ନୂଆଦିଲ୍ଲୀ,୩୧।୧୨: ଭାରତରେ ଯନ୍ତ୍ରଣା କିମ୍ବା ଜ୍ୱର ଭଳି ଛୋଟମୋଟ ସମସ୍ୟାର ଚିକିତ୍ସା ପାଇଁ ବ୍ୟବହୃତ ହେଉଥିବା ପେନ୍‌କିଲର ଉପରେ କଟକଣା। ସର୍ବାଧିକ ବ୍ୟବହାର ନେଉଥିବା ନିମେସୁଲାଇଡ୍ (Nimesulide) ସମ୍ପର୍କରେ ଏକ ବଡ଼ ନିଷ୍ପତ୍ତି ନିଆଯାଇଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ୧୦୦ ମିଲିଗ୍ରାମରୁ ଅଧିକ ଡୋଜ୍ ଥିବା ‘ନିମେସୁଲାଇଡ୍’ ଓରାଲ ମେଡିସିନ୍‌ର ତିଆରି  ଏବଂ ବିକ୍ରୟ ଉପରେ ସମ୍ପୂର୍ଣ୍ଣ ନିଷେଧ ଘୋଷଣା କରିଛି। ଏଥିରୁ ସୃଷ୍ଟି ହେଉଥିବା ପାର୍ଶ୍ୱ ପ୍ରତିକ୍ରିୟାରୁ ଲୋକଙ୍କୁ ରକ୍ଷା କରିବା ପାଇଁ ଏଭଳି ନିଷ୍ପତ୍ତି ନିଆଯାଇଛି।

​​​​​​​

ନିମେସୁଲାଇଡ୍ କ’ଣ?

ନିମେସୁଲାଇଡ୍ ଏକ ନନ୍‌-ଷ୍ଟେରୋଏଡାଲ୍ ଆଣ୍ଟି-ଇନ୍‌ଫ୍ଲାମେଟୋରୀ ଔଷଧ (NSAID) ଯାହା ସାଧାରଣତଃ ଯନ୍ତ୍ରଣା, ଫୁଲା ଏବଂ ଜ୍ୱରକୁ କମାଇବା ପାଇଁ ବ୍ୟବହୃତ ହୁଏ। ତଥାପି, ଏହାର ସାଇଡ୍ ଇଫେକ୍ଟ ଯୋଗୁଁ, ଏହା ଉପରେ ଅନେକ ଦେଶରେ କଠୋର କଟକଣା ଲଗାଯାଇଛି। ପୂର୍ବରୁ ପିଲାମାନଙ୍କୁ ଏହାକୁ ଖାଇବାକୁ ଭାରତରେ ସମ୍ପୂର୍ଣ୍ଣ ନିଷେଧ ଲଗାଯାଇଥିଲା। ହେଲେ ଏବେ ୧୦୦ ମିଲିଗ୍ରାମ୍‌ରୁ ଅଧିକ ଡୋଜ୍‌ର ଓରାଲ ମେଡିସିନ୍‌କୁ ସମ୍ପୂର୍ଣ୍ଣ ଭାବରେ କଟକଣା ଲଗାଇ ଦିଆଯାଇଛି।

ଏହାର ସାଇଡ୍‌ ଇଫେକ୍ଟ

- ପେଟ ସମସ୍ୟା ଯେପରିକି ଗ୍ୟାସ୍, ଏସିଡିଟି, ପେଟ ଯନ୍ତ୍ରଣା, ବାନ୍ତି ଏବଂ ଡାଇରିଆ।

-ଲିଭର ଉପରେ ଖରାପ ପ୍ରଭାବ ପକାଇଥାଏ। ଏହା ଲିଭର ଏନଜାଇମ ବୃଦ୍ଧି, ହେପାଟାଇଟିସ୍ ଏବଂ ଗୁରୁତର ଭାବରେ ଲିଭର କ୍ଷତି କରିଥାଏ।

-ବୟସ୍କ ଏବଂ ପିଲାମାନେ ଅଧିକ ବିପଦରେ ଥାଆନ୍ତି କାରଣ ସେମାନଙ୍କର ରୋଗ ପ୍ରତିରୋଧକ ଶକ୍ତି ଦୁର୍ବଳ ହୋଇଯାଏ।

-ଆଲର୍ଜି ରିଆକ୍ସନ ଯେପରିକି ଚର୍ମରେ ଫଳିଯିବା, କୁଣ୍ଡେଇ, କିମ୍ବା ନିଶ୍ୱାସ ନେବାରେ କଷ୍ଟ।

- ଏହି ଔଷଧର ଦୀର୍ଘକାଳୀନ ବ୍ୟବହାର କିଡନୀର କାର୍ଯ୍ୟକୁ ପ୍ରଭାବିତ କରିପାରେ।