ପ୍ରମୂଖ ଖବର
  • ପୁରୀ : ଦୀଘା ମନ୍ଦିର ପ୍ରତିଷ୍ଠାର ମୁଖ୍ୟ କାରଣ ଅର୍ଥ ପ୍ରଲୋଭନ: ଜଗତଗୁରୁ ଶଙ୍କରାଚାର୍ଯ୍ୟ
  • ||
  • Operation Sindoor: ଅର୍ଦ୍ଧ ସାମରିକ ବାହିନୀର ଛୁଟି ରଦ୍ଦ, ଆଲର୍ଟରେ ଗୃହ ମନ୍ତ୍ରାଳୟ
  • ||
  • ଭୁବନେଶ୍ୱର : ଯୁଦ୍ଧ ଛାନିଆରେ ପରିବା ଦୋକାନରେ ଖଚାଖଚ୍ ଭିଡ଼, ଅତ୍ୟାବଶ୍ୟକ ସାମଗ୍ରୀ କିଣି ନେଉଛନ୍ତି ଲୋକେ
  • ||
  • Operation Sindoor: ପାକିସ୍ତାନ ଛାତିରେ ଏୟାରଷ୍ଟ୍ରାଇକ୍, ଦେଖନ୍ତୁ ୯ ଆତଙ୍କୀ ଆଡ୍ଡାର ଲିଷ୍ଟ
  • ||
  • Operation Sindoor: ଭାରତୀୟ ସେନାର ତିନି ମୁଖ୍ୟଙ୍କ ସହ କଥା ହେଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ଆଜି ଦିନ ୧୦ଟାରେ ହେବ ପ୍ରେସ କନଫରେନ୍ସ
  • ||
  • ଆଇସିଏଆର୍‌ରେ ପିଜି ଏବଂ ପିଏଚ୍‌ଡି ନାମଲେଖା ପ୍ରକ୍ରିୟା ଆରମ୍ଭ, ଜୁନ୍‌ ୫ ଯାଏ ଆବେଦନ
  • ||
  • ସମ୍ଭାବ୍ୟ ଯୁଦ୍ଧ ପରିସ୍ଥିତିର ମୁକାବିଲା ପାଇଁ BMC ପକ୍ଷରୁ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍‌, ତଦାରଖ କଲେ ଖୋର୍ଦ୍ଧା ଜିଲ୍ଲାପାଳ
  • ||
  • ବୌଦ୍ଧ : ନଦୀକୁ ଶୌଚ ହେବାକୁ ଯାଇ ନିଖୋଜ ହୋଇଥିଲେ ଯୁବକ, ଉଦ୍ଧାର ହେଲା ମୃତଦେହ
  • ||

ବୁଡ଼ିଯିବ ଦେଶୀ ମାଣ୍ଡିଆ ବିହନ ! କୃଷି ବିଶେଷଜ୍ଞ ଓ ମାଣ୍ଡିଆ ରାଣୀଙ୍କ ଉଦ୍‌ବେଗ

Published By : Prameya | May 7, 2025 11:28 AM

ଜୟପୁର, ୦୭/୦୫ : କୋରାପୁଟ ଜିଲ୍ଲାରେ ଦେଶୀ ମାଣ୍ଡିଆ ବିହନ ବୁଡ଼ିଯିବାର ଆଶଙ୍କା ସୃଷ୍ଟି ହୋଇଛି । କାରଣ ଶ୍ରୀ ଅନ୍ନ ଅଭିଯାନରେ ଏବେ ହାଇବ୍ରିଡ୍‌ ମାଣ୍ଡିଆ ବିହନ ଯୋଗାଣ ଉପରେ ଗୁରୁତ୍ୱ ଦେଇଛନ୍ତି ସରକାର । ଜିଲ୍ଲାର ଚାଷୀଙ୍କ ଲାଗି ରାଜ୍ୟ ବିହନ ନିଗମକୁ ୬୧୭.୧୯ କୁଇଣ୍ଟାଲ ହାଇବ୍ରିଡ୍‌ ବିହନ ଯୋଗାଇବାକୁ ଚିଠି କରିଛନ୍ତି । ଏହା କାର୍ଯ୍ୟକାରୀ ହେଲେ ଦେଶୀ ମାଣ୍ଡିଆ ବିହନ ଲାଗି ଜିଲ୍ଲାକୁ ମିଳିଥିବା ସ୍ୱୀକୃତି ଆଉ ରହିବନି । ଦେଶୀ ଧାନ ଭଳି ଜିଲ୍ଲାରେ ପାରଂପରିକ ମାଣ୍ଡିଆର ଅବସ୍ଥା ହେବ । ଏନେଇ ଚିନ୍ତା ପ୍ରକଟ କରିଛନ୍ତି କୃଷି ବିଶେଷଜ୍ଞ ଏବଂ ମାଣ୍ଡିଆରାଣୀ ଡ. ରାଇମତି ଘିଉରିଆ ।  

ଅବିଭକ୍ତ କୋରାପୁଟ ଜିଲ୍ଲାବାସୀଙ୍କ ମୁଖ୍ୟ ଖାଦ୍ୟ ହେଉଛି ମାଣ୍ଡିଆ । ପୁଷ୍ଟିକର ଖାଦ୍ୟ ଭାବେ ଏହା ପରିଚିତ । ରାଜ୍ୟ ସରକାର ମିଲେଟ ମିଶନ ଆରମ୍ଭ କରିବା ପରେ ଜିଲ୍ଲାରେ ଏହାର ଉତ୍ପାଦନ ବଢ଼ିବାରେ ଲାଗିଛି । ସରକାର ପ୍ରୋତ୍ସାହନ ଦେଉଥିବାରୁ ଦେଶୀ ମାଣ୍ଡିଆ ବିହନ ବ୍ୟବହାର କରି ଉତ୍ପାଦନ ବୃଦ୍ଧି କରିଛନ୍ତି ଚାଷୀ । ମଣ୍ଡି ବ୍ୟବସ୍ଥା ସହ ସର୍ବନିମ୍ନ ମାଣ୍ଡିଆ ଦର ବଢ଼ାଯାଇଥିବାରୁ ଚାଷୀଙ୍କ ଆୟ ବଢ଼ିଛି । ସ୍ୱାମୀନାଥନ ଗବେଷଣା ପ୍ରତିଷ୍ଠାନର ନିର୍ଦ୍ଦେଶକ ଡ. ପ୍ରଶାନ୍ତ ପରିଡ଼ା କହିଛନ୍ତି, ନିରନ୍ତର ଗବେଷଣାରୁ ଜଣାପଡ଼ିଛି ଦେଶୀ କିସମ ମାଣ୍ଡିଆରେ ଫାଇବର, ପ୍ରୋଟିନ୍‌, ଶକ୍ତି, ଫ୍ଲୋଭାନଏଡ୍‌ସ, ଭିଟାମିନ୍‌ ସି ଏବଂ ଆଣ୍ଟି ଅକ୍ସିଡାଣ୍ଟ ପରିମାଣ ଅଧିକ ରହିଛି । ଅନ୍ୟ ହାଇବ୍ରିଡ୍‌ କିସମ ଅପେକ୍ଷା ଏହା ଅଧିକ ପୁଷ୍ଟିକର । ସବୁଠାରୁ ବଡ଼ କଥା ହେଲା, ଜଳବାୟୁ ପରିବର୍ତ୍ତନଜନିତ ପରିସ୍ଥିତିର ସଫଳ ମୁକାବିଲା ପାଇଁ କୋରାପୁଟର ଦେଶୀ ମାଣ୍ଡିଆ ବେଶ୍‌ ଫଳପ୍ରଦ ସାବ୍ୟସ୍ତ ହୋଇଛି । 

ଦେଶୀ ବିହନ ଏଠାକାର ଜଳବାୟୁ ଅନୁକୂଳ ଏବଂ ମରୁଡ଼ି ପ୍ରତିରୋଧକାରୀ । ଦେଶୀବିହନ ବ୍ୟବହାର ଯୋଗୁ ଜିଲ୍ଲାକୁ ୨୦୧୨ରୁ ଏଫଏକ୍ୟୁ ଦ୍ୱାରା ଜିଆଇଏଏଚ୍‌ଏସ୍‌( ଗ୍ଲୋବାଲ ଇମ୍ପୋଟେଣ୍ଟ ଏଗ୍ରିକେଲଚରାଲ୍‌ ହେରିଟେଜ୍‌ ସିଷ୍ଟମ)ର ସ୍ୱୀକୃତି ମିଳିଛି । ହାଇବ୍ରିଡ୍‌ ବିହନ ବ୍ୟବହାର କଲେ ମିଳିଥିବା ସ୍ୱୀକୃତିର ବିରୋଧାଭାଷ ହେବ । ଦେଶୀ ମାଣ୍ଡିଆ ବିହନ ଲାଗି କୋରାପୁଟ ଯେଉଁ ଗର୍ବ ଓ ଗୌରବ ଆଣିଛି ତାହା ନଷ୍ଟ ହୋଇଯିବ । ସରକାର ତୁରନ୍ତ ନିଷ୍ପତ୍ତି ବଦଳାଇ ପାରମ୍ପରିକ ଦେଶୀ ବିହନ ଯୋଗାଣ ଦିଗରେ ପଦକ୍ଷେପ ନେବା ଦରକାର । କାଳିଆ ମାଣ୍ଡିଆ, ତେଲୁଗୁ ମାଣ୍ଡିଆ, ଜାମ ମାଣ୍ଡିଆ, ଭାଲୁ ମାଣ୍ଡିଆ, ବଡ଼ତାରା ମାଣ୍ଡିଆ ଭଳି ଦେଶୀ ବିହନ ବି ଅଧିକ ଅମଳକ୍ଷମ । ଶ୍ରୀ ଅନ୍ନ ଅଭିଯାନ ଯୋଜନାରେ ଚାଷୀଙ୍କୁ ଏଭଳି ଅଧିକ ଅମଳକ୍ଷମ ଦେଶୀ ବିହନ ଯୋଗାଇ ଦିଆଯାଉ । ଚାଷୀମାନେ କହିଛନ୍ତି, ଏ ଅଞ୍ଚଳରେ ହାଇବ୍ରିଡ୍‌ ମାଣ୍ଡିଆ ଚାଷ ହୋଇନି । ନୂଆରେ ଏହାକୁ ଚାଷ କଲେ ଏଠାର ଜଳବାୟୁରେ ସଫଳ ହୋଇନପାରେ । ସେମାନଙ୍କ ଅନିଚ୍ଛା ସତ୍ତେ୍ୱ ହାଇବ୍ରିଡ ମାଣ୍ଡିଆ ବିହନ ଯୋଗାଇଲେ ବିରୋଧ କରାଯିବ । ଦରକାର ପଡ଼ିଲେ ଆନ୍ଦୋଳନ କରାଯିବ ।  

ମାଣ୍ଡିଆରାଣୀ ଭାବେ ପରିଚିତ କୁନ୍ଦୁରା ବ୍ଲକର ରାଇମତି ଦେଶୀ ମାଣ୍ଡିଅ ବିହନ ସଂରକ୍ଷଣ କରିବା ସହ ଚାଷୀଙ୍କୁ ଉତ୍ସାହିତ କରିଆସୁଛନ୍ତି । ଏଥିଲାଗି ତାଙ୍କୁ ଓୟୁଏଟି ପକ୍ଷରୁ ଡକ୍ଟରେଟ୍‌ ଉପାଧି ମିଳିଛି । ଜାତୀୟ, ଅନ୍ତର୍ଜାତୀୟସ୍ତରରେ ସେ ବେଶ୍‌ ପରିଚିତ । ଏବେ ସରକାର ହାଇବ୍ରିଡ୍‌ ବିହନ ଯୋଗାଇବାକୁ ଚିଠି କରିବା ପରେ ଦେଶୀ ମାଣ୍ଡିଆର ଭବିଷ୍ୟତକୁ ନେଇ ସେ ଚିନ୍ତା ପ୍ରକଟ କରିଛନ୍ତି । ଡ. ରାଇମତି କହିଛନ୍ତି, ଯଦି ହାଇବ୍ରିଡ୍‌ ବିହନକୁ ସରକାର ପ୍ରୋତ୍ସାହିତ କରିବେ ତାହେଲେ ବହୁ ଦେଶୀ ଧାନ ଭଳି ଏହା ବି ଜିଲ୍ଲାରୁ ଲୋପ ପାଇଯିବ । ପାରମ୍ପରିକ ମାଣ୍ଡିଆ ବିହନ ସଂରକ୍ଷଣ ଲାଗି ସେ ଦୀର୍ଘବର୍ଷ ଧରି କରିଆସୁଥିବା ଉଦ୍ୟମ ବୃଥା ଯିବ । ଜିଲ୍ଲାର ଚାଷୀ ଦେଶୀ ବିହନ ବ୍ୟବହାର କରି ଅଧିକ ଅମଳ କରୁଛନ୍ତି । ଅଥଚ ସରକାର ହାଇବ୍ରିଡ୍‌ ବିହନ ମୋହରେ ପଡ଼ିଛନ୍ତି । ଜିଲ୍ଲାରେ ଅଧିକ ଅମଳକ୍ଷମ ଦେଶୀ ବିହନର ଅଭାବ ନଥିବାରୁ ସରକାର ହାଇବ୍ରିଡ୍‌ ବିହନ ଯୋଗାଣ ନିଷ୍ପତ୍ତିର ପୁନଃ ବିଚାର କରନ୍ତୁ ।  

ସୂଚନାଥାଉ କି, ଜିଲ୍ଲାରେ ଉପଲବ୍ଧ ଥିବା ଦେଶୀ ମାଣ୍ଡିଆ ମଧ୍ୟରେ ରହିଛି ବଡକୁମୁଡ଼ା, ବଡ଼ତାରା, ବଡଚିଙ୍ଗୁଲ, ବାଟି, ଭାଡି, ବିରି, ଚିଲି, ଚିଲିକାଙ୍ଗରା ଚିରାୟୁ, ଡଙ୍ଗରଦେଇ, ଦୁଧାକରଙ୍ଗା, ଦଶହରା, ଜାମ, ଜନା, ଝିପା, କାଳିଆ, କାଙ୍ଗୁରୁ, କୁର୍‌କୁଟି, ଲଡୁ, ଲାଲସୁରା, ଲଙ୍କାମରିଚ, ଲିମକା, ମସକୁନି, ମୁଣ୍ଡେଇ ମୁସକୁଲ, ମୁରଦା, ପନକାଖଇ, ସାନତାରା, ଶିଲଜନା, ସୀତାଦେଲ, ସୁଲିଜହ୍ନ, ତୟା, ଟୁମୁରାଜାମ ମାଣ୍ଡିଆ, ଜନ ମାଣ୍ଡିଆ, ଦୁଶେରା ମାଣ୍ଡିଆ, ଭାଲୁ ମାଣ୍ଡିଆ, କାଳିଆ ମାଣ୍ଡିଆ, ବାଟି ମାଣ୍ଡିଆ, ସାନା ମାଣ୍ଡିଆ ଇତ୍ୟାଦି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.