ନୂଆଦିଲ୍ଲୀ, ୧୫।୫: ଗୁଗଲ୍ ୟୁଜର୍ସଙ୍କ ପାଇଁ ଏକ ବଡ଼ ଖବର । ଯଦି ଆପଣ Gmail, ଗୁଗଲ୍ ଡ୍ରାଇଭ୍ କିମ୍ବା ଗୁଗଲ୍ ଫଟୋଜ୍ ବ୍ୟବହାର କରୁଛନ୍ତି, ତେବେ ଏହି ରିପୋର୍ଟ ଆପଣଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ବର୍ଷ ବର୍ଷ ଧରି ମାଗଣାରେ ମିଳୁଥିବା 15GB ଷ୍ଟୋରେଜ୍ ନିୟମରେ ଗୁଗଲ୍ ଏକ ବଡ଼ ପରିବର୍ତ୍ତନ କରିଛି । ଏବେ ନୂଆ ଆକାଉଣ୍ଟ ଖୋଲିଲେ ଆପଣଙ୍କୁ ମାତ୍ର 5GB ଷ୍ଟୋରେଜ୍ ମିଳିବ, ଆଉ ବାକି ଷ୍ଟୋରେଜ୍ ପାଇଁ ଆପଣଙ୍କୁ ଏକ ନିର୍ଦ୍ଦିଷ୍ଟ କାମ କରିବାକୁ ପଡ଼ିବ । ନିକଟରେ ପ୍ରକାଶିତ ମିଡିଆ ରିପୋର୍ଟ ଅନୁଯାୟୀ, ଗୁଗଲ୍ ନିଜର ଷ୍ଟୋରେଜ୍ ପଲିସିରେ ଏହି ବଡ଼ ପରିବର୍ତ୍ତନକୁ ଚୁପଚାପ୍ ଭାବେ ଲାଗୁ କରିବା ଆରମ୍ଭ କରିଛି ।
ନୂଆ ନିୟମ କ’ଣ ?
ପୂର୍ବରୁ ଯେତେବେଳେ ଜଣେ ବ୍ୟବହାରକାରୀ ନୂଆ ଗୁଗଲ୍ ଆକାଉଣ୍ଟ ତିଆରି କରୁଥିଲେ, ତାଙ୍କୁ ସଙ୍ଗେ ସଙ୍ଗେ 15GBର ମାଗଣା କ୍ଲାଉଡ୍ ଷ୍ଟୋରେଜ୍ ମିଳିଯାଉଥିଲା । କିନ୍ତୁ, ଏବେ ନୂଆ ସେଟଅପ୍ ସମୟରେ ୟୁଜର୍ସଙ୍କୁ ଏକ ନୋଟିଫିକେସନ୍ ମିଳୁଛି, ଯେଉଁଥିରେ ଲେଖା ରହୁଛି । "ଆପଣଙ୍କ ଆକାଉଣ୍ଟରେ 5GB ଷ୍ଟୋରେଜ୍ ଅନ୍ତର୍ଭୁକ୍ତ ଅଛି । ଗୁଗଲ୍ ଫଟୋଜ୍, ଡ୍ରାଇଭ୍ ଏବଂ ଜିମେଲ୍ରେ ନିଜର ଫୋନ୍ ନମ୍ବର ଭେରିଫାଏ କରି ଅଧିକ ଷ୍ଟୋରେଜ୍ ପାଆନ୍ତୁ ।" ଅର୍ଥାତ୍, ଯଦି ଆପଣ ନିଜର ମୋବାଇଲ୍ ନମ୍ବରକୁ ଗୁଗଲ୍ ଆକାଉଣ୍ଟ ସହ ଲିଙ୍କ୍ କରି ଭେରିଫିକେସନ୍ କରୁନାହାନ୍ତି, ତେବେ ଆପଣଙ୍କୁ କେବଳ 5GB ଷ୍ଟୋରେଜରେ ସନ୍ତୁଷ୍ଟ ହେବାକୁ ପଡ଼ିବ । ପୂରା 15GB କ୍ଷମତା ପାଇବା ପାଇଁ ଫୋନ୍ ନମ୍ବର ଯୋଡ଼ିବା ଏବେ ଅପରିହାର୍ଯ୍ୟ ହୋଇପଡ଼ିଛି ।
ଗୁଗଲ୍ କାହିଁକି ନେଲା ଏଭଳି ନିଷ୍ପତ୍ତି ?
ଏହି ପରିବର୍ତ୍ତନ ପଛରେ ଗୁଗଲ୍ର ମୁଖ୍ୟ ଉଦ୍ଦେଶ୍ୟ ହେଉଛି 'ୱାନ୍ ପର୍ସନ, ୱାନ୍ ଆକାଉଣ୍ଟ' ନୀତିକୁ କଡ଼ାକଡ଼ି କରିବା । ଅନେକ ଲୋକ ବିନା ଫୋନ୍ ନମ୍ବରରେ ଏକାଧିକ ଆକାଉଣ୍ଟ ଖୋଲି ଅପବ୍ୟବହାର କରୁଛନ୍ତି । ଫୋନ୍ ନମ୍ବର ଭେରିଫିକେସନ୍ ଦ୍ୱାରା ପ୍ରକୃତ ୟୁଜର୍ସଙ୍କୁ ଚିହ୍ନଟ କରାଯାଇପାରିବ । ଗୁଗଲ୍ ନିଜର ସପୋର୍ଟ ପେଜ୍ରେ ମଧ୍ୟ ଶବ୍ଦାବଳୀ ବଦଳାଇ ଦେଇଛି । ପୂର୍ବରୁ ଏହା "15GB ମିଳିବ" ବୋଲି ଲେଖୁଥିବା ବେଳେ, ଏବେ "Up to 15GB" ଅର୍ଥାତ୍ 15GB ପର୍ଯ୍ୟନ୍ତ ବୋଲି ଉଲ୍ଲେଖ କରୁଛି ।
୨ଟି ସିମ୍ ଥିଲେ କ’ଣ ହେବ ?
ରିପୋର୍ଟ ଅନୁଯାୟୀ, ଯେଉଁ ୟୁଜର୍ସଙ୍କ ପାଖରେ ଏକାଧିକ ଆକ୍ଟିଭ୍ ସିମ୍ କାର୍ଡ ଅଛି, ସେମାନେ ଅଲଗା ଅଲଗା ନମ୍ବର ବ୍ୟବହାର କରି ପୂର୍ବଭଳି ଅଧିକ ଷ୍ଟୋରେଜ୍ ସୁବିଧା ପାଇପାରିବେ । ତେବେ ଏହା କେବଳ ସେହିମାନଙ୍କ ପାଇଁ ଯେଉଁମାନେ ନୂଆ ଆକାଉଣ୍ଟ ଖୋଲୁଛନ୍ତି ।
ପୁରୁଣା ୟୁଜର୍ସଙ୍କ ଉପରେ ଏହାର ପ୍ରଭାବ ?
ବର୍ତ୍ତମାନ ପାଇଁ ଏହି ନିୟମ ମୁଖ୍ୟତଃ ନୂଆ ଆକାଉଣ୍ଟ ଖୋଲୁଥିବା ୟୁଜର୍ସଙ୍କ ପାଇଁ ଲାଗୁ ହେଉଥିବା ଜଣାପଡ଼ିଛି । ଯେଉଁମାନଙ୍କର ପୂର୍ବରୁ ଆକାଉଣ୍ଟ ଅଛି ଏବଂ ସେମାନେ 15GB ଷ୍ଟୋରେଜ୍ ବ୍ୟବହାର କରୁଛନ୍ତି, ସେମାନଙ୍କ ଉପରେ ଏହାର ତତ୍କାଳ ପ୍ରଭାବ ପଡ଼ିନପାରେ । କିନ୍ତୁ, ଆଗାମୀ ଦିନରେ ଗୁଗଲ୍ ସମସ୍ତଙ୍କ ପାଇଁ ଫୋନ୍ ନମ୍ବର ଭେରିଫିକେସନ୍ ବାଧ୍ୟତାମୂଳକ କରିପାରେ ବୋଲି ଆଶଙ୍କା କରାଯାଉଛି । ତେଣୁ, ଯଦି ଆପଣ ଏକ ନୂଆ ଗୁଗଲ୍ ଆକାଉଣ୍ଟ ଖୋଲିବାକୁ ଯାଉଛନ୍ତି, ତେବେ ନିଜର ମୋବାଇଲ୍ ନମ୍ବରକୁ ପାଖରେ ରଖନ୍ତୁ, ନଚେତ୍ ଆପଣଙ୍କୁ ଷ୍ଟୋରେଜ୍ ଅଭାବର ସମ୍ମୁଖୀନ ହେବାକୁ ପଡ଼ିପାରେ ।
ଆହୁରି ପଢ଼ନ୍ତୁ... EPFO update : ୭ କୋଟି ଲୋକଙ୍କ ପାଇଁ ଖୁସି ଖବର, ସ୍ୱୟଂଚାଳିତ ହେବ ଫାଇନାଲ୍ PF ଉଠାଣ