ପୁରୀ, ୨୭/୦୭: ପୁରୀ ସମୁଦ୍ରକୂଳ ରାସ୍ତାର ବଳିଆପଣ୍ଡା ଅଞ୍ଚଳରେ ଭୂତ ଆତଙ୍କ ନେଇ ଗୁଜବ ଚାଲିଛି । ଏହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍‌ ହୋଇଛି । ତେବେ ଏହା କେତେ ସତ୍ୟ ଜଣାପଡ଼ିନି । 

ସୂଚନା ମୁତାବକ, ସମୁଦ୍ରକୂଳ  ରାସ୍ତାର ସିପସରୁବାଲିର ଏକ ତାରକା ହୋଟେଲ ନିକଟରେ ଶୁକ୍ରବାର ରାତିରେ କିଛି ଯୁବକ ଜନ୍ମଦିନ ପାଳନ କରି କେକ୍‌ କାଟୁଥିଲେ । ଏହି ସମୟରେ ହଠାତ୍‌ ଏକ ଦଲକା ପବନ ଆସିଥିଲା । ଯାହା ପରେ ଜଣେ ଅଦୃଶ୍ୟ ମହିଳା ଗୋଡ଼ାଇ ଗୋଡ଼ାଇ ଯୁବକମାନଙ୍କୁ ଆକ୍ରମଣ କରିଥିଲା । ଆକ୍ରମଣରେ ଜଣେ ଯୁବକଙ୍କ ପିଠି ଓ ଅନ୍ୟ ସ୍ଥାନରେ ଗୁରୁତର ଆଘାତ ଲାଗିଛି । ସେପଟେ ଜନ୍ମଦିନର ଭିଡିଓ ଉଠାଉଥିବା ଜଣେ ବ୍ୟକ୍ତି ତାଙ୍କ ମୋବାଇଲ୍‌ରେ ଭୂତର ଛବି ଓ ତାହାର କରୁଣ କନ୍ଦଣାକୁ କଏଦ କରିଥିବା ଦାବି କରିଛନ୍ତି । 

କିଛି ବର୍ଷ ତଳେ ଏଠାରେ ଜଣେ  ମହିଳାଙ୍କୁ ହତ୍ୟା କରାଯାଇଥିଲା । ଏହି  ଅତୃପ୍ତ ଆତ୍ମା ନିଜ ପ୍ରଭାବ ଏଠାରେ ଦେଖାଉଥିବା ଅଭିଯୋଗ ହୋଇଛି । କିଛି ଲୋକ ଏହାକୁ ବିଶ୍ୱାସ କରୁଥିବା ବେଳେ ଅନେକ ଅବିଶ୍ୱାସ କରୁଛନ୍ତି ।  ଅବିଶ୍ୱାସ କରୁଥିବା ଲୋକେ ଏହା ଏକ  ଷଡ଼ଯନ୍ତ୍ର ହୋଇପାରେ ବୋଲି ମତ  ଦେଇଛନ୍ତି । ତେବେ ଏନେଇ ପୁଲିସ  କିମ୍ବା ପ୍ରଶାସନର ପ୍ରତିକ୍ରିୟା ମିଳିପାରିନି ।