ଭୁବନେଶ୍ୱର,୨୩/୧୦: ଦୀପାବଳି ପରେ ସୁନା ଏବଂ ରୁପା ଦରରେ ଦେଖାଦେଇଛି ବଡ଼ ହ୍ରାସ । ଉଭୟ ଧାତୁ ନିଜ ନିଜର ସର୍ବକାଳୀନ ରେକର୍ଡ ସ୍ତରରୁ ଖସିଆସିଛି । ୫ ଦିନରେ ସୁନା ପ୍ରାୟ ୭,୦୦୦ ଟଙ୍କା ଶସ୍ତା ହୋଇଯାଇଛି । ଅନ୍ୟପକ୍ଷରେ,ସପ୍ତାହ ମଧ୍ୟରେ ୩୨୦୦୦ ଟଙ୍କା ହ୍ରାସ ପାଇଛି ରୁପା ଦର । ଫଳରେ ଏହା ୨ ଲକ୍ଷ ଟଙ୍କା ସ୍ତର ତଳକୁ ଖସିଯାଇଛି ।
ଅକ୍ଟୋବର ୧୮ରୁ ୨୨ ମଧ୍ୟରେ ଭୁବନେଶ୍ୱରରେ ୧୦ ଗ୍ରାମ ପିଛା ୨୪ କ୍ୟାରେଟ୍ ସୁନା ଦର ୬,୮୮୦ ଟଙ୍କା ଖସିଛି । ଆଲୋଚ୍ୟ ଅବଧିରେ ୨୨ କ୍ୟାରେଟ୍ ସୁନା ଦର ୬,୩୦୦ ଟଙ୍କା ଶସ୍ତା ହୋଇଛି । କେବଳ ବୁଧବାର ଉଭୟର ଦର ଯଥାକ୍ରମେ ୪,୬୯୦ ଟଙ୍କା ଏବଂ ୪,୩୦୦ ଟଙ୍କା ହ୍ରାସ ପାଇଛି । ଆଜି ୧୦ ଗ୍ରାମ ପିଛା ୨୪ କ୍ୟାରେଟ୍ ଏବଂ ୨୨ କ୍ୟାରେଟ୍ ସୁନା ଦର ଯଥାକ୍ରମେ ୧,୨୫,୮୯୦ ଟଙ୍କା ଏବଂ ୧,୧୫,୪୦୦ ଟଙ୍କା ହୋଇଛି । ସେହିଭଳି ରୁପା ଆଜି ୭,୦୦୦ ଟଙ୍କା ଶସ୍ତା ହୋଇ ୧,୭୫,୦୦୦ ଟଙ୍କାରେ ବନ୍ଦ ହୋଇଛି । ସୁନା ଏବଂ ରୁପା ଦରରେ ଇତିମଧ୍ୟରେ ଘଟୁଥିବା ହ୍ରାସର ଅନେକ କାରଣ ରହିଛି ।
ଦୀପାବଳି ଏବଂ ଧନ୍ତେରାସ ଭଳି ପର୍ବ ପରେ ଭାରତରେ ସୁନା ଏବଂ ରୁପା କିଣା ଥମିଯାଇଛି। ଏହାଦ୍ୱାରା ଉଭୟ ଧାତୁର ଚାହିଦା ହ୍ରାସ ପାଇଛି, ଯାହାକି ଦରହ୍ରାସର ଏକ ପ୍ରମୁଖ କାରଣ । ଅନ୍ୟ ଏକ କାରଣ ହେଉଛି ଆମେରିକା ଏବଂ ଚୀନ୍ ମଧ୍ୟରେ ବାଣିଜ୍ୟିକ ବିବାଦ ହ୍ରାସ । ଅର୍ଥନୈତିକ ଅସ୍ଥିରତା ସମୟରେ ସୁନା ଏବଂ ରୁପାକୁ ନିବେଶର ସୁରକ୍ଷିତ ମାଧ୍ୟମ ଭାବେ ଗଣାଯାଇଥାଏ । କିନ୍ତୁ ଏବେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଚୀନ୍ର ସି. ଜିନ୍ପିଙ୍ଗ୍ଙ୍କ ମଧ୍ୟରେ ବୈଠକ ହେବାକୁ ଯାଉଛି, ଯେଉଁଥିରୁ କିଛି ସକାରାତ୍ମକ ଫଳାଫଳ ଆସିବା ଅନୁମାନ ରହିଛି। ଏହାଦ୍ୱାରା ବାଣିଜ୍ୟ ଯୁଦ୍ଧ ଚିନ୍ତା ସାମାନ୍ୟ ଦୂର ହୋଇଛି । ପରିସ୍ଥିତି ସୁଧୁରିବା ଦ୍ୱାରା ଲୋକେ ସୁନାରେ ନିବେଶ କମାଇଛନ୍ତି, ଯାହା ପ୍ରଭାବରେ ଦର ଖସିଛି । ନିବେଶକ ପ୍ରଫିଟ୍ ବୁକିଂ କରୁଛନ୍ତି, ଯାହା ମଧ୍ୟ ଦରହ୍ରାସର ଏକ ପ୍ରମୁଖ କାରଣ । ଆଗକୁ ମଧ୍ୟ ଦରରେ ହ୍ରାସ ଜାରି ରହିପାରେ ବୋଲି ଅନୁମାନ କରିଛନ୍ତି ବିଶେଷଜ୍ଞ ।
ନିକଟରେ ସୁନା ଏବଂ ରୁପା ଦର ଉପରମୁହାଁ ହୋଇଚାଲିଥିଲା । ବର୍ଦ୍ଧିତ ଦର ସାଧାରଣ ଲୋକଙ୍କ ଚିନ୍ତା ବଢ଼ାଇଥିଲା । ଏ ବର୍ଷ ଏଯାବତ୍ ସୁନା ଦର ୪୭,୦୦୦ ଟଙ୍କାରୁ ଅଧିକ ବୃଦ୍ଧି ପାଇଛି। ସେହିଭଳି ଆଲୋଚ୍ୟ ଅବଧିରେ ରୁପା ୬୬,୦୦୦ ଟଙ୍କାରୁ ଅଧିକ ମହଙ୍ଗା ହୋଇଛି ।
ଅନ୍ୟ ଏକ ରିପୋର୍ଟରେ ଅନୁମାନ କରାଯାଉଛି ଯେ, ରୁପା ଦରରେ ୧୯୮୦ ଭଳି ଏକ ବଡ଼ ଧରଣର ପତନ ଘଟିପାରେ । ଆଉ କେତେକ ରିପୋର୍ଟରେ ଏହାକୁ ଖଣ୍ଡନ କରାଯାଉଛି । ବିଶେଷଜ୍ଞଙ୍କ କହିବାନୁସାରେ, ୨୦୨୫ରେ ରୁପା ଦରରେ ଆସିଥିବା ବୃଦ୍ଧି ଆନୁମାନିକ ବବଲ୍ ନୁହେଁ । ଶିଳ୍ପଗୁଡ଼ିକ ପକ୍ଷରୁ ଚାହିଦା ଯୋଗୁ ଦର ବଢୁଛି । ସେମାନଙ୍କ କହିବାନୁସାରେ, ରୁପା ଦରରେ ସାମାନ୍ୟ ସଂଶୋଧନ ଆସିପାରେ କିନ୍ତୁ ୧୯୮୦ ଏବଂ ୨୦୧୧ ଭଳି ବଡ଼ ପତନ ଘଟି ନ ପାରେ ।