ନୂଆଦିଲ୍ଲୀ, ୨୪/୧୨ : ଭୂରାଜନୈତିକ ଅନିଶ୍ଚିତତା ମଧ୍ୟରେ ନିବେଶ ପାଇଁ ସବୁଠାରୁ ସ୍ଥିର ଏବଂ ନିରାପଦ ଆସେଟ୍‌ ଭାବେ ଏହାର ମାନ୍ୟତା ବଜାୟ ରଖିଛି ସୁନା । ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ପକ୍ଷରୁ ପ୍ରସ୍ତୁତ ଏକ ସର୍ଭେରୁ ଏହା ଜଣାପଡ଼ିଛି ।  ବିଶ୍ୱ ବଜାରରେ ଦେଖାଦେଇଥିବା ଝଟ୍‌କାରୁ ସବୁଠୁ ବିପଜ୍ଜନକ ନିବେଶ ଆସେଟ୍‌ ଭାବେ ଅଶୋଧିତ ତୈଳ ଉଭା ହୋଇଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି । ‘ଡିକୋଡିଂ ସେଫ୍‌ ଆସେଟ୍‌ ଭୋଲାଟାଇଲିଟି ଆମିଡ୍‌ ଜିଓପଲିଟିକାଲ ରିସ୍କ୍‌ସ ୟୁଜିଙ୍ଗ୍‌ ନ୍ୟୁରାଲ ନେଟ୍‌ୱର୍କସ’ ନାମରେ ଏହି ସର୍ବେକ୍ଷଣରେ ପରିବର୍ତ୍ତିତ ଭୁ-ରାଜନୈତିକ ରିସ୍କ ମଧ୍ୟରେ ସୁନା, ରୁପା, ଅଶୋଧିତ ତୈଳ ଏବଂ ଆମେରିକା ଟ୍ରେଜେରି କେତେ ନିରାପଦ ତାହାର ସମୀକ୍ଷା କରାଯାଇଛି ।

ବିଶ୍ଳେଷଣରୁ ଜଣାପଡ଼ିଛି ଯେ, ରୁଷ-ୟୁକ୍ରେନ ଯୁଦ୍ଧ ସ୍ଥିତିରେ ସୁନା ଏହାର ଚମକ ହରାଇନାହିଁ । ନିବେଶକ ଏହି ଧାତୁରେ ପ୍ରଚୁର ମାତ୍ରାରେ ନିବେଶ କରିଛନ୍ତି । ଫଳରେ ସୁନା ଦରରେ ବଡ଼ ଧରଣର ବୃଦ୍ଧି ଘଟିଛି । ଏହା ବର୍ତ୍ତମାନ ଲକ୍ଷେ ୪୦ ହଜାର ଆଡ଼କୁ ମୁହାଁଇଛି । ଆଗକୁ ମଧ୍ୟ ସୁନାରେ ବୃଦ୍ଧି ଜାରି ରହିବ ବୋଲି ଅନୁମାନ କରିଛନ୍ତି ବଜାର ବିଶେଷଜ୍ଞ । ଅନ୍ୟପକ୍ଷରେ, ବିଶ୍ୱ ବଜାରରେ ଅନିଶ୍ଚିତତା ମଧ୍ୟରେ ଅଶୋଧିତ ତୈଳ ଦରରେ ଅସ୍ଥିରତା ୧୦ ଗୁଣାରୁ ଅଧିକ ବୃଦ୍ଧି ପାଇଛି । ଯୋଗାଣରେ ବାଧା ଏବଂ ଆମେରିକାର କଟକଣା ମଧ୍ୟରେ ଅଶୋଧିତ ତୈଳ ବିପଜ୍ଜନକ ନିବେଶ ଅସେଟ୍‌ ପାଲଟିଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି । ବିଗତ ଦିନରେ ମଧ୍ୟ ବିଶ୍ୱ ବଜାରରେ ଅସ୍ଥିର ମାହୋଲ ମଧ୍ୟରେ ସୁନା ନିବେଶର ସୁରକ୍ଷିତ ମାଧ୍ୟମ ପାଲଟିଥିଲା ।

୧୯୮୦ ପ୍ରଥମାର୍ଦ୍ଧରେ ହୋଇଥିବା ବିଶ୍ୱ ଅର୍ଥନୈତିକ ସଂକଟ ଏବଂ କୋଭିଡ୍‌-୧୯ ମହାମାରୀକୁ ଏଥିପାଇଁ ଉଦାହରଣ ଭାବେ ନିଆଯାଇପାରେ । ଏସବୁ ସମୟରେ ସୁନାରେ ନିବେଶ ଭଲ ରିଟର୍ଣ୍ଣ ଦେଇଛି । ୧୯୮୦ ହଣ୍ଟ୍‌ ବ୍ରଦର୍ସ ସଂକଟ ସମୟରେ ରୁପା ଦରରେ ରେକର୍ଡ ବୃଦ୍ଧି ଦେଖିବାକୁ ମିଳିଥିଲା । ୨୦୧୦-୧୧ରେ ଏବଂ କୋଭିଡ-୧୯ ମହାମାରୀ ସମୟରେ ମଧ୍ୟ ରୁପା ଦରରେ ରେକର୍ଡ ବୃଦ୍ଧି ଘଟିଛି । ଏ ବର୍ଷ ଘରୋଇ ବଜାରରେ ସୁନା ଦର ପ୍ରାୟ ୬୦,୦୦୦ ଟଙ୍କା ବଢ଼ିଥିବାବେଳେ ରୁପା ଲକ୍ଷେ ୨୦ ହଜାର ଟଙ୍କାରୁ ଅଧିକ ବଢ଼ିଛି । ସୁନା ଦର ବଢ଼ିବାର ଅନେକ ପ୍ରମୁଖ କାରଣ ରହିଛି । ରୁଷ-ୟୁକ୍ରେନ ଯୁଦ୍ଧ ଏବଂ ବିଶ୍ୱବ୍ୟାପୀ ଅଶାନ୍ତି ମଧ୍ୟରେ ନିବେଶକ ସୁନାରେ ନିବେଶ କରିବାକୁ ସୁରକ୍ଷିତ ମଣୁଛନ୍ତି । ଏହା ଫଳରେ ଧାତୁର ଚାହିଦା ବୃଦ୍ଧି ପାଉଛି, ଯାହାକି ଦରବୃଦ୍ଧିର ପ୍ରମୁଖ କାରଣ । 

ଏହି ଖବରଟିକୁ ପଢନ୍ତୁ- ନିଜର ଆନ୍ତର୍ଜାତୀୟ ଏୟାରଲାଇନ୍ସକୁ ବିକ୍ରି କରିବ ପାକିସ୍ତାନ : PIAକୁ କିଣିବାକୁ ନିଲାମ ଦୌଡ଼ରେ ୩ କମ୍ପାନୀ