ନୂଆଦିଲ୍ଲୀ,୦୭/୧୨: ପୁଣି ଭୁଲ ବାଟ ଦେଖାଇଲା ଗୁଗୁଲ ମ୍ୟାପ୍ । ବାଟବଣା କଲା ଗୁଗୁଲ । ଗୋଟିଏ ପରିବାର ଗୁଗୁଲ ମ୍ୟାପ୍ ଫଲୋ କରି ଅସୁବିଧାରେ ପଡିଛନ୍ତି । ବିହାରର ଏକ ପରିବାର ଗୋଆ ଯାଉଥିଲେ । ଗୁଗୁଲ ମ୍ୟାପ୍ ସହାୟତାରେ ବାଟ ଦେଖି ଦେଖି ଯାଉଥିଲେ । ମାତ୍ର ଗୁଗୁଲର ଭୁଲ ତଥ୍ୟ ପାଇଁ କର୍ଣ୍ଣାଟକର ଘଞ୍ଚ ଜଙ୍ଗଲରେ ଫସି ଯାଇଥିଲେ ପରିବାର ।
ବିହାରର ଏକ ପରିବାର ଗୋଆ ବୁଲି ଯାଉଥିଲେ । ନୂଆ ସ୍ଥାନକୁ ଯାଉଥିଲେ ତେଣୁ ଗୁଗୁଲ ମ୍ୟାପକୁ ଫଲୋ କରିବା ସ୍ବାଭାବିକ କଥା । ହେଲେ ସେ ଜାଣିନଥିଲେ ଗୁଗୁଲ ତାଙ୍କୁ ଭୁଲ ବାଟ ଦେଖାଇବ । ଗୁଗୁଲ ଉପରେ ଭରସା କରିବା ତାଙ୍କୁ ମହଙ୍ଗା ପଡିଲା । ଗୁଗୁଲ ମ୍ୟାପ ଅନୁସାରେ ଯିବାରୁ କର୍ଣ୍ଣାଟକର ବେଲଗାଭି ଜିଲ୍ଲାର ଏକ ଘଞ୍ଚ ଜଙ୍ଗଲରେ ଗୋଟିଏ ରାତି ଫସି ରହିଥିଲେ ପରିବାର ।
ସର୍ଟକଟ ପାଇଁ ଗୁଗୁଲ ମ୍ୟାପ ବ୍ୟବହାର କରିଥିଲେ ପରିବାର । ଜଙ୍ଗଲ ଦେଇ ଏକ ଛୋଟ ରାସ୍ତା ଦେଖେଇଥିଲା । ଶିରୋଲି ଓ ହେମାଡାଗା ଜଙ୍ଗଲ ଆଡକୁ ରାସ୍ତା ଥିବା ନେଇ ଦର୍ଶାଇଥିଲା ଗୁଗୁଲ । ସେହି ଅନୁସାରେ ପରିବାରର ଗାଡି ଆଗକୁ ବଢିଥିଲା । ୮କିମି ଦୁର୍ଗମ ଅଞ୍ଚଳରେ ଫସି ଯାଇଥିଲେ ପରିବାର । ଏହାପରେ ବାଟବଣା ହୋଇଥିଲେ । ସେଠାରେ ନେଟୱାର୍କ ନଥିବାରୁ ଆହୁରି ସମସ୍ୟାରେ ପଡିଥିଲେ । ବାଧ୍ୟ ହୋଇ ଜଙ୍ଗଲରେ ଗୋଟିଏ ରାତି ରହିଥିଲେ । ଏହାପରେ ୪ କିମି ଯିବା ପରେ ଫୋନ ନେଟୱାର୍କ ମିଳିଥିଲା । ସେମାନେ ୧୧୨ ଏନରଜେନ୍ସିଂକୁ ଫୋନ କରିଥିଲେ । ସ୍ଥାନୀୟ ପୋଲିସର ସହାୟତାରେ ପରିବାରକୁ ସୁରକ୍ଷିତ ଉଦ୍ଧାର କରାଯାଇଥିଲା ।
ପ୍ରକାଶ ଥାଉ କି, ଗୁରୁଲ ମ୍ୟାପ୍ ଭୁଲ ରାସ୍ତା ଦେଖାଇବା ପ୍ରଥମ ନୁହେଁ । କିଛି ଦିନ ତଳେ ଉତ୍ତରପ୍ରଦେଶ ବରେଲିରେ ଗୁଗୁଲ ମ୍ୟାପକୁ ଫଲୋ କରି ଏକ ଦୁର୍ଘଟଣା ଘଟିଥିଲା । ନିର୍ମାଣଧୀନ ବ୍ରିଜରୁ ନଦୀକୁ ଖସି ୩ ଜଣଙ୍କର ମୃତ୍ୟୁ ହୋଇଥିଲା । ଏହାର କିଛି ଦିନ ପରେ ସମାନ ଭାବେ ଗୁରୁଲ ମ୍ୟାପକୁ ଫଲୋ କରି ଏକ କାର କେନାଲ ଭିତରକୁ ଖସି ପଡିଥିଲା । ସୌଭାଗ୍ୟବସତଃ ୩ ଜଣ ସୁରକ୍ଷିତ ରହିଥିଲେ ।