ଭୁବନେଶ୍ୱର, ୨୪।୬: ରାଜ୍ୟର ଅଳଙ୍କାର ବଜାରରୁ ଗ୍ରାହକଙ୍କ ପାଇଁ ଏକ ବଡ଼ ଖବର ସାମ୍ନାକୁ ଆସିଛି । ସୁନା ଏବଂ ରୁପା ଦରରେ ଆଜି ଏକ ଆଖିଦୃଶିଆ ହ୍ରାସ ଘଟିଛି, ଯାହା ଗ୍ରାହକ ଓ ନିବେଶକମାନଙ୍କୁ ଚକିତ କରିଦେଇଛି।  ରାଜଧାନୀ ଭୁବନେଶ୍ୱରରେ ଆଜି ୧୦ ଗ୍ରାମ ପିଛା ଉଭୟ ୨୨ କ୍ୟାରେଟ୍‌ ଏବଂ ୨୪ କ୍ୟାରେଟ୍‌ ସୁନା ମୂଲ୍ୟରେ ବଡ଼ ଧରଣର ହ୍ରାସ ରେକର୍ଡ କରାଯାଇଛି । ସେହିପରି ରୁପା ମୂଲ୍ୟ ମଧ୍ୟ ହଜାର ହଜାର ଟଙ୍କା ଶସ୍ତା ହୋଇଛି । ବଜାର ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ରାଜଧାନୀ ଭୁବନେଶ୍ୱରରେ ଆଜି ସୁନା ଦରରେ ପରିବର୍ତ୍ତନ ହୋଇଛି । ୨୨ କ୍ୟାରେଟ୍ ସୁନା ଏହାର ମୂଲ୍ୟରେ ୩,୧୦୦ ଟଙ୍କା ହ୍ରାସ ଘଟିବା ଫଳରେ ଏହା ୧,୩୨,୫୫୦ ଟଙ୍କାକୁ ଖସିଆସିଛି । ୨୪ କ୍ୟାରେଟ୍ ସୁନା ମୂଲ୍ୟରେ ସବୁଠାରୁ ବଡ଼ ହ୍ରାସ ଅର୍ଥାତ୍ ୩,୩୮୦ ଟଙ୍କା ଖସିଯିବା ପରେ ଏବେ ଏହା ୧,୪୪,୬୦୦ ଟଙ୍କାରେ ପହଞ୍ଚିଛି ।

ଅନ୍ୟପକ୍ଷରେ, ରୁପା ମଧ୍ୟ ସୁନା ପଛକୁ ପଛ କ୍ରମାଗତ ଭାବେ ଶସ୍ତା ହେବାରେ ଲାଗିଛି । କିଲୋଗ୍ରାମ ପିଛା ରୁପା ମୂଲ୍ୟ ୫,୦୦୦ ଟଙ୍କା ହ୍ରାସ ପାଇ ଏବେ ୨,୫୦,୦୦୦ ଟଙ୍କାକୁ ଖସିଆସିଥିବା ଜଣାପଡ଼ିଛି । ବଜାର ସମୀକ୍ଷକ ଏବଂ ଅର୍ଥନୈତିକ ବିଶେଷଜ୍ଞଙ୍କ ଅନୁଯାୟୀ, ବିଶ୍ୱସ୍ତରୀୟ ଘଟଣାବଳୀ ଏବଂ ସ୍ଥାନୀୟ ବଜାରର ସ୍ଥିତି ଯୋଗୁଁ ସୁନା ମୂଲ୍ୟରେ ଏଭଳି ବଡ଼ ହ୍ରାସ ଦେଖିବାକୁ ମିଳୁଛି । ଏହାର ମୁଖ୍ୟ କାରଣଗୁଡ଼ିକ ହେଲା:

୧. ଭୂ-ରାଜନୈତିକ ଅସ୍ଥିରତା ଓ ନଗଦ ଟଙ୍କାର ଆବଶ୍ୟକତା

ବର୍ତ୍ତମାନ ବିଶ୍ୱବ୍ୟାପୀ, ବିଶେଷ କରି ମଧ୍ୟପ୍ରାଚ୍ୟ ଞ୍ଚଳରେ ବଢୁଥିବା ସାମରିକ ଓ ରାଜନୈତିକ ଅଶାନ୍ତି ଯୋଗୁଁ ଆନ୍ତର୍ଜାତୀୟ ସ୍ତରରେ ଏକ ଅନିଶ୍ଚିତତା ସୃଷ୍ଟି ହୋଇଛି । ଏହି ଅସ୍ଥିରତା ମଧ୍ୟରେ ଲୋକେ ନିଜର ଭବିଷ୍ୟତ ସୁରକ୍ଷା ପାଇଁ ପାଖରେ ନଗଦ ଟଙ୍କାର ଉପଲବ୍ଧତା ବଢ଼ାଇବାକୁ ଚାହୁଁଛନ୍ତି । ଫଳରେ, ଜରୁରୀ ପରିସ୍ଥିତିରେ ଟଙ୍କା ପାଖରେ ରଖିବା ଉଦ୍ଦେଶ୍ୟରେ ବହୁ ସଂଖ୍ୟାରେ ଲୋକେ ନିଜର ପୁରୁଣା ସୁନା ବିକ୍ରି କରି ନଗଦ ଟଙ୍କା ଏକତ୍ର କରୁଛନ୍ତି ।

୨. ବଜାରରେ ପ୍ରଚୁର ଯୋଗାଣ

ଗୋଟିଏ ପଟେ ଲୋକେ ନଗଦ ଟଙ୍କା ପାଇଁ ସୁନା ବିକ୍ରି କରୁଥିବା ବେଳେ ବଜାରକୁ ପ୍ରଚୁର ପରିମାଣରେ ପୁରୁଣା ସୁନାର ଆଗମନ ହେଉଛି । ଚାହିଦା ତୁଳନାରେ ବଜାରରେ ସୁନାର ଯୋଗାଣ ହଠାତ୍ ବହୁତ ବଢ଼ିଯାଇଥିବାରୁ ଏହାର ସିଧାସଳଖ ପ୍ରଭାବ ମୂଲ୍ୟ ଉପରେ ପଡ଼ିଛି ଏବଂ ଦର କ୍ରମାଗତ ଭାବେ ଖସିଚାଲିଛି ।

ଏହା ବି ପଢ଼ନ୍ତୁ... Tata Electronic Data Leak: ଡାର୍କ ୱେବ୍‌ରେ ଟାଟା ଇଲେକ୍ଟ୍ରୋନିକ୍ସର ତଥ୍ୟ ଲିକ୍, ଆପଲ୍-ଟେସଲାର ଡିଜାଇନ୍ ସହ ଚୋରି ହେଲା ୨ ଲକ୍ଷ ଗୁପ୍ତ ଫାଇଲ୍ !

୩. ବଡ଼ ଧରଣର ପ୍ରଫିଟ୍ ବୁକିଂ

ସୁନା ଦର ହ୍ରାସ ପାଇବାର ଅନ୍ୟ ଏକ ପ୍ରମୁଖ କାରଣ ହେଉଛି ବଜାରରେ ଚାଲିଥିବା 'ପ୍ରଫିଟ୍ ବୁକିଂ' । ସୁନା ମୂଲ୍ୟ ପୂର୍ବରୁ ବହୁ ଉଚ୍ଚ ସ୍ତରରେ ରହିଥିବାରୁ, ନିବେଶକ ଏବଂ ସାଧାରଣ ଲୋକେ ଏହି ଉଚ୍ଚ ଦରର ସୁଯୋଗ ନେଇ ଭଲ ଲାଭ ହାତେଇବାକୁ ଚାହୁଁଛନ୍ତି । ଫଳରେ ସେମାନେ ନିଜ ପାଖରେ ଥିବା ସୁନାକୁ ବଜାରରେ ବିକ୍ରି କରି ମୋଟା ଅଙ୍କର ଲାଭ କମାଉଛନ୍ତି । "ବିଶ୍ୱ ବଜାରରେ ଚାଲିଥିବା ଉତ୍ତେଜନାପୂର୍ଣ୍ଣ ସ୍ଥିତି ଏବଂ ସ୍ଥାନୀୟ ବଜାରରେ ପ୍ରଫିଟ୍ ବୁକିଂ ଯୋଗୁଁ ଯୋଗାଣ ବୃଦ୍ଧି ପାଇଛି । ଯେପର୍ଯ୍ୟନ୍ତ ଆନ୍ତର୍ଜାତୀୟ ସ୍ଥିତି ସ୍ୱାଭାବିକ ହୋଇନାହିଁ, ସେପର୍ଯ୍ୟନ୍ତ ସୁନା ଓ ରୁପା ମୂଲ୍ୟରେ ଏଭଳି ଅସ୍ଥିରତା କିମ୍ବା ହ୍ରାସ ଜାରି ରହିପାରେ ।" ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି ।  ଆଗାମୀ ଦିନରେ ବିବାହ ଋତୁ ଥିବାରୁ ଏହି ଦର ହ୍ରାସ ସାଧାରଣ ଗ୍ରାହକଙ୍କୁ କିଛି ମାତ୍ରାରେ ଆଶ୍ୱସ୍ତି ଦେଇପାରେ ବୋଲି ଆଶା କରାଯାଉଛି ।