ନୂଆଦିଲ୍ଲୀ,୧୫/୧୦: ଗୋଆର କୃଷି ମନ୍ତ୍ରୀ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ରବି ନାଏକଙ୍କ ଦେହାନ୍ତ । ହୃଦଘାତ ପରେ ନାଏକଙ୍କୁ ପୋଣ୍ଡାର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ଯେଉଁଠାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା। ତେବେ ରବି ନାଏକଙ୍କ ମୃତ୍ୟୁରେ ସାରା ରାଜ୍ୟରେ ଶୋକର ଛାୟା ଖେଳିଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତଙ୍କ ସମେତ ଅନେକ ନେତା ଶୋକ ପ୍ରକାଶ କରିଛନ୍ତି ।
ପ୍ରଧାନମନ୍ତ୍ରୀ ମୋଦି ସୋସିଆଲ ମିଡିଆରେ ଶୋକ ପ୍ରକାଶ କରି ଲେଖିଛନ୍ତି, "ଗୋଆ ସରକାରଙ୍କ ମନ୍ତ୍ରୀ ରବି ନାଏକଙ୍କ ବିୟୋଗରେ ମୁଁ ଦୁଃଖିତ। ତାଙ୍କୁ ଜଣେ ଅଭିଜ୍ଞ ପ୍ରଶାସକ ଏବଂ ଉତ୍ସର୍ଗୀକୃତ ସରକାରୀ ସେବକ ଭାବରେ ମନେ ରଖାଯିବ, ଯିଏ ଗୋଆର ବିକାଶରେ ଗୁରୁତ୍ୱପୂର୍ଣ୍ଣ ଅବଦାନ ଦେଇଥିଲେ। ସେ ସର୍ବଦା ଅବହେଳିତ ଲୋକଙ୍କୁ ସଶକ୍ତ କରିବା ପାଇଁ କାମ କରିଥିଲେ। " ଏହି ଦୁଃଖର ମୁହୂର୍ତ୍ତରେ ପ୍ରଧାନମନ୍ତ୍ରୀ ତାଙ୍କ ପରିବାର ଏବଂ ସମର୍ଥକଙ୍କ ପ୍ରତି ଗଭୀର ସମବେଦନା ମଧ୍ୟ ପ୍ରକାଶ କରିଛନ୍ତି । ସେହିପରି ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ ନାଏକଙ୍କ ମୃତ୍ୟୁରେ ଶୋକ ପ୍ରକାଶ କରି ଲେଖିଛନ୍ତି, "ଆମର ବରିଷ୍ଠ ନେତା ଏବଂ କ୍ୟାବିନେଟ୍ ମନ୍ତ୍ରୀ ରବି ନାଏକଙ୍କ ବିୟୋଗରେ ଗଭୀର ମର୍ମାହତ। ଗୋଆ ରାଜନୀତିର ଜଣେ ପ୍ରବୀଣ ବ୍ୟକ୍ତି, ସେ ଦଶନ୍ଧି ଧରି ମୁଖ୍ୟମନ୍ତ୍ରୀ ଏବଂ ପ୍ରମୁଖ ବିଭାଗର ମନ୍ତ୍ରୀ ଭାବରେ ଲୋକଙ୍କ ସେବା କରିଥିଲେ, ରାଜ୍ୟ ଏବଂ ଏହାର ଲୋକଙ୍କ ଶାସନ ଉପରେ ଏକ ଛାପ ଛାଡିଥିଲେ। ତାଙ୍କର ନେତୃତ୍ୱ, ନମ୍ରତା ଏବଂ ଜନ କଲ୍ୟାଣ ପାଇଁ ଅବଦାନ ସର୍ବଦା ମନେ ରହିବ।" ମୁଖ୍ୟମନ୍ତ୍ରୀ ତାଙ୍କ ପରିବାର, ବନ୍ଧୁ ଏବଂ ସମର୍ଥକଙ୍କ ପ୍ରତି ସମବେଦନା ପ୍ରକାଶ କରିଛନ୍ତି।
ପ୍ରକାଶ ଥାଉକି,ରବି ନାଏକ ପୋଣ୍ଡା ପୌର ପରିଷଦର କାଉନସିଲର ଭାବରେ ତାଙ୍କର ରାଜନୈତିକ କ୍ୟାରିୟର ଆରମ୍ଭ କରିଥିଲେ। ସେ ପ୍ରଥମେ ୧୯୮୪ ମସିହାରେ ପୋଣ୍ଡା ନିର୍ବାଚନମଣ୍ଡଳୀରୁ ବିଧାୟକ ହୋଇଥିଲେ। ଏହା ପରେ ସେ ୧୯୯୧ ମସିହାରେ ରାଜ୍ୟର ମୁଖ୍ୟମନ୍ତ୍ରୀ ପଦ ଗ୍ରହଣ କରିଥିଲେ। ତଥାପି, ସେ ମାତ୍ର ୨୮ ମାସ ପାଇଁ ଏହି ପଦବୀରେ କାର୍ଯ୍ୟ କରିଥିଲେ। ନାଏକ ଗୋଆର ବିକାଶରେ ଗୁରୁତ୍ୱପୂର୍ଣ୍ଣ ଅବଦାନ ରଖିଥିଲେ ।