍କ ଘର ଆଗରେ ଧାରଣାରେ ବସିଥିଲେ l ଆଜି ତାଙ୍କ ସ୍ଵାମୀଙ୍କ ସାନ ଭାଇ ଟାଙ୍ଗିଆ ହାଣି ହତ୍ୟା କରିଥିବା ଜଣା ପଡ଼ିଛି l ଘଟଣା ସ୍ଥଳରେ ହିଞ୍ଜିଳି ପୋଲିସ ପହଞ୍ଚି ପ୍ରେମିକଙ୍କ ସାନ ଭାଇଙ୍କୁ ଗିରଫ କରିବା ସହ ଘଟଣାର ଅଧିକ ତଦନ୍ତ କରୁଛି l