ବିରଳ ମୃତ୍ତିକାର ବିଶ୍ୱବ୍ୟାପୀ ଅଭାବ ବା ବୈଶ୍ୱିକ ସ୍ୱଳ୍ପତାକୁ ସମାଧାନ କରିବାର ଦାୟିତ୍ୱ ଚୀନର ନୁହେଁ, କାରଣ ଏହା ତାର ଯୋଜନାରେ ଅନ୍ତର୍ଭୁକ୍ତ ନୁହେଁ । ଆମ ଦେଶ ଭଳି ଏକ ବିଶାଳ ଜନସଂଖ୍ୟାର ଦେଶ  ପାଇଁ କିନ୍ତୁ ଜରୁରି । ତେଣୁ ଏ କ୍ଷେତ୍ରରେ ଚୀନ ଆମର ପ୍ରତିଦ୍ୱନ୍ଦ୍ୱୀ ନୁହେଁ।  ଏଥିପାଇଁ ଇଞ୍ଜିନିୟରିଂ ଟ୍ୟାଲେଣ୍ଟର ଆବଶ୍ୟକତା ଅଛି ।


ବିଶ୍ୱବିଜୟୀ ହବାର ଉଚ୍ଚାକାଂକ୍ଷା ନେଇ ହିଟଲର  ପ୍ରସ୍ତୁତି ଚଳାଇଥାନ୍ତି । ସେ ଦେଖିଲେ ଜର୍ମାନୀରେ  ଯେତିକି ଅଶୋଧିତ ତୈଳ ରିଜର୍ଭ ଅଛି ତାହା ଅତ୍ୟନ୍ତ  ସ୍ୱଳ୍ପ । ଜରୁରିକାଳୀନ ଅବସ୍ଥାରେ ତାହା ୩ମାସରୁ ଅଧିକ  ଯିବନାହିଁ । ତାରି ଉପରେ ଗବେଷଣା କରି କିପରି  ଅନ୍ୟ କୌଣସି ସୂତ୍ରରୁ ପେଟ୍ରୋଲ ଡିଜେଲ ଆଦି  ଉତ୍ପାଦନ କରାଯାଇପାରିବ ତାହା କରିବାପାଇଁ ନିର୍ଦ୍ଦେଶ  ଦେଲେ । ତାର ଫଳସ୍ୱରୂପ କୋଇଲାରୁ ପେଟ୍ରୋଲ  ପ୍ରସ୍ତୁତି ଆରମ୍ଭ ହୋଇଗଲା । ତାହାକୁ କୁହାଯାଏ  ସିନ୍ଥେଟିକ୍‌ ପେଟ୍ରୋଲ । ଏହା ଜର୍ମାନୀର ଏୟାରଫୋର୍ସ  ଲୁଫ୍ଟ ୱେଫ୍‌’ର ୯୨% ବିମାନ ଚାଳନାପାଇଁ ଜାଳେଣି  ଭାବେ ଯଥେଷ୍ଟ ହୋଇଗଲା । ତିନି ମାସ ପାଇଁ ମାତ୍ର  ଥିବା ଜାଳେଣିର ମାତ୍ରା ବୃଦ୍ଧିପାଇଁ ୫ବର୍ଷ ଧରି ଦ୍ୱିତୀୟ  ବିଶ୍ୱଯୁଦ୍ଧ ଲଢ଼ିବାରେ ସାମର୍ଥ୍ୟ ସୃଷ୍ଟି କରିଦେଲା । ଏହା ହିଁ  ଆବଶ୍ୟକତା ହେଉଛି ଆବିଷ୍କାର ଜନନୀର ଏକ ଜ୍ୱଳନ୍ତ  ଦୃଷ୍ଟାନ୍ତ । ଅର୍ଥାତ୍‌ ପ୍ରତ୍ୟେକ ଆହ୍ୱାନ ଏକ ଅଭୂତପୂର୍ବ  ସୁଯୋଗ ସୃଷ୍ଟିକରେ । 

ଏହା ଉଲ୍ଲେଖ କରିବାର କାରଣ,  ଅଳ୍ପ କେଇଦିନ ତଳେ ଚୀନ-ଆମେରିକା ବାଣିଜ୍ୟ ଯୁଦ୍ଧ  ପରିପ୍ରେକ୍ଷୀରେ ଚୀନ ଧମକ ଦେଇଛି ସମଗ୍ର ବିଶ୍ୱକୁ ସେ  ରପ୍ତାନି କରୁଥିବା ରେୟାର ଆର୍ଥ ପରମାନେଣ୍ଟ ମାଗ୍ନେଟ  ବା ବିରଳ ମୃତ୍ତିକାରୁ ନିର୍ମିତ ହେଉଥିବା ସ୍ଥାୟୀ ଚୁମ୍ବକକୁ  ସେ ବନ୍ଦ କରିଦବ । ଏହାକୁ ନିର୍ମାଣ କରିବାରେ ଚୀନର  ଅଛି ବିଶ୍ୱରେ ପ୍ରାୟ ମନୋପଲି ବା ଏକଚାଟିଆ ଅଧିକାର ।  ଏହାର ସରଳ ଅର୍ଥ ହେଲା, ଚୀନ ଏହାକୁ ଏକ ଶାଣିତ  ଅସ୍ତ୍ରଭାବରେ ବ୍ୟବହାର କରିବାକୁ ଉଦ୍ୟତ । ଏପ୍ରିଲ ୪  ତାରିଖରେ ଚୀନ ଏହା ଘୋଷଣା କରି ଏହାର ଯୋଗାଣକୁ  ହ୍ରାସ କରିଦେଇଛି । 

ଏହି ଚୁମ୍ବକ ବା ଆରଇପିଏମ ପ୍ରାୟ ସବୁ  ମୋଟରଗୁଡ଼ିକରେ ବ୍ୟବହୃତ ହୁଏ । ଗୋଟିଏ  ଇଲେକଟ୍ରିକ କାର୍‌କୁ ଚଳାଇବା, ତାର ଉଇଣ୍ଡୋ କୋଡ୍‌କୁ  ଉପର-ତଳ କରିବା, ଷ୍ଟିଅରିଂ ହୁଇଲ୍‌କୁ ଚଳାଇବାରେ  ସାହାଯ୍ୟ କରିବା, ବ୍ରେକକୁ ଚଳାଇବା ଇତ୍ୟାଦି ଛୋଟରୁ  ଆରମ୍ଭକରି ବଡ଼ ପର୍ଯ୍ୟନ୍ତ ସବୁ ମୋଟର ଚଳାଇବାରେ  ଏହି ସ୍ଥାୟୀ ଚୁମ୍ବକର ଆବଶ୍ୟକତା । ଚୀନରେ ଏହି  ବିରଳ ମୃତ୍ତିକା ଗଚ୍ଛିତ ଥିବାର ପରିମାଣ ୪.୪କୋଟି  ମେଟ୍ରିକ ଟନ୍‌³ ଯାହା ସମଗ୍ର ବିଶ୍ୱରେ ଗଚ୍ଛିତ ପରିମାଣର  ୪୦% । ଏହା ସହିତ ଏହି ଗଚ୍ଛିତ ମୃତ୍ତିକାର ଉତ୍ତୋଳନ,  ପ୍ରସେସିଂ କରିବା ଉପରେ ଚୀନର ସଂପୂର୍ଣ୍ଣ ନିୟନ୍ତ୍ରଣ  ଅଛି । ତେଣୁ ଏହାର ମହତ୍ତ୍ୱପୂର୍ଣ୍ଣ ନିୟନ୍ତ୍ରଣ ପାଇଁ ସେ  ସମଗ୍ର ବିଶ୍ୱ ଉପରେ ନିଜର କର୍ତ୍ତୃତ୍ୱ ଜାହିର କରିବାକୁ  ଆରମ୍ଭ କରିଛି ଗ୍ଲୋବାଲ ମାର୍କେଟରେ । ଚୀନ ବହୁ ଆଗରୁ  ଏହି ବିରଳ ମୃତ୍ତିକାଗୁଡ଼ିକର ମୂଲ୍ୟ ବିଷୟରେ ଅବଗତ  ଓ ଚାହିଦା ଉପରେ ବି ଅବଗତ । ଗତ କିଛି ସପ୍ତାହ  ହେଲା ଚୀନର ଧମକ ପରିପ୍ରେକ୍ଷୀରେ ୟୁରୋପୀୟ ଓ  ପାଶ୍ଚାତ୍ୟ ରାଷ୍ଟ୍ରଗୁଡ଼ିକର କାର୍‌ ନିର୍ମାଣକାରୀ ସଂସ୍ଥାଗୁଡ଼ିକ  କାର୍‌ ନିର୍ମାଣ କରିବାକୁ ଆରମ୍ଭ କରିଛନ୍ତି, ଯାହାର  କେତେଗୁଡ଼ିଏ କମ୍ପୋନେଣ୍ଟରୁ ବିରଳ ମୃତ୍ତିକା ଚୁମ୍ବକର  ବ୍ୟବହାରକୁ ଆଡେଇ ଯାଇଛନ୍ତି । ଆମ ଦେଶର ମାରୁତି  କମ୍ପାନୀ ମଧ୍ୟ ଏହାର ପ୍ରଥମ ବ୍ୟାଚର ଇଲେକଟ୍ରିକ୍‌ କାର୍‌  ନିର୍ମାଣରେ ଏହି ଚୁମ୍ବକ ବ୍ୟବହାରକୁ ଆଡ଼େଇ ଦବାକୁ  ପ୍ଲାନ କରିଛି ଏହାର ଅଭାବକୁ ଦୃଷ୍ଟିରେ ରଖି । 

ଏଠାରେ  ଉଲ୍ଲେଖଯୋଗ୍ୟ, ଏହି ଚୁମ୍ବକଗୁଡ଼ିକରେ ପାଖାପାଖି  ୨୫% ଏକ ବିରଳ ମୃତ୍ତିକା ବ୍ୟବହୃତ ହୋଇଥାଏ,  ଯାହାର ନାମ ନିଡୋଇମିୟମ୍‌ । ଏହି ହାଲ୍‌କା ବିରଳ  ମୃତ୍ତିକା ମଧ୍ୟ ଆମ ଦେଶରେ ଗଚ୍ଛିତ ଅଛି । ଏହାର  ଉତ୍ତୋଳନ, ବିଶୁଦ୍ଧକରଣ ଓ ପ୍ରକ୍ରିୟାକରଣକୁ ଆମ ଦେଶ  ସେତେ ଗୁରୁତ୍ୱ ଦେଇନାହିଁ, କାରଣ ଏଥିପାଇଁ ଯେତେ  ଖର୍ଚ୍ଚ ହେବ ତା’ଠାରୁ ଯଥେଷ୍ଟ କମ୍‌ ଖର୍ଚ୍ଚରେ ଚୀନଠାରୁ  ଏହା କ୍ରୟ କରାଯାଇଥାଏ । ତେଣୁ ଏଥିପାଇଁ ବିପୁଳ ଅର୍ଥ  ବିନିଯୋଗ କରିବା ଏକ ଆକର୍ଷଣୀୟ ଯୋଜନା ଆଦୌ  ନୁହେଁ । କିନ୍ତୁ ଏବେ? ଏହି ପ୍ରସେସିଂ ପାଇଁ କିପରି କମ୍‌  ଖର୍ଚ୍ଚ ହେବ ସେଥିପାଇଁ ଧ୍ୟାନ ଦେବାର  ସମୟ ଆସିଯାଇଛି । ଏହି ବିରଳ ମୃତ୍ତିକାର  ବିଶ୍ୱବ୍ୟାପୀ ଅଭାବ ବା ବୈଶ୍ୱିକ  ସ୍ୱଳ୍ପତାକୁ ସମାଧାନ କରିବାର ଦାୟିତ୍ୱ  ଚୀନର ନୁହେଁ, କାରଣ ଏହା ତାର  ଯୋଜନାରେ ଅନ୍ତର୍ଭୁକ୍ତ ନୁହେଁ । ଆମ  ଦେଶ ଭଳି ଏକ ବିଶାଳ ଜନସଂଖ୍ୟାର  ଦେଶ ପାଇଁ କିନ୍ତୁ ଜରୁରି । ତେଣୁ ଏ  କ୍ଷେତ୍ରରେ ଚୀନ ଆମର ପ୍ରତିଦ୍ୱନ୍ଦ୍ୱୀ  ନୁହେଁ । ଏଥିପାଇଁ ଇଞ୍ଜିନିୟରିଂ  ଟ୍ୟାଲେଣ୍ଟର ଆବଶ୍ୟକତା ଅଛି ।  ଏହାର ତ ଅଭାବ ନାହିଁ । କିନ୍ତୁ  ଏ କ୍ଷେତ୍ରରେ ଦୃଷ୍ଟିନିବଦ୍ଧ କରିବା ଏଯାଏଁ ସେପରି  ହୋଇନାହିଁ । 

ଏହାର ଆବଶ୍ୟକତା ଏଥିପାଇଁ ଯେ ଚୀନ  ବିରୁଦ୍ଧରେ ଏକ ବିକଳ୍ପ ସପ୍ଲାଏ ଚେନ ଆମ ଦେଶ ସୃଷ୍ଟି  କରିପାରିବ । ଇଣ୍ଡିଆନ ରେୟାର ଆର୍ଥ ଲିମିଟେଡ ଆମ  ଦେଶରେ ୧୯୫୦ ମସିହାରୁ କାର୍ଯ୍ୟ କରୁଛି । ଏହାକୁ  ଯେବେ ପ୍ରତିଷ୍ଠା କରାଯାଇଥିଲା ସେଥିରେ ମୋନାଜାଇଟ  ସ୍ୟାଣ୍ଡକୁ, ଯାହା କେରଳର ସମୁଦ୍ର ଉପକୂଳରେ ମିଳେ  ତାକୁ ପ୍ରସେସିଂ କରିବାପାଇଁ ଉଦ୍ଦିଷ୍ଟ ଥିଲା । ଆଉ ମଧ୍ୟ  ଟାଇଟାନିୟମକୁ ପାଇବା ପାଇଁ ଲିମୋନାଇଟ ସ୍ୟାଣ୍ଡକୁ  ପୃଥକ ଭାବେ ବ୍ୟବହାର କରାଯାଇଥିଲା । ମୋନାଜାଇଟରୁ  ଥୋରିୟମକୁ ପୃଥକୀକରଣ କରାଯାଉଥିଲା, କାରଣ ଏହି ଥୋରିୟମରୁ ନ୍ୟୁକ୍ଲିୟର ଏନର୍ଜି ପ୍ରାପ୍ତହେବା ଆମ  ଦେଶୀୟ ଗବେଷଣାର ଏକ ମୁଖ୍ୟ ପ୍ରସଙ୍ଗ । ଆମ ଦେଶର  ପରମାଣୁ ଅସ୍ତ୍ର, ବିଦ୍ୟୁତ ଶକ୍ତି ଉତ୍ପନ୍ନ ପାଇଁ ଥୋରିୟମ  ବ୍ୟବହୃତ ହୁଏ ନ୍ୟୁକ୍ଲିୟର ପାୱାର ପ୍ଲାଣ୍ଟଗୁଡ଼ିକରେ ।  ଏହି ରେୟାର ଆର୍ଥ ଲିମିଟେଡର ଆଉ ଏକ ପ୍ଲାଣ୍ଟ ଆମ ରାଜ୍ୟରେ ମଧ୍ୟ ସ୍ଥାପିତ ହୋଇଛି । ପୁଣି ପୂର୍ବାଞ୍ଚଳ ପର୍ବତ  ଶ୍ରେଣୀରେ ଅନେକ ପରିମାଣରେ ବିରଳ ମୃତ୍ତିକା ଗଚ୍ଛିତ  ଅଛି, ଯାହାକୁ ଏପର୍ଯ୍ୟନ୍ତ ଉତ୍ତୋଳନ କରାଯିବା ଆରମ୍ଭ  ହୋଇନାହିଁ । 

ଏଠାରେ ଉଲ୍ଲେଖନୀୟ, ବିରଳ ମୃତ୍ତିକା  ବ୍ୟବହାର ବିନା ହୁଏତ ମୋଟର ନିର୍ମାଣ ସମ୍ଭବ ।  କିନ୍ତୁ ଟିଭି ସ୍କ୍ରିନ୍ସ, କମ୍ପୁଟର୍ସ, ଏମଆରଇଆଇ ମେସିନ୍ସ  ଆଦି ନିର୍ମାଣ କରିବା ଅସମ୍ଭବ । ସେଥିପାଇଁ ଏକ  ବିଶାଳ ବିରଳ ମୃତ୍ତିକା ଶିଳ୍ପ ଆମ ଦେଶରେ ପ୍ରତିଷ୍ଠା  ହେବା ଅତ୍ୟନ୍ତ ଜରୁରି । ଆମ ଦେଶ ହେଉଛି ବିରଳ  ମୃତ୍ତିକା ଗଚ୍ଛିତ ଥିବାର ପଞ୍ଚମ ବୃହତ୍ତମ ରାଷ୍ଟ୍ର । ଦକ୍ଷିଣ  ଆଫ୍ରିକାର କେପ୍‌ ରାଜ୍ୟରେ ଗଚ୍ଛିତ ଅଛି ପାଖାପାଖି  ୮୬ହଜାର ୯ଶହ ଟନ୍‌ ବିରଳ ମୃତ୍ତିକା ଅକସାଇଡ୍‌ ।  ବିଶେଷ ଭାବରେ ନିଓଡାଇମିୟମ ଓ  ପ୍ରାସୋଡାଇମିୟମ, ଯାହାକି ଅତ୍ୟନ୍ତ  ଉଚ୍ଚମାନର ଓ ଭାରତ ସହିତ  ଦ.ଆଫ୍ରିକାର ସୁସଂପର୍କ ଅଛି ।  

ସେଠାରୁ ପ୍ରଚୁର ପରିମାଣରେ ଆମ  ଦେଶ ଆମଦାନୀ କରିବାକୁ ସକ୍ଷମ ।  ଏଗୁଡ଼ିକର ବ୍ୟବହାର ହାଇ-ଟେକ୍ନୋଲୋଜି ଆପ୍ଲିକେସନରେ  ଇଲେକଟ୍ରୋନିକ୍ସ ବିଦ୍ୟୁତଚାଳିତ  ଯାନବାହନ ଓ ସାମରିକ ଉତ୍ପାଦନ  କ୍ଷେତ୍ରରେ । ତେବେ ଆମ ଦେଶ ବା  ଅନେକ ପାଶ୍ଚାତ୍ୟ ରାଷ୍ଟ୍ର ଏହି ବିରଳ  ମୃତ୍ତିକା କ୍ଷେତ୍ରକୁ ଏତେ ଗୁରୁତ୍ୱ ନେଇନାହାଁନ୍ତି, କାରଣ  ଖଣିଜରୁ ଏହି ବିରଳ ମୃତ୍ତିକାକୁ ପୃଥକ୍‌ କରିବା ଏକ  ସମୟସାପେକ୍ଷ ବ୍ୟବହୁଳ ଓ ଅତ୍ୟଧିକ ପ୍ରଦୂଷଣ  ସୃଷ୍ଟିକାରୀ ପ୍ରକ୍ରିୟା । ତେଣୁ ଚୀନ ଉପରେ ଛାଡ଼ି ଦେଇଛନ୍ତି  ଏହି ଶିଳ୍ପକୁ ନିଜ ଦେଶର ଗଚ୍ଛିତ ଅଙ୍ଗ ଉପରେ ଧ୍ୟାନ  ନଦେଇ । ତେଣୁ ଚୀନ ୯୦% ବିରଳ ମୃତ୍ତିକା ଉପରେ  ନିୟନ୍ତ୍ରଣ ଜାହିର କରି ରଖିଛି । କେତେଗୁଡ଼ିଏ ବିରଳ  ମୃତ୍ତିକା ଅଛି ଯେଉଁଗୁଡ଼ିକର ବ୍ୟବହାର ଫସ୍‌ଫର  ଭାବରେ ଏଲଇଡିଗୁଡ଼ିକରେ, ରଙ୍ଗୀନ ପର୍ଦ୍ଦାରେ ରଙ୍ଗ  ନିର୍ଭୁଲ ପାଇଁ, ଲେଜର ରଶ୍ମିର ୱେଭଲେଙ୍ଗ୍‌ଥର ଟ୍ୟୁନିଂ  ପାଇଁ ଯେବେ ସେଗୁଡ଼ିକ ଗତିକରନ୍ତି ଅପଟିକାଲ  ଫାଇବର କେବୁଲରେ । ଏ କ୍ଷେତ୍ରରେ ବିରଳ ମୃତ୍ତିକାର  ବ୍ୟବହାରର ବିକଳ୍ପ ଏତେ ସହଜରେ ମିଳିବା ସମ୍ଭପର  ନୁହେଁ । ଏଠାରେ ଅବଶ୍ୟ ଉଲ୍ଲେଖନୀୟ, ଏଗୁଡ଼ିକୁ  ବିରଳ ମୃତ୍ତିକା କହିବା ମାନେ ନୁହେଁ- ଏଗୁଡ଼ିକ  ବିରଳ ଆମ ପୃଥିବୀରେ । ବରଂ ଏଗୁଡ଼ିକର ଉତ୍ତୋଳନ  କଷ୍ଟସାଧ୍ୟ ଅର୍ଥବ୍ୟୟ ଦୃଷ୍ଟିରୁ, କିନ୍ତୁ ସେଗୁଡ଼ିକ ଅତ୍ୟନ୍ତ  ଆବଶ୍ୟକ ଆଧୁନିକ ଟେକ୍ନୋଲୋଜି ବ୍ୟବହାରରେ । ଏହି  ବିରଳ ଧାତୁର ସଂଖ୍ୟା ୧୭ । ସେଥିରୁ ୧୫ଟି ଲାନ୍ଥାନାଇଡ୍ସ  ପାରମାଣବିକ କ୍ରମାଙ୍କ ୫୭ରୁ ୭୧ ଓ ତା’ ସହିତ ଆଉ  ଦୁଇଟି ସ୍ନାଣ୍ଡିୟମ ଓ ୟଟ୍ରିୟମ୍‌ । ସେଗୁଡ଼ିକର ବିଶେଷ  ରୂପେ ବ୍ୟବହାର ସ୍ଥାୟୀ ଚୁମ୍ବକ ଭାବରେ ଯେଉଁଥିରେ  ବ୍ୟବହୃତ ହୁଏ ନିଓଡାଇମିୟମ୍‌, ପ୍ରାସିଓଡାଇମିୟମ  ଓ ଡାଇ-ସ୍ପ୍ରୋସିଅମ । 

ଏହି ଚୁମ୍ବକଗୁଡ଼ିକ ଉଚ୍ଚତମ  କ୍ଷମତାସଂପନ୍ନ ଓ ବ୍ୟବହୃତ ହୁଅନ୍ତି ବିଦ୍ୟୁତଚାଳିତ  ଯାନବାହନ, ଉଇଣ୍ଡ ଟର୍ବାଇନ ଓ ଇଲେକଟ୍ରନିକ୍ସରେ,  ଉଡ଼ାଜାହାଜ, ଟ୍ରେନ, କାର୍‌,ଫ୍ୟାନ, ଫ୍ୟାକଟ୍ରି, ଏସି,  କମ୍ପୁଟରଗୁଡ଼ିକରେ । ଇଣ୍ଡକ୍ସନ ମୋଟରଗୁଡ଼ିକର ନିର୍ମାଣ  ସହଜ, କାରଣ ସେଗୁଡ଼ିକ ପ୍ରାୟ ଅସ୍ଥାୟୀ ଚୁମ୍ବକ  ଆବଶ୍ୟକ କରନ୍ତି । ଏଗୁଡ଼ିକର ସାମର୍ଥ୍ୟ କମ୍‌ ସ୍ଥାୟୀ  ଚୁମ୍ବକ ଦେଇ ନିର୍ମିତ ହେଉଥିବା ମୋଟର ତୁଳନାରେ ।  ଏହି ସ୍ଥାୟୀ ଚୁମ୍ବକ ପାଇଁ ଆବଶ୍ୟକ ନିଓଡାଇମିୟମ ଓ  ଡାଇ-ସ୍ପ୍ରୋସିଅମ ସହିତ ଲୌହ ଓ ବୋରନକୁ ମିଶ୍ରଣ  କରି ପ୍ରସ୍ତୁତ କରାଯାଉଥିବା ଆଲୟ । ଏଥିପାଇଁ ପ୍ରତିବର୍ଷ  ଆମ ଦେଶ ୧୬ହଜାର କୋଟି ଟଙ୍କାର ନିୟୋପରମିୟମ  ଚୀନରୁ ଆମଦାନୀ କରେ । ଏହି ଚୁମ୍ବକ ଲୌହନିର୍ମିତ  ଚୁମ୍ବକଠାରୁ ୧୨ଗୁଣା ଶକ୍ତିଶାଳୀ । 

ସେହିଭଳି ଆଉ ଏକ  ବିରଳ ଧାତୁ ସମାରିଅମ ସହିତ କୋବାଲଟର ଆଲୟରୁ  ପ୍ରସ୍ତୁତ ଚୁମ୍ବକ ଲୌହନିର୍ମିତ ଚୁମ୍ବକଠାରୁ ୮ଗୁଣା  ଶକ୍ତିଶାଳୀ, ଯାହା କାର୍ଯ୍ୟ କରିପାରିବ ବିଯୁକ୍ତ ୨୭୩  ଡିଗ୍ରୀରୁ ୩୫୦ ଡିଗ୍ରୀ ସେଲସିୟସ ତାପମାତ୍ରା ମଧ୍ୟରେ ।  ଏହି ଚୁମ୍ବକଗୁଡ଼ିକ ଉପରେ ଚୀନର ଆଧିପତ୍ୟ ସମଗ୍ର  ବିଶ୍ୱକୁ ବ୍ଲାକମେଲ କରିବା ଉଦ୍ଦେଶ୍ୟରେ । ଅବଶ୍ୟ  ଶସ୍ତାରେ ଜିନିଷ କିଣିବା ଆର୍ଥିକ ଦୃଷ୍ଟିରୁ ଉତ୍ତମ । କିନ୍ତୁ  ଏହା ସହିତ ସର୍ବଦା ଜଡ଼ିତ ଥାଏ ଷ୍ଟ୍ରାଟେଜିକ ରିସ୍କ  ବା କୌଶଳଗତ ସଙ୍କଟ, ଯାହା ଏବେ ଚୀନ ସୃଷ୍ଟି  କରିଚାଲିଛି । ଯେପରିକି ଆମ ଦେଶ ନିଜ ଚାହିଦାର  ଔଷଧ ଉତ୍ପାଦନ ପାଇଁ ଚୀନ ପାଖରୁ ୭୦ ପ୍ରତିଶତ  ଆକ୍ଟିଭ, ଇନଗ୍ରେଡିଏଣ୍ଟ ଖରିଦ କରୁଛି । ଚୀନ ଏହାକୁ  ଆୟୁଧ କରି ଆମକୁ ଯେକୌଣସି ମୁହୂର୍ତ୍ତରେ ସଙ୍କଟରେ  ପକାଇ ଦେଇପାରେ । 

ଏଠାରେ ବିରଳ ମୃତ୍ତିକା ବ୍ୟବହାରକୁ ହ୍ରାସକରି  ଆଉ ଏକ ନୂତନ ଟେକ୍ନୋଲୋଜିର ବ୍ୟବହାର ବିଷୟରେ  ଉଲ୍ଲେଖ କରିବା ଜରୁରି । ସ୍ଥାୟୀ ଚୁମ୍ବକର ବ୍ୟବହାରକୁ  ହ୍ରାସ କରି ସେହିଭଳି ଶକ୍ତିଶାଳୀ ମୋଟର ନିର୍ମାଣ ସମ୍ଭବ ।  ତାହା ହେଲା ମାଗ୍ନେଟିକ ରେଲୁକଟାନ୍ସ ବା ଚୁମ୍ବକୀୟ  ପ୍ରତିରୋଧ ବା ଚୁମ୍ବକୀୟ ଅନିଚ୍ଛା । ଭିନ୍ନ ଭିନ୍ନ ପ୍ରକାରର  ରେଲୁକଟାନ୍ସ ମୋଟର ଏବେ ମଧ୍ୟ ନିର୍ମିତ ହୋଇଚାଲିଛି ।  ଏଗୁଡ଼ିକୁ ଆଗରୁ ନିୟନ୍ତ୍ରଣ କରାଯାଇ ପାରୁନଥିଲା ।  ଆଧୁନିକ ମାଇକ୍ରୋ ଇଲେକଟ୍ରୋନିକ୍ସର ଆବିଷ୍କାର  ପରେ ୧୯୯୦ ମସିହାରୁ ଏହି ମୋଟରଗୁଡ଼ିକୁ ନିୟନ୍ତ୍ରଣ  କରିବା ସମ୍ଭବ ହୋଇଛି । ମୋଟର କମ୍ପାନୀ ଟେସଲାର  ମଡେଲ-୩ ବ୍ୟବହାର କରୁଛି ସ୍ଥାୟୀ ମାଗ୍ନେଟିକ ମଟର  ସହିତ ରେଲୁକଟାନ୍ସ ମଟରକୁ ଯୋଡ଼ିଦେଇ ଏବଂ ଅତି  ସୁପରିଅର ଏଫିସିଏନ୍ସି ସୃଷ୍ଟି କରିବା ସମ୍ଭବ ହୋଇଛି ।  ଆମରି ଇଞ୍ଜିନିୟର ଓ ଗବେଷକମାନଙ୍କ ଉପରେ ନିର୍ଭର  କରୁଛି ଏହାର ଭବିଷ୍ୟତ ।