ଭୁବନେଶ୍ୱର  ୧୪/୧୨ : ସନ୍ଧ୍ୟା ପ୍ରାୟ ୬ଟା ହେବ । ଜରୁରିକାଳୀନ ଖବର ପାଇ ଖଣ୍ଡଗିରି ଅଞ୍ଚଳରୁ ଏକ ଆମ୍ବୁଲାନ୍ସ ପୋଖରୀପୁଟ ଅଭିମୁଖେ ବାହାରିଲା । ଯେଉଁ ତେଜରେ ଆମ୍ବୁଲାନ୍ସ ଗନ୍ତବ୍ୟସ୍ଥଳରେ ପହଞ୍ଚିବାକୁ ଗତି କରିଥିଲା, ଜାଗମରା ବଜାରରେ ପହଞ୍ଚିଲା ବେଳକୁ ଡ୍ରାଇଭରଙ୍କ ମୁଣ୍ଡ କାମ କଲାନି । ଆଗରେ ଏତେ ଗାଡ଼ିମୋଟର ଛନ୍ଦି ହୋଇ ଅଟକିଛନ୍ତି ଯେ ଆଖି ପାଉନାହିଁ । ପଛକୁ ବୁଲାଇ ଅନ୍ୟ ରାସ୍ତାରେ ଯିବାକୁ ବି ବାଟ ନାହିଁ । କାରଣ ପଛପଟେ ବି ଅସଂଖ୍ୟ ଗାଡ଼ି ଖୁନ୍ଦି ହୋଇଗଲେଣି । ଏମିତି ଭାବେ ଫୁଟେ ୨ ଫୁଟ ଲେଖାଏଁ ଗାଡ଼ି ଗଡ଼ାଇ ଗନ୍ତବ୍ୟସ୍ଥଳରେ ପହଞ୍ଚିଲା ବେଳକୁ ରାତି ୮ । ସେତେବେଳକୁ ରୋଗୀ ଅନ୍ୟ ବ୍ୟବସ୍ଥାରେ ହସ୍ପିଟାଲ ଗଲେଣି । 

ଏଭଳି ଅସମ୍ଭାଳ ଟ୍ରାଫିକ୍‌ ଭିଡ଼ ଯୋଗୁ ଅଭାବନୀୟ ପରିସ୍ଥିତି ଉପୁଜିଛି ଗଣ୍ଡମୁଣ୍ଡା ଠାରୁ ଜାଗମରା ପର୍ଯ୍ୟନ୍ତ ୨ ଲେନ୍‌ ବିଶିଷ୍ଟ ରାସ୍ତାରେ । କାରଣ ବିଭିନ୍ନ ହସ୍ପିଟାଲ, ଶିକ୍ଷାନୁଷ୍ଠାନ, ସରକାରୀ-ବେସରକାରୀ ସଂସ୍ଥାକୁ ସଂଯୋଗ କରିଥିବା ଏହି ଗୁରୁତ୍ୱପୂର୍ଣ୍ଣ ରାସ୍ତାକୁ ପୁଣି ଫେରିଛି ଖୋଳାତଡ଼ା । ବିଜୁଳି ବିତରକ ସଂସ୍ଥା କରିଥିବା ସଦ୍ୟ ଖୋଳାତଡ଼ାର ଚିହ୍ନ ନ ଲିଭୁଣୁ ସାଜସାମାନ ଧରି ପହଞ୍ଚିଛି ୱାଟ୍‌କୋ । 

ନବ ନିର୍ମିତ ରାସ୍ତାକୁ ଖୋଳି ସ୍ୱେରେଜ ପାଇପ ବିଛାଇବ । ସେଥିପାଇଁ ଗଣ୍ଡମୁଣ୍ଡା ଠାରୁ ପ୍ରମେୟ ଛକ ପର୍ଯ୍ୟନ୍ତ ଗୋଟିଏ ଲେନ୍‌କୁ ବନ୍ଦ କରିଥିବା ବେଳେ ଅନ୍ୟ ଲେନ୍‌କୁ ୨ ଫାଳ କରି ବାଡ଼ ଦେଇଛି । ଏହି ଅଣ ଓସାରିଆ ରାସ୍ତାରେ ଉଭୟ ପଟେ ଗାଡ଼ି ଛଡ଼ାଯାଉଛି । ସେପଟେ ସିଟି ଓମେନ୍ସ ରାସ୍ତା ପଟୁ ଆସୁଥିବା ଗାଡ଼ିମୋଟର ଖଣ୍ଡଗିରି ଓ ଗଣ୍ଡମୁଣ୍ଡା ଆଡ଼କୁ ମାଡ଼ୁଛନ୍ତି । ଫଳରେ ଗାଡ଼ିମୋଟର ଏମିତି ଭାବେ ରୁନ୍ଧି ହୋଇଯାଉଛନ୍ତି ଯେ ୬ଜଣ ଟ୍ରାଫିକ ପୁଲିସ ନୟାନ୍ତ । ୫ ମିନିଟର ରାସ୍ତା ପାରିହେବାକୁ ଘଣ୍ଟାଏ ଦେଢ଼ ଘଣ୍ଟା ଲାଗିଯାଉଛି । ଧୂଳି, ଧୂଆଁରେ ଭର୍ତ୍ତି ଚାରିଆଡ଼ । ଗାଡ଼ିମୋଟର ପେଁ ପାଁରେ ଖଣ୍ଡମଣ୍ଡଳ କମ୍ପୁଛି । ଭିଡ଼ରୁ ମୁକ୍ତି ପାଇଁ ସମସ୍ତେ ଅସ୍ତବ୍ୟସ୍ତ । ସେଥିରେ ଛୋଟମୋଟ ଧକ୍କା ହେଲେ ରାସ୍ତା ଉପରେ ମାରପିଟ ପର୍ଯ୍ୟନ୍ତ କଥା ଯାଉଛି । ବାଉଁଶ ବାଡ଼ରେ ବାଜି କାର୍‌ ମିରର ଗଳି ପଡ଼ୁଛି ।