ଭୁବନେଶ୍ୱର,୨୦/୧୨: ଶୁକ୍ରବାର ସୁନା ଏବଂ ରୁପା ଉଭୟ ଧାତୁ ଦରରେ ହ୍ରାସ ଦେଖିବାକୁ ମିଳିଛି । ରାଜଧାନୀ ଭୁବନେଶ୍ୱରରେ ୧୦ ଗ୍ରାମ ପିଛା ୨୪ ଏବଂ ୨୨ କ୍ୟାରେଟ୍ ସୁନା ଦରରେ ଯଥାକ୍ରମେ ୬୬୦ ଏବଂ ୬୦୦ ଟଙ୍କା ହ୍ରାସ ଘଟିଛି । ଉଭୟର ଦର ଯଥାକ୍ରମେ ୧,୩୪,୧୮୦ ଟଙ୍କା ଏବଂ ୧,୨୩,୦୦୦ ଟଙ୍କାକୁ ଖସିଆସିଛି । ଅନ୍ୟପକ୍ଷରେ, କିଲୋଗ୍ରାମ ପିଛା ରୁପା ଦର ୩୦୦୦ ଟଙ୍କା ହ୍ରାସ ପାଇ ୨,୨୧,୦୦୦ ଟଙ୍କାକୁ ଖସିଆସିଛି । ଏ ବର୍ଷ ସୁନା ଏବଂ ରୁପା ଦର ରେକର୍ଡ ସ୍ତରରେ ପହଞ୍ଚିଛି । ସୁନା ଦର ବଢ଼ିବାର ଅନେକ ପ୍ରମୁଖ କାରଣ ରହିଛି । ରୁଷ-ୟୁକେନ୍ ଯୁଦ୍ଧ ଏବଂ ବିଶ୍ୱବ୍ୟାପୀ ଅଶାନ୍ତି ମଧ୍ୟରେ ନିବେଶକ ସୁନାରେ ନିବେଶ କରିବାକୁ ସୁରକ୍ଷିତ ମଣୁଛନ୍ତି । ଏହା ଫଳରେ ଧାତୁର ଚାହିଦା ବୃଦ୍ଧି ପାଉଛି, ଯାହାକି ଦରବୃଦ୍ଧିର ପ୍ରମୁଖ କାରଣ ।
ସେହିଭଳି ଚୀନ୍ ଭଳି ଦେଶ ନିଜ ରିଜର୍ଭ ବ୍ୟାଙ୍କ ସୁନା ଭରିଚାଲିଛି । ଏହା ଗୋଟିଏ ବର୍ଷରେ ପ୍ରାୟ ୯୦୦ ଟନ୍ରୁ ଉର୍ଦ୍ଧ୍ବ ସୁନା କିଣୁଛି, ଯାହାକି ସୁନା ଦରକୁ ଉପରମୁହାଁ କରୁଛି। ବିଶ୍ୱବ୍ୟାପୀ କେନ୍ଦ୍ରୀୟ ବ୍ୟାଙ୍କଗୁଡ଼ିକ ଡଲାର ଉପରୁ ନିର୍ଭରତା କମ୍ କରିବାକୁ ଚାହାନ୍ତି । ସେଥିପାଇଁ ନିଜ ଭଣ୍ଡାରରେ ସୁନା ଭାଗ ଲଗାତର ବଢ଼ାଉଛନ୍ତି । ଏହିଭଳି ଭାବେ ସୁନାର ଚାହିଦା ବୃଦ୍ଧି ସହିତ ଦର ଦ୍ରୁତ ବେଗରେ ବଢ଼ିଚାଲିଛି ।ସେହଭିଳି ଗତ କିଛି ସମୟ ହେବ ଭାରତରେ ସେୟାର ବଜାରରେ ଅନିଶ୍ଚିତତା ସୁନା ଆଡ଼କୁ ନିବେଶକଙ୍କୁ ଟାଣୁଛି । ଏହା ମଧ୍ୟ ସୁନା ଦର ବଢ଼ିବାର ଅନ୍ୟତମ ପ୍ରମୁଖ କାରଣ । ବିବାହ ଋତୁ ଆରମ୍ଭ ହେବା ଦ୍ୱାରା ସୁନା ଚାହିଦା ବୃଦ୍ଧି ପାଇଛି । ଏହା ମଧ୍ୟ ଧାତୁକୁ ମହଙ୍ଗା କରୁଛି । କେଡିଆ ଆଡ୍ଭାଇଜରୀର ନିର୍ଦ୍ଦେଶକ ଅଜୟ କେଡିଆ କୁହନ୍ତି, ଭୁ-ରାଜନୈତିକ ସମସ୍ୟା ଲାଗିରହିଛି । ଫଳରେ ସୁନା ଉପରମୁହାଁ ରହିଛି ।