ନୂଆଦିଲ୍ଲୀ,୧୬/୦୮: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ମଧ୍ୟରେ ପ୍ରାୟ ୩ ଘଣ୍ଟାର ବୈଠକ ଫଳଶୂନ୍ୟ ରହିଛି । କୌଣସି ମୁଦ୍ଦା ଉପରେ ସହମତି ହୋଇପାରିଲା ନାହିଁ । ଏହି ବୈଠକ ଉପରେ ଭାରତର ନଜର ରହିଥିଲା । ବୈଠକ ପରେ ଟ୍ରମ୍ପଙ୍କ ମିଜାଜ ବଦଳିଥିବା ଦେଖିବାକୁ ମିଳିଥିଲା । ଭାରତ ଉପରେ ଟାରିଫ୍କୁ ନେଇ କଡ଼ା କଥା କହୁଥିଲା । ଟ୍ରମ୍ପ ଶୁଳ୍କକୁ ନେଇ ପଚରାଯାଇଥିବା ପ୍ରଶ୍ନ ଉପରେ କହିଥିଲେ କି, ଏବେ ତାର ଆବଶ୍ୟକତା ନାହିଁ । ଦରକାର ପଡିଲେ ଋଷରୁ ତେଲ କିଣୁଥିବା ଦେଶ ଉପରେ ଅତିରିକ୍ତ ଟାରିଫ୍ ଲଗାଇବା ଉପରେ ୨ରୁ୩ ସପ୍ତାହରେ ବିଚାର କରାଯିବ । ସେପଟେ ଟ୍ରମ୍ପ-ପୁଟିନ୍ ବୈଠକ ଫଳଶୂନ୍ୟ ଥିଲେ ବି ଭାରତ ସମେତ ୧୦୦ ଦେଶ ପାଇଁ ଖୁସି ଖବର ମିଳିଛି । ଯାହା ଏକ ବଡ଼ ଆଶ୍ୱସ୍ତି ଦେଇଛି । ବୈଠକ ପରେ ଅଶୋଧିତ ତୈଳ ମୂଲ୍ୟରେ ପ୍ରାୟ ୨ ପ୍ରତିଶତ ହ୍ରାସ ହୋଇଛି ।
ଫକ୍ସ ନ୍ୟୁଜ ସହ କଥାବାର୍ତ୍ତା ହୋଇ ଟ୍ରମ୍ପ କହିଛନ୍ତି, ଆଜି ଯାହା ହେଲା, ''ତାହା ପରେ ମୋତେ ଲାଗୁନାହିଁ ଟାରିଫ୍ ବିଷୟରେ ଭାବିବାକୁ ପଡୁନାହିଁ । ହୋଇପାରେ ୨ କିମ୍ବା ୩ ସପ୍ତାହ ଭାବିବାକୁ ପଡିବ ହେଲେ ଏବେ ନୁହେଁ । ବୈଠକ ବହୁତ ଭଲ ଥିଲା ।'' ଗତ ମାସରେ ଋଷ ସହ ବ୍ୟବସାୟ କରୁଥିବା ଦେଶ ଉପରେ ପ୍ରତିବନ୍ଧକ ଲଗାଇବାକୁ ଘୋଷଣା କରିଥିଲେ ଟ୍ରମ୍ପ । ଋଷ ଉପରେ ୧୦୦ ପ୍ରତିଶତ ଟାରିଫ୍ ଲଗାଇବାକୁ ଧମକ ଦେଇଥିଲେ । ଏହା ପରେ ଭାରତ ଉପରେ ୫୦ ପ୍ରତିଶତ ଶୁଳ୍କ ଲଗାଇଥିଲେ । ଯାହା ଅଗଷ୍ଟ ୨୭ରୁ ଲାଗୁ ହେବ ।
ଭାରତ ପାଇଁ ଗୁରୁତ୍ୱପୂର୍ଣ୍ଣ ଥିଲା ବୈଠକ - ଟ୍ରମ୍ପ ଏବଂ ପୁଟିନ୍ଙ୍କ ଏହି ବୈଠକ ଭାରତ ପାଇଁ ଗୁରୁତ୍ୱପୂର୍ଣ୍ଣ ଥିଲା । ଏହାର ଏକ କାରଣ ଅଛି । ଯଦି ଯୁଦ୍ଧବିରତି ସମ୍ପର୍କରେ ବୈଠକରୁ କିଛି ସକାରାତ୍ମକ ବାହାରିଥାନ୍ତା, ତେବେ ଋଷିଆ ତୈଳ ଆମଦାନୀ ଉପରେ ଟ୍ରମ୍ପଙ୍କ ଦ୍ୱାରା ଲାଗୁ ହୋଇଥିବା ୨୫ ପ୍ରତିଶତ ଶୁଳ୍କ ହଟାଇବାର ସମ୍ଭାବନା ରହିଥିଲା । କିନ୍ତୁ ଯୁଦ୍ଧବିରତି ଉପରେ କୌଣସି ସହମତି ନାହିଁ, ଟ୍ରମ୍ପ ଭାରତ ଉପରେ ୨୫ ପ୍ରତିଶତ ଅତିରିକ୍ତ ଶୁଳ୍କ ହଟାଇବେ ନାହିଁ । ଯାହା ୨୭ ଅଗଷ୍ଟରୁ ଲାଗୁ ହେବ । ବିଶେଷଜ୍ଞଙ୍କ ମତରେ ଟ୍ରମ୍ପ ଏବଂ ପୁଟିନଙ୍କ ସାକ୍ଷାତ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଥିଲା, ଯାହା ପରବର୍ତ୍ତୀ ବୈଠକ ପାଇଁ ବାଟ ଖୋଲି ଦେଇଥାନ୍ତା । ଏପରି ପରିସ୍ଥିତିରେ, ଭାରତ ନିରାଶ ହେବାର କୌଣସି କାରଣ ନାହିଁ । ଅନ୍ୟପକ୍ଷରେ, ଶୁଳ୍କ ନେଇ ଆମେରିକା ଏବଂ ଭାରତର ଅଧିକାରୀଙ୍କ ମଧ୍ୟରେ ଆଲୋଚନା ଚାଲିଛି । ସମ୍ଭବତଃ ୨୭ ଅଗଷ୍ଟ ପୂର୍ବରୁ, ଋଷିଆ ତୈଳ ଉପରେ ଲାଗୁ ହୋଇଥିବା ଶୁଳ୍କରୁ ମୁକ୍ତି ମିଳିବନାହିଁ ।