ନୂଆଦିଲ୍ଲୀ ୧୬/୧୧: ବେଙ୍ଗାଲୁରୁରେ ଏକ ବିବାହ ଉତ୍ସବ ସମସ୍ତଙ୍କୁ ଚକିତ କରିଛି । ଏକ ଭାଇରାଲ ଭିଡିଓରେ ଦେଖିବାକୁ ମିଳିଛି, ଜଣେ ନବବିବାହିତ ଯୋଡ଼ିଙ୍କୁ ସ୍ୱୟଂ ଭଗବାନ ଭେଙ୍କଟେଶ୍ୱର ମଞ୍ଚ ଉପରକୁ ଆସି ଆଶୀର୍ବାଦ ଦେଉଛନ୍ତି । ଏହି ଦୃଶ୍ୟ ଉପସ୍ଥିତ ସମସ୍ତଙ୍କୁ ଚକିତ କରିଛି । ବାସ୍ତବରେ ଜଣେ ବ୍ୟକ୍ତି ଭଗବାନ ଭେଙ୍କଟେଶ୍ୱରଙ୍କ ବେଶରେ ହଠାତ୍ ମଞ୍ଚ ଉପରକୁ ଆସି ନବଦମ୍ପତିଙ୍କୁ ଆଶୀର୍ବାଦ ଦେଲେ ।

ଏକ ସୁସଜ୍ଜିତ ବିବାହ ମଞ୍ଚରୁ ଭିଡିଓଟି ଆରମ୍ଭ ହୋଇଛି । ମଞ୍ଚରେ ବର-କନ୍ୟା ଆଣ୍ଠେଇ ବଡ଼ମାନଙ୍କଠୁ ଆଶୀର୍ବାଦ ନେଉଛନ୍ତି । ହଠାତ୍ ପ୍ରଭୁ ଭେଙ୍କଟେଶ୍ୱରଙ୍କ ବେଶ ଧାରଣ କରି ଜଣେ ବ୍ୟକ୍ତି ମଞ୍ଚ ଉପରକୁ ଉଠି ଆସିଲେ । ଏହି ମୁହୂର୍ତ୍ତକୁ ଆହୁରି ନାଟକୀୟ କରିବା ଲାଗି ମଞ୍ଚ ପରିସରକୁ ଧୂଆଁପୂର୍ଣ୍ଣ କରିଦିଆଗଲା । ପରିବାର ସଦସ୍ୟ ମଞ୍ଚରେ ଠିଆ ହୋଇ ଏହି ଦୃଶ୍ୟକୁ ଅତ୍ୟନ୍ତ ଆଶ୍ଚର୍ଯ୍ୟ ଚକିତ ହୋଇ ଚାହିଁ ରହିଥିଲେ । ଦେବତାଙ୍କ ରୂପ ଧାରଣ କରିଥିବା ବ୍ୟକ୍ତି ନବବିଦମ୍ପତିଙ୍କ ପାଖରେ ପହଞ୍ଚିବା ପରେ ପୁଷ୍ପ ବୃଷ୍ଟି ସହିତ ଉଭୟ ଶ୍ରଦ୍ଧାରେ ମୁଣ୍ଡ ନୁଆଁଇଲେ । ଏହି ନିଆରା ଅନ୍ଦାଜ୍କୁ ଲୋକେ ଖୁବ୍ ପସନ୍ଦ କଲେ । ଗତ ୧୦ ତାରିଖରେ ଶେୟାର ହୋଇଥିବା ଏହି ଭିଡିଓକୁ ୧୦ ଲକ୍ଷରୁ ଅଧିକ ଥର ଦେଖାଗଲାଣି । ଏ ନେଇ ବିଭିନ୍ନ ପ୍ରତିକ୍ରିୟା ଆସୁଛି । କିଛି ଲୋକ ଏହାକୁ ଆବଶ୍ୟକଠୁ ଅଧିକ ଡ୍ରାମା ଓ ଅପମାନଜନକ ବୋଲି ଦର୍ଶାଇଛନ୍ତି ।