ନୂଆଦିଲ୍ଲୀ, ୨୭/୯ : ଭଲ ରେଷ୍ଟୁରାଣ୍ଟ ଖୋଜିବା ହେଉ କି ଟ୍ରେନ୍ ବିମାନ ଟ୍ରାକ୍ କରିବା କିମ୍ବା କ୍ରୀଡ଼ା ସ୍କୋର ଯାଞ୍ଚ କରିବା, ଏସବୁ ପାଇଁ ସବୁଠୁ ସହଜ ପ୍ଲାଟଫର୍ମ ଗୁଗଲ। ଯେକୌଣସି ପ୍ରଶ୍ନର ଗୋଟିଏ ଉତ୍ତର ଜଷ୍ଟ ଗୁଗଲ ଇଟ୍। ଏକ ଛୋଟ ଗ୍ୟାରେଜ୍‌ରୁ ଆରମ୍ଭ ହୋଇଥିବା ଏହି କମ୍ପାନୀ ଏବେ ଦୁନିଆର ସବୁଠୁ ବଡ଼ ସର୍ଚ୍ଚ ଇଞ୍ଜିନ୍ ପାଲଟିଛି। ଆଜି ଗୁଗଲ ୨୭ ବର୍ଷରେ ପାଦ ଥାପିଛି। ସେପ୍ଟେମ୍ଵର ୨୭ରେ ଗୁଗଲକୁ ୨୭ ବର୍ଷ ଛୁଇଁଛି। ଏହି ଅବସରରେ ଗୁଗଲ ରଙ୍ଗ ବେରଙ୍ଗର ଡୁଡଲ୍ ସେୟାର କରିଛି। କାଲିଫର୍ଣ୍ଣିଆର ଏକ ଛୋଟ ଜାଗାରୁ ଆରମ୍ଭ ହୋଇଥିବା ଏହି କମ୍ପାନୀ କିଭଳି ଆଜି ଟେକ୍ନୋଲୋଜିର ସବୁଠୁ ଶକ୍ତିଶାଳୀ ଟୁଲ୍ ହୋଇପାରିଛି ତାହା ଏହି ଖାସ୍ ଡୁଡଲ୍‌ରେ ପ୍ରଦର୍ଶନ କରାଯାଇଛି। 

ଗୁଗଲର କାହାଣୀ କୌଣସି ଫିଲ୍ମର କାହାଣୀ ଠାରୁ କମ୍ ନୁହେଁ। ଏହି କାହାଣୀ ଆରମ୍ଭ ହେଉଛି ୧୯୯୮ରେ ଷ୍ଟେନଫୋର୍ଡ ୟୁନିଭରସିଟିର ଦୁଇ ଜଣ ଛାତ୍ର ଲୈରୀ ପେଜ ଓ ସର୍ଗେଈ ବ୍ରିନଙ୍କ ଠାରୁ। ଲୈରୀ ଓ ସର୍ଗେଈ ମେନଲୋ ପାର୍କର ଏକ ଗ୍ୟାରେଜରୁ ଗୁଗଲର ଆରମ୍ଭ କରିଥିଲେ। ଏହାର ମୂଳ ଲକ୍ଷ୍ୟ ଥିଲା ସାରା ଦୁନିଆର ତଥ୍ୟ ଗୋଟିଏ ପ୍ଲାଟଫର୍ମରେ ସମସ୍ତଙ୍କ ପାଇଁ ବ୍ୟବସ୍ଥିତ ଓ ସୁଲଭ କରିବା । ଯାହାକି ସଫଳ ହୋଇଛି। ୨୦୨୫ରେ ଗୁଗଲ କେବଳ ଗୋଟିଏ ସର୍ଚ୍ଚ ଇଞ୍ଜିନ୍‌ରେ ସୀମିତ ନାହିଁ, ଏହା ଏକ ବିଶାଳ ସାମ୍ରାଜ୍ୟ ତିଆରି କରିଛି। ଜିମେଲ, ୟୁଟ୍ୟୁବ, ଗୁଗଲ ମ୍ୟାପ୍, ଆଣ୍ଡ୍ରଏଡ୍ ଓ ଗୁଗଲ ଏଆଇ ଭଳି ସର୍ଭିସ୍ ଦେଉଛି। ସବୁଠୁ ବଡ଼ କଥା ହେଲା ଏହା ଲୋକମାନଙ୍କ ଦିନଚର୍ଯ୍ୟାର ଏକ ଗୁରୁତ୍ଵପୂର୍ଣ୍ଣ ଅଂଶ ପାଲଟିଛି। 

ସବୁ ଖାସ୍ ଦିନମାନଙ୍କରେ ଗୁଗଲ ତାହାର ସ୍ଵତନ୍ତ୍ର ଡୁଡଲ ତିଆରି କରେ। ଏଥର ୨୭ତମ ଜନ୍ମଦିନ ଅବସରରେ ଗୁଗଲ ଏକ ସ୍ଵତନ୍ତ୍ର ଡୁଡଲ ତିଆରି କରିଛି। ଏଥିରେ ଗୁଗଲର ପ୍ରଥମ ଲୋଗୋ ରହିଛି। ଯାହାକି ୯୦ ଦଶକର ସ୍ମୃତିକୁ ତାଜା କରୁଛି। ଗୁଗଲର ୨୭ତମ ଜନ୍ମଦିନରେ ଆସନ୍ତାକାଲିର ଝଲକ ଦେଖିବାକୁ ମିଳୁଛି। ଆଗାମୀ ଦିନରେ ଏହା ଏଆଇ ଇଣ୍ଟେଲିଜେନ୍ସ, ସ୍ମାର୍ଟ ଡିଭାଇସ୍, ଓ ନୂଆ ଟେକ୍ନୋଲୋଜି ସହ ଏକ ବଡ଼ ପରିବର୍ତ୍ତନ ଆଣିବ। 

ରେଜିଷ୍ଟ୍ରେସନ ହିସାବରେ ଗୁଗଲର ଜନ୍ମଦିନ ସେପ୍ଟେମ୍ଵର ୪ କିନ୍ତୁ କମ୍ପାନୀ ସେପ୍ଟେମ୍ଵର ୨୭ରେ ଅଫିସିଆଲି ତାହାର ଜନ୍ମଦିନ ପାଳୁଛି। ଲୈରି ପେଜ ଓ ସର୍ଗେଈ ବ୍ରିନ ଗୁଗଲର ପ୍ରତିଷ୍ଠାତା ଥିଲେ ହେଲେ ଏହା ଏବେ Alphabet Inc. ର ସହକାରୀ କମ୍ପାନୀ। ଆଲଫାବେଟ୍ ଓ ଗୁଗଲର କମାଣ ଏବେ ସୁନ୍ଦର ପିଚାଇଙ୍କ ହାତରେ ଅଛି।