କଣିହାଁ, ୩।୧୧ : କଣିହାଁ ବ୍ଳକ ସମଲ ଥାନା ବଲାଙ୍ଗି-ସମଲ ରାସ୍ତାରେ ଦମ୍ପତିକୁ ଭୁଜାଲି ଦେଖାଇ ସୁନାଚେନ ଓ ମୋବାଇଲ ଝାମ୍ପି ନେଲେ ଦୁର୍ବୃତ୍ତ। ତେବେ ଦୁର୍ବୃତ୍ତମାନେ ରାସ୍ତାରେ ମୋବାଇଲ ଫିଙ୍ଗି ଦେଇ ଚାଲି ଯାଇଛନ୍ତି। କଣିହାଁ ବ୍ଳକ ସ୍ଥିତ ଜରଡା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ପ୍ରଭାକର ଆଚାର୍ଯ୍ୟ(୪୯) ଓ ତାଙ୍କ ସ୍ତ୍ରୀ ତପସ୍ୱନୀ ଆଚାର୍ଯ୍ୟ(୩୮) ଏହି ଲୁଟର ଶିକାର ହୋଇଛନ୍ତି।
ପ୍ରଭାକର ଓ ତପସ୍ବନୀ ବାଇକ ଯୋଗେ ଏନଟିପିସି ବଲାଙ୍ଗୀ-ସମଲ ରାସ୍ତା ଦେଇ ନିଜ ଘର ଶଙ୍ଖମୁର ଅଭିମୁଖେ ଯାଉଥିଲେ। ସମଲ ଆଡୁ ବଲାଙ୍ଗୀ ସ୍ଥିତି ରାସ୍ତାରେ ଦମ୍ପତିଙ୍କ ବାଇକକୁ ଦୁର୍ବୃତ୍ତ ଅଟକାଇ ଥିଲେ। ୩ ଦୁର୍ବୃତ୍ତଙ୍କ ମଧ୍ୟରୁ ବାଇକ ଚାଳକ ହେଲମେଣ୍ଟ ପିନ୍ଧିଥିବା ବେଳେ ପଛରେ ବସିଥିବା ଦୁଇ ଜଣ ଦୁର୍ବୃତ୍ତ ମୁଖା ପିନ୍ଧିଥିଲେ। ମୁଖା ପିନ୍ଧା ମଧ୍ୟରୁ ଜଣେ ଭୁଜାଲି ଦେଖାଇ ମହିଳା ପିନ୍ଧିଥିବା ସାଢେ ୮ ଗ୍ରାମ ଓଜନ ର ସୁନା ଚେନ ସହିତ ମୋବାଇଲ ଫୋନ କୁ ଝାମ୍ପି ନେଇ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ। କିଛି ଦୁରେଇ ମୋବାଇଲ ଫୋନ କୁ ଫୋପାଡ଼ି ଦେଇଥିଲେ। ଏନେଇ ସମଲ ଥାନାରେ ପ୍ରଭାକର ଲିଖିତ ଅଭିଯୋଗ କରିଛନ୍ତି। ମଙ୍ଗଳବାର ବଡ଼ ଓଷା ଥିବା ବେଳେ ଦମ୍ପତି ନିଜ ଘର ଶଙ୍ଖମୁର ଅଭିମୁଖେ ଯାଉଥିବା ବେଳେ ଏଭଳି ଘଟଣା ଘଟିଥିଲା।