କଟକ,୨୬/୦୭: ଲଗାଣ ବର୍ଷା ଓ ଏଥିଯୋଗୁଁ ଜଳବନ୍ଦୀ ସ୍ଥିତି ଉପୁଜିବାର ଆଶଙ୍କାକୁ ନେଇ ଶନିବାର କଟକ ଜିଲ୍ଲାରେ ସରକାରୀ ଛୁଟି ବାତିଲ୍ କରାଯାଇଛି । ପ୍ରବଳ ବର୍ଷା ଆଶଙ୍କା କରି ସ୍ୱତନ୍ତ୍ର ରିଲିଫ୍ କମିସନର ସବୁ ଜିଲ୍ଲାପାଳଙ୍କୁ ସତର୍କ କରାଇଛନ୍ତି ।
କଟକ ଜିଲ୍ଲାରେ ଶୁକ୍ରବାର ମଧ୍ୟରାତ୍ରିରୁ ଶନିବାର ଦିନ ୧୦ଟା ପର୍ଯ୍ୟନ୍ତ ପ୍ରବଳ ବର୍ଷାର ସମ୍ଭାବନା ରହିଥିବାରୁ କଟକ ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେବ ଶିନ୍ଦେ ଶନିବାର ସରକାରୀ ଛୁଟି ବାତିଲ୍ କରିଛନ୍ତି । ଜରୁରିକାଳୀନ ପରିସ୍ଥିତିକୁ ଦୃଷ୍ଟିରେ ରଖି କଟକ ଜିଲ୍ଲାର ସମସ୍ତ ସରକାରୀ କାର୍ଯ୍ୟାଳୟ ଖୋଲା ରହିବ । ଜିଲ୍ଲାର ସମସ୍ତ ଅଧିକାରୀ ଓ କର୍ମଚାରୀ କାର୍ଯ୍ୟାଳୟରେ ଉପସ୍ଥିତ ରହିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ଏହାର ଖିଲାପ କଲେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଇଛି ।
ଅନ୍ୟପକ୍ଷରେ ହୀରାକୁଦ ଗେଟ୍ ଖୋଲାଯିବା ପରେ ଶନିବାର ସନ୍ଧ୍ୟା ସୁଦ୍ଧା ମୁଣ୍ଡଳୀରେ ୪ ଲକ୍ଷରୁ ଅଧିକ ଘନଫୁଟ୍ ଜଳ ପ୍ରବାହିତ ହେବାର ସମ୍ଭାବନା ରହିଛି ।