ନୂଆଦିଲ୍ଲୀ,୧୪।୭: ନିକଟରେ ଗୁଗୁଲ୍ ଆଣ୍ଡ୍ରଏଡ୍ ଫୋନ୍ରେ ଏହାର ଜେମିନି ଏଆଇ କାମ କରିବାର ପଦ୍ଧତିରେ କିଛି ବଡ଼ ପରିବର୍ତ୍ତନ ଘୋଷଣା କରିଛି। ଏକ ଇମେଲ୍ ମାଧ୍ୟମରେ, ୟୁଜରଙ୍କୁ କୁହାଯାଇଥିଲା,ଜେମିନି ଏଆଇ ଏବେ ହ୍ୱାଟସଆପ୍ ଭଳି ଥାର୍ଡ ପାର୍ଟି ଆପ୍ଗୁଡ଼ିକରୁ ଡାଟା ଆକ୍ସେସ୍ କରିପାରିବ, ଯାହା ଦ୍ୱାରା ଆପଣ ଭଏସ୍ କମାଣ୍ଡ ମାଧ୍ୟମରେ ସେହି ଆପ୍ଗୁଡ଼ିକର ସୁବିଧାକୁ ବ୍ୟବହାର କରିପାରିବେ। ପ୍ରଥମେ ଏହା ଏକ ସୁବିଧାଜନକ ଫିସର୍ଚ ପରି ମନେହୁଏ, କିନ୍ତୁ ପ୍ରକୃତ ଚିନ୍ତାର ବିଷୟ ହେଉଛି ଗୁଗୁଲ୍ ଚତୁରତାର ସହିତ ଇମେଲରେ ଏହା ଲୁଚାଇ ରଖିଛି ଯେ ଆପଣ ଜେମିନି ଆପ୍ସ ଆକ୍ଟିଭିଟିକୁ ବନ୍ଦ କରିଦେଲେ ମଧ୍ୟ ଏହି ଡାଟା ସେୟାରିଂ ଜାରି ରହିବ।
ଗୁଗୁଲ୍ର ୱେବସାଇଟ୍ ଅନୁଯାୟୀ, ଜେମିନି ଆପ୍ସ ଆକ୍ଟିଭିଟି ଅନ୍ ହେଉ କିମ୍ବା ଅଫ୍, ଆପଣଙ୍କର ଚାଟ୍ ଆପଣଙ୍କ ଆକାଉଣ୍ଟରେ ୭୨ ଘଣ୍ଟା ପର୍ଯ୍ୟନ୍ତ ସେଭ୍ ହୋଇପାରେ। ଏହାର ସ୍ପଷ୍ଟ ଅର୍ଥ ହେଉଛି ଯେ ହ୍ୱାଟ୍ସଆପ୍ ରୁ ଆପଣଙ୍କର ବ୍ୟକ୍ତିଗତ କଥାବାର୍ତ୍ତା ମଧ୍ୟ ଅସ୍ଥାୟୀ ଭାବରେ ଜେମିନିରେ ଷ୍ଟୋର ହୋଇପାରିବ। ଗୁଗୁଲ୍ ଦାବି କରେ ଯେ ଏହା କରିବା ଦ୍ୱାରା, ଜେମିନି ଆପଣଙ୍କ ପାଇଁ ଉତ୍ତର ପ୍ରସ୍ତୁତ କରିପାରିବ ଏବଂ ସେଗୁଡ଼ିକୁ ପଠାଇପାରିବ, ଯଦିଓ ଆପଣ ଗୋପନୀୟତା ସେଟିଂସ୍ ବାଛିଛନ୍ତି। କିନ୍ତୁ ଏହା ବ୍ୟବହାରକାରୀଙ୍କ ଗୋପନୀୟତା ବିଷୟରେ ଗମ୍ଭୀର ପ୍ରଶ୍ନ ଉଠାଇଥାଏ।
ମେଟା ସର୍ବଦା କହିଆସିଛି ଯେ ହ୍ୱାଟସଆପ୍ ଚାଟ୍ଗୁଡ଼ିକ ଏଣ୍ଡ-ଟୁ-ଏଣ୍ଡ ଏନକ୍ରିପ୍ଟେଡ୍ ଏବଂ ଅନ୍ୟ କେହି ପଢ଼ିପାରିବେ ନାହିଁ, ଏପରିକି ମେଟା ନିଜେ ମଧ୍ୟ। କିନ୍ତୁ ଏହି ସୁରକ୍ଷା କେବଳ ଆପ୍ ମଧ୍ୟରେ ସୀମିତ। ଆପଣଙ୍କ ଫୋନରେ ଆସୁଥିବା ନୋଟିଫିକେସନ୍ ଆଲର୍ଟ ଯେଉଁଥିରେ ମେସେଜର ବିଷୟବସ୍ତୁ ଥାଏ ତାହା ପଢ଼ିହେବ। କିଛି ଆଣ୍ଡ୍ରଏଡ୍ ଫୋନ୍ ହ୍ୱାଟସଆପ୍ ନଖୋଲି ଏହି ନୋଟିଫିକେସନ୍ଗୁଡ଼ିକୁ ୨୪ ଘଣ୍ଟା ପାଇଁ ସେଭ୍ ମଧ୍ୟ କରନ୍ତି।
ଗୁଗୁଲ୍ ଏପର୍ଯ୍ୟନ୍ତ ସ୍ପଷ୍ଟ କରିନାହିଁ ଯେ ଜେମିନି ଏହି ଚାଟ୍ଗୁଡ଼ିକୁ କିପରି ପଢ଼ିବ କିମ୍ବା ଷ୍ଟୋର୍ କରିବ, କିନ୍ତୁ ନୋଟିଫିକେସନ୍ଗୁଡ଼ିକୁ ଆକ୍ସେସ୍ କରିବାର ସବୁଠାରୁ ସହଜ ଉପାୟ। ଆଣ୍ଡ୍ରଏଡ୍ ସିଷ୍ଟମରେ ଜେମିନିର ପ୍ରବେଶ ଯୋଗୁଁ, ଏହା କେବଳ ନୋଟିଫିକେସନ୍ ପର୍ଯ୍ୟନ୍ତ ସୀମିତ ରହିବ ନାହିଁ । ଏହା ମେସେଜିଂର ସୁରକ୍ଷା ଚିନ୍ତା ବଢାଇଥାଏ।
ଆପଣଙ୍କ ହ୍ବାଟସଆପ୍ ମେସେଜ୍ ପଢିବାଠାରୁ ଜେମିନିକୁ କିଭଳି ରୋକିବେ ?
-ଆପଣଙ୍କ ଆଣ୍ଡ୍ରଏଡ୍ ଫୋନରେ ଜେମିନି ଆପ୍ ଖୋଲନ୍ତୁ।
-ଉପର ଡାହାଣ ପାର୍ଶ୍ୱରେ ଥିବା ପ୍ରୋଫାଇଲ୍ ଆଇକନ୍ ଉପରେ ଟ୍ୟାପ୍ କରନ୍ତୁ।
-‘ଜେମିନି ଆପ୍ସ ଆକ୍ଟିଭିଟି’ ବିକଳ୍ପ ଉପରେ କ୍ଲିକ୍ କରନ୍ତୁ।
-ଏବେ ଖୋଲିଥିବା ସ୍କ୍ରିନରେ, ଆପଣ ଏକ ଟୋଗଲ୍ ସ୍ୱିଚ୍ ପାଇବେ, ଏହାକୁ ବନ୍ଦ କରନ୍ତୁ।
ଏହା ପରେ ଜେମିନି ଆପଣଙ୍କର କୌଣସି ଆପ୍ ରୁ ଡାଟା ଆକ୍ସେସ୍ କରିପାରିବ ନାହିଁ। ତଥାପି, ଧ୍ୟାନ ଦିଅନ୍ତୁ ଯେ ଯଦି କୌଣସି ଡାଟା ପୂର୍ବରୁ ଜେମିନି ସହିତ ଅଛି, ତେବେ ଏହା ଏହାର ସର୍ଭରରେ ୭୨ ଘଣ୍ଟା ପର୍ଯ୍ୟନ୍ତ ସଂରକ୍ଷିତ ରହିପାରିବ।