ପୁରୀ,୦୬/୧୨: ପୁରୀରେ ଗ୍ଲୋବାଲ ଏନର୍ଜି ଲିଡର୍ସ ସମ୍ମିଳନୀ । ଜାତୀୟ ସ୍ତରର ହେଭିୱେଟ୍ ପୁରୀରେ ଏକାଠି ହେବେ । ସମ୍ମିଳନୀରେ ସାମିଲ ହେବେ ଏକାଧିକ କେନ୍ଦ୍ରମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ । ଶକ୍ତି ଓ ଅକ୍ଷୟ ଊର୍ଜ୍ଜାକୁ ନେଇ ହେବ ଘମାଘୋଟ ଆଲୋଚନା । ଶନିବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସମ୍ମିଳନୀକୁ ଉଦ୍‌ଘାଟନ କରିବେ । ସମ୍ମିଳନୀରେ ଦୁଇ ଦିନ ବ୍ୟାପୀ କାର୍ଯ୍ୟକ୍ରମ ଜାରି ରହିବ । ପୁରୀର ତାଜ୍ ରିସୋର୍ଟରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ କେନ୍ଦ୍ର ଶକ୍ତି ଓ ଅକ୍ଷୟ ଊର୍ଜ୍ଜା ରାଷ୍ଟ୍ର ମନ୍ତ୍ରୀ ଶ୍ରୀପଦ ନାୟକ, ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେଓ ସାଏ, ହିମାଚଳପ୍ରଦେଶର ମୁଖ୍ୟମନ୍ତ୍ରୀ ସୁଖୱିନ୍ଦର ସିଂହ ସୁଖୁ, ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଓ କନକବର୍ଦ୍ଧନ ସିଂହଦେଓ, ଦିଲ୍ଲୀର ଶକ୍ତି ମନ୍ତ୍ରୀ ଆଶିଷ ସୁଦ୍, ମିଜୋରାମର ଶକ୍ତିମନ୍ତ୍ରୀ ଏଫ୍ ରୋଡିଙ୍ଗଲିଆନା, ରାଜସ୍ଥାନର ଶକ୍ତି ମନ୍ତ୍ରୀ ହୀରାଲାଲ ନଗର ସାମିଲ ହେବାର କାର୍ଯ୍ୟକ୍ରମ ରହିଛି ।

ସେହିଭଳି କାର୍ଯ୍ୟକ୍ରମର ଦ୍ୱିତୀୟ ଦିବସରେ କେନ୍ଦ୍ର ଅକ୍ଷୟ ଊର୍ଜ୍ଜା କ୍ୟାବିନେଟ ମନ୍ତ୍ରୀ ପ୍ରହଲ୍ଲାଦ ଜୋଶୀ ସାମିଲ ହେବାର କାର୍ଯ୍ୟକ୍ରମ ରହଛି । ଏହା ସହ ଶକ୍ତି ଓ ଅକ୍ଷୟ ଊର୍ଜ୍ଜା କ୍ଷେତ୍ରରେ କାର୍ଯ୍ୟ କରୁଥିବା ଅନେକ ମାନ୍ୟଗଣ୍ୟ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ପରିଚିତ ନେତୃତ୍ୱ ମଧ୍ୟ କାର୍ଯ୍ୟକ୍ରମରେ ସାମିଲ ହେବେ । କାର୍ଯ୍ୟକ୍ରମରେ ସାମିଲ ହେବା ପାଇଁ ଶୁକ୍ରବାରଠାରୁ ହେଭିୱେଟମାନଙ୍କର ସମାଗମ ଆରମ୍ଭ ହୋଇଯାଇଛି ।

ଶୁକ୍ରବାର ରାଜ୍ୟପାଳ ଡ. ହରିବାବୁ କମ୍ଭମ୍‌ପାଟି, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ରାଜସ୍ଥାନର ଶକ୍ତି ମନ୍ତ୍ରୀ ହୀରା ନଗଲ, ଓଡ଼ିଶାର ଶକ୍ତି, ବିଦ୍ୟୁତ ଓ ସୂଚନା ଓ ପ୍ରଯୁକ୍ତି ବିଦ୍ୟା ବିଭାଗର ପ୍ରଧାନ ସଚିବ ବିଶାଲ ଦେବ ଏହି କାର୍ଯ୍ୟକ୍ରମରେ ଯୋଗ ଦେବା ପରିପ୍ରେକ୍ଷୀରେ କୋଣାର୍କରେ ଚାଲିଥିବା ଅନ୍ତ୍ରର୍ଜାତୀୟ ନୃତ୍ୟ ମହୋତ୍ସବର ଉଦ୍‌ଯାପନୀ ସନ୍ଧ୍ୟାରେ ସାମିଲ ହୋଇଥିଲେ । ଏହି ସମ୍ମିଳନୀ ଊର୍ଜ୍ଜା ସଞ୍ଚୟ କ୍ଷେତ୍ରରେ ସହାୟକ ହେବ ବୋଲି ରାଜ୍ୟପାଳ ଆଶାବ୍ୟକ୍ତ କରିଥିଲେ ।