ନୂଆଦିଲ୍ଲୀ ୦୬/୧୧: ମହାକାଶରେ ଏଆଇ ଡାଟା ସେଣ୍ଟର୍ କରିବ ଟେକ୍ କମ୍ପାନି ଗୁଗଲ୍ । ଏହି ପ୍ରୋଜେକ୍ଟର ନାଁ ଦିଆଯାଇଛି ‘ସନ୍କ୍ୟାଚର୍’ । ଗୁଗଲ୍ ସିଇଓ ସୁନ୍ଦର ପିଚାଇ ଏକ୍ସ ପ୍ଲାଟ୍ଫର୍ମରେ ଏକ ପୋଷ୍ଟ୍ ଶେୟାର କରି ଏ ବିଷୟରେ କହିଛନ୍ତି । ଏହି ପ୍ରୋଜେକ୍ଟରେ ଗୁଗଲ୍ ମହାକାଶକୁ ସୌର ପ୍ୟାନେଲ୍ଯୁକ୍ତ ସାଟେଲାଇଟ୍ ପଠାଇବ । ଅର୍ଥାତ୍ ବିଜୁଳି ପାଇଁ ସୂର୍ଯ୍ୟାଲୋକର ଉପଯୋଗ ହେବ । ସାଟେଲାଇଟ୍ରେ ଗୁଗଲ୍ର ସଦ୍ୟତମ ଏଆଇ ଚିପ୍ସ ଲାଗିବ, ଯାହାକୁ ଟ୍ରିଲିୟମ୍ ଟିପିୟୁ କୁହାଯାଏ । ଏହି ଚିପ୍ସକୁ ଏଆଇର କାମ ପାଇଁ ପ୍ରସ୍ତୁତ କରାଯାଇଛି ।
ମହାକାଶକୁ ଯିବାକୁ ଥିବା ଏହି ସାଟେଲାଇଟ୍ ପରସ୍ପର ସହ ଫ୍ରି-ସ୍ପେସ୍ ଅପ୍ଟିକାଲ ଲିଙ୍କ୍ସ ନାମକ ଟେକ୍ନୋଲୋଜି ସହ ଯୋଡ଼ିହେବେ । ଅର୍ଥାତ୍, ଲେଜର ଲାଇଟ୍ ସାହାଯ୍ୟରେ ତାର ବିନା ହାଇ-ସ୍ପିଡ୍ ଡାଟା ଶେୟାର କରିବେ । ଏହା ଦ୍ୱାରା ଏଆଇର କମ୍ପ୍ୟୁଟିଙ୍ଗ୍ ଶକ୍ତିକୁ ବଢ଼ାଇବା ସହିତ ଦ୍ରୁତ କରାଯାଇ ପାରିବ । ସହଜ ଭାଷାରେ କହିଲେ, ଗୁଗଲ୍ ପୃଥିବୀରେ ବିଜୁଳିର ଅଭାବ ଓ ଅନ୍ୟ ସମସ୍ୟାରୁ ରକ୍ଷା ପାଇବା ପାଇଁ ମହାକାଶରେ ସୂର୍ଯ୍ୟର ମାଗଣା ଶକ୍ତି ଉପଯୋଗ କରି ଏଆଇକୁ ସୁପର୍ଫାଷ୍ଟ କରିବାକୁ ଚାହୁଁଛି । ସୁନ୍ଦର ପିଚାଇ ଏକ୍ସରେ ଲେଖିଛନ୍ତି, ଆମର ଟିପିୟୁ (ଟେନସର ପ୍ରୋସେସିଂ ୟୁନିଟ୍ସ) ମହାକାଶ ଅଭିମୁଖେ ବଢୁଛି । କ୍ୱାଣ୍ଟମ୍ କମ୍ପ୍ୟୁଟିଙ୍ଗ୍ରୁ ସ୍ୱୟଂଚାଳିତ ଗାଡ଼ି ଚାଳନା ପର୍ଯ୍ୟନ୍ତ ମୁନ୍ଶଟ୍ସର ଇତିହାସରୁ ପ୍ରେରିତ ପ୍ରୋଜେକ୍ଟ ସନ୍କ୍ୟାଚର୍ ମହାକାଶରେ ସ୍କେଲେବଲ ଏମ୍ଏଲ୍ ସିଷ୍ଟମ୍ ପ୍ରସ୍ତୁତ କରିବ । ସୂର୍ଯ୍ୟର ଶକ୍ତିକୁ ଉପଯୋଗ କରିବୁ କିନ୍ତୁ ଜଟିଳ ଇଞ୍ଜିନିୟରିଂ ଆହ୍ୱାନଗୁଡ଼ିକର ସମାଧାନ କରିବାକୁ ହେବ ।
ପ୍ରୋଜେକ୍ଟ ସନ୍କ୍ୟାଚର୍ ଗୁଗଲ୍ର ଏକ ଅନୁସନ୍ଧାନ ବିଚାର । ଏଥିରେ ଛୋଟ-ଛୋଟ ସାଟେଲାଇଟ୍ଗୁଡ଼ିକୁ ପୃଥିବୀର ନିମ୍ନ କକ୍ଷ ଅର୍ଥାତ୍ ସନ୍-ସିଂକ୍ରୋନସ୍ ଅର୍ବିଟ୍କୁ ଉତ୍କ୍ଷେପଣ କରାଯିବ, ଯେଉଁଠି ସର୍ବଦା ସୂର୍ଯ୍ୟରଶ୍ମି ମିଳିବ । ଗୁଗଲ୍ ଅନୁସାରେ, ୮୧ଟି ସାଟେଲାଇଟ୍ ମାତ୍ର ୧ କିମି ବ୍ୟାସ ମଧ୍ୟରେ ଉଡ଼ିବେ, ଯାହା ଦ୍ୱାରା ତଥ୍ୟ ସ୍ଥାନାନ୍ତର ସହଜ ହୋଇପାରିବ । ମହାକାଶରେ ନିରନ୍ତର ସୌର ଶକ୍ତି ମିଳିବ, ଫଳରେ ବ୍ୟାଟେରୀ ଆବଶ୍ୟକ କମ୍ ହେବ । ପ୍ରାରମ୍ଭିକ ପରୀକ୍ଷଣରେ କମ୍ପାନିକୁ ୧.୬ ଟିବିପିଏସ୍ ବାଇଡାଇରେକ୍ସନାଲ ବେଗ ମିଳିଛି ।
ଗୁଗଲ୍ ୨୦୨୭ ପ୍ରାରମ୍ଭରେ ପ୍ଲାନେଟ୍ ଲ୍ୟାବ୍ସ କମ୍ପାନି ସହ ଦୁଇଟି ପ୍ରୋଟୋଟାଇପ୍ ସାଟେଲାଇଟ୍ ଲଞ୍ଚ୍ କରିବ । ପ୍ରୋଜେକ୍ଟ ସଫଳ ହେଲେ, ମହାକାଶରେ ଏଆଇ ଟ୍ରେନିଂ ହେବ । ବଡ଼ ବଡ଼ କାମ ସହଜରେ ନିୟନ୍ତ୍ରଣ ହୋଇପାରିବ । ପରିବେଶ ସୁରକ୍ଷା ହୋଇପାରିବ ଏବଂ ପୃଥିବୀ ଉତ୍ସଗୁଡ଼ିକର ସଂରକ୍ଷଣ ହୋଇପାରିବ