ନୟାଗଡ଼, ୦୮/୦୫ : ସରକାରୀ ଭାବେ ନିଜର କିଛି ପରିଚୟ ନାହିଁ। ପରିବାରରେ କାହାର ଆଧାର, ଭୋଟ ପରିଚୟପତ୍ର ଏପରିକି ଜନ୍ମ ପ୍ରମାଣପତ୍ର ମଧ୍ୟ ନାହିଁ । ଏମିତି ପରିବାର ନୟାଗଡ଼ ଜିଲ୍ଲାରେ ରହିଥିବା ତାହା ଅବିଶ୍ଵସନୀୟ । ବୁଧବାର ସକାଳୁ ମହୁ ସଂଗ୍ରହ ପାଇଁ ଯାଇ ପଥର ଖୋଲରେ ଫସିଥିବା ନାବାଳକ ଶିବଙ୍କ ପରିବାରକୁ ନେଇ ସମଗ୍ର ରାଜ୍ୟରେ ଏବେ ଚର୍ଚ୍ଚା । ଶିବ ଦୁଆରେ ଜିଲ୍ଲା ପ୍ରଶାସନିକ ଅଧିକାରୀ, ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ଅଧ୍ୟକ୍ଷା ପହଞ୍ଚିଥିଲେ। କେବଳ ପ୍ରଶାସନ ନୁହନ୍ତି ଶିବଙ୍କ ଗାଁ ଗଜେନ୍ଦ୍ରପଲ୍ଲୀକୁ ରାଜନେତାମାନଙ୍କ ଲମ୍ବା ଧାଡ଼ି ଲାଗିଛି। ଜିଲ୍ଲାର ବାସିନ୍ଦା ହୋଇ କେବେ ଭୋଟ ଦେବାର ଅଧିକାର ପାଇ ପାରିନାହାନ୍ତି । ଏମାନେ ବିଦ୍ୟାଳୟ କ’ଣ ଜାଣନ୍ତି ନାହିଁ ।
ଜିଲ୍ଲାପାଳ ମଧୁମିତା ରଥଙ୍କ ତଦନ୍ତ ପରେ ଶିବଙ୍କ ପରିବାରର ସମସ୍ତ ସଦସ୍ୟଙ୍କ ପାଇଁ ଆଧାର କାର୍ଡ, ଭୋଟ ପରିଚୟ ପତ୍ର ପ୍ରଶାସନ ଯୋଗାଇ ଦେଇଛି। ଶିବ ଏବଂ ତାର ଭାଇ, ଭଉଣୀମାନଙ୍କୁ ଶିକ୍ଷା ମିଳିବ । ସେମାନଙ୍କୁ ଘରବାରି ସହିତ ଆବାସ ଯୋଜନାରେ ଗୃହ ଯୋଗାଇ ଦେବାକୁ ଜିଲ୍ଲାପାଳ କହିଛନ୍ତି। ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ଅଧ୍ୟକ୍ଷା ବବିତା ପାତ୍ର, ସଦସ୍ୟ କସ୍ତୁରୀ ମିଶ୍ର ଓ ମନସ୍ମିତା ଖୁଣ୍ଟିଆ ଶିବଙ୍କ ଘରକୁ ଯାଇ ସେମାନଙ୍କ ଚଳଣି ପଚାରି ବୁଝିଥିଲେ। ପରିବାରର ପିଲାମାନଙ୍କୁ ସରକାରୀ ଆବାସିକ ବିଦ୍ୟାଳୟରେ ରଖି ପାଠପଢ଼ାଯିବାକୁ ଜିଲ୍ଲା ଶିକ୍ଷାଧିକାରୀ ଚିତ୍ତରଞ୍ଜନ ପାଣ୍ଡେଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ପରିବାରର ସମସ୍ତ ସଦସ୍ୟଙ୍କ ପାଇଁ ରେସନ କାର୍ଡ କରାଯାଇ ରାସନ ସାମଗ୍ରୀ ଏବଂ ଆବାସ ଯୋଜନାରେ ଗୃହ ଦେବାକୁ ବିଡିଓଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏସ୍ସିଏସ୍ଟି କୋଟାରେ ଘରବାରି ଯୋଗାଇ ଦେବାକୁ ତହସିଲଦାରଙ୍କୁ କହିଛନ୍ତି ।
ଏହି ଖବରଟିକୁ ପଢନ୍ତୁ- ଅପରେସନ ‘ଶିବ’ ସଫଳ : ପଥର ସନ୍ଧିରେ ଫସିଥିବା ନାବାଳକ ଉଦ୍ଧାର