ଭୁବନେଶ୍ୱର,୧୮/୦୩: ରାଜ୍ୟରୁ ଦୂର ହେବ ଏଲପିଜି(ରନ୍ଧନ ଗ୍ୟାସ) ସମସ୍ୟା । ଏଥିପାଇଁ ସରକାର ସିଟି ଗ୍ୟାସ ଭିତ୍ତିଭୂମିକୁ ତ୍ୱରାନ୍ୱିତ କରିବେ । ଏନେଇ ଏକ ଜରୁରୀକାଳୀନ ରୋଡମ୍ୟାପ୍ ପ୍ରସ୍ତୁତ କରାଯାଇଛି । ଏସଂକ୍ରାନ୍ତରେ ଆଜି ଲୋକସେବା ଭବନଠାରେ ମୁଖ୍ୟ ଶାସନସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଗ୍ୟାସ୍ ଭିତ୍ତିଭୂମି ନିର୍ମାଣରେ ଥିବା ସମସ୍ୟାର ସମାଧାନ ପାଇଁ ବିସ୍ତୃତ ଆଲୋଚନା ହୋଇଥିଲା । ବିଶେଷକରି ଘରୋଇ ଖାଉଟି ଏବଂ ବାଣିଜ୍ୟିକ ପ୍ରତିଷ୍ଠାନ ଯଥା: ଡାକ୍ତରଖାନା, ହୋଟେଲ ଓ ରେସ୍ତୋରାଂ ଗୁଡ଼ିକୁ ଏଲ୍ପିଜି ପରିବର୍ତ୍ତେ ପାଇପ୍ ପ୍ରାକୃତିକ ଗ୍ୟାସ୍(ପିଏନଜି) ଏବଂ ସିଏନ୍ଜି ବ୍ୟବହାର କରିବା ପାଇଁ ପ୍ରୋତ୍ସାହିତ କରିବାକୁ ଗୁରୁତ୍ୱ ଦିଆଯାଇଥିଲା ।

ଏହି ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ପରେ ପାଇପ୍ ପ୍ରାକୃତିକ ଗ୍ୟାସ୍(ପିଏନଜି) ଏବଂ ସିଏନ୍ଜି ପାଇଁ ଆବଶ୍ୟକ ପ୍ରଶାସନିକ ଅନୁମତି ଏବଂ ଭିତ୍ତିଭୂମି ବିକାଶ କାର୍ଯ୍ୟକୁ "ଯୁଦ୍ଧକାଳୀନ ଭିତ୍ତିରେ' ଶେଷ କରିବାକୁ ରାଜ୍ୟ ପ୍ରଶାସନ ନିର୍ଦ୍ଦେଶ ଦେଇଛନ୍ତି । ବର୍ତ୍ତମାନର ଭୂ-ରାଜନୈତିକ ପରିସ୍ଥିତି ଯୋଗୁଁ ଆନ୍ତର୍ଜାତୀୟ ପେଟ୍ରୋଲିୟମ ଯୋଗାଣ ଶୃଙ୍ଖଳା ବାଧାପ୍ରାପ୍ତ ହାଇଛି । ଭାରତ ସରକାରଙ୍କ ଅତ୍ୟାବଶ୍ୟକ ସାମଗ୍ରୀ ଆଇନ ଅନୁଯାୟୀ, ଓଡ଼ିଶା ଏବେ ପ୍ରାକୃତିକ ଗ୍ୟାସ୍ ବ୍ୟବହାରକୁ ପ୍ରାଥମିକତା ଦେଉଛି । ଆସନ୍ତା ଜୁନ ୩୦ ସୁଦ୍ଧା ଭିତ୍ତିଭୂମି କାର୍ଯ୍ୟକୁ ଦ୍ରୁତଗତିରେ ଶେଷ କରିବା ପାଇଁ ଲକ୍ଷ୍ୟ ରଖିଛନ୍ତି ସରକାର । ଏଥିପାଇଁ ମ୍ୟୁନିସିପାଲିଟି କର୍ପୋରେସନ୍, ପୂର୍ତ୍ତ ବିଭାଗ ଏବଂ ଜଳସମ୍ପଦ ବିଭାଗ ନିକଟରେ ପାଇପଲାଇନ ବିଛାଇବା ପାଇଁ ଥିବା ସମସ୍ତ ଆବେଦନକୁ ୨୪ ଘଣ୍ଟା ମଧ୍ୟରେ କ୍ଲିୟରାନ୍ସ ଦିଆଯିବ ।

ଆହୁରି ପଢନ୍ତୁ- ଅଗ୍ନିକାଣ୍ଡରେ SCB ଟ୍ରମା ଆଇସିୟୁ ଛାରଖାର, ଗୁରୁତରଙ୍କୁ ମିଳୁନି ବେଡ୍, ଚଟାଣରେ ଗଡ଼ୁଛନ୍ତି ରୋଗୀ

ସିଟି ଗ୍ୟାସ୍ ସଂସ୍ଥାଗୁଡ଼ିକ ପାଇଁ ରାସ୍ତା ମରାମତି ଶୁଳ୍କ ଏବଂ ଅନୁମତି ଶୁଳ୍କ ଛାଡ଼ କରିବାକୁ ସହରାଞ୍ଚଳ ସଂସ୍ଥାକୁ ନିର୍ଦ୍ଦେଶ ଦିଆଯାଇଛି । ଜରୁରୀକାଳୀନ ସ୍ଥିତିକୁ ଦୃଷ୍ଟିରେ ରଖି ସିଟି ଗ୍ୟାସ୍ ସଂସ୍ଥାଗୁଡ଼ିକୁ ଦିନରାତି କାର୍ଯ୍ୟ କରିବା ପାଇଁ ଅନୁମତି ଦିଆଯାଇଛି । ଶିଳ୍ପ, ନଗର ଉନ୍ନୟନ ଏବଂ ଖାଦ୍ୟ ଯୋଗାଣ ବିଭାଗ ମଧ୍ୟରେ ସମନ୍ୱୟ ରକ୍ଷା ପାଇଁ ଏକ ରାଜ୍ୟସ୍ତରୀୟ ନୋଡାଲ୍ ଅଫିସର ନିଯୁକ୍ତ କରାଯିବ । ଘରୋଇ ଗ୍ରାହକମାନଙ୍କୁ ପିଏନଜି ସଂଯାଗ ପାଇଁ ରିହାତି ପ୍ରଦାନ କରିବାକୁ ଗେଲ୍, ବିପିସିଏଲ ଏବଂ ଆଦାନୀ ଟୋଟାଲ ଗ୍ୟାସ୍ ଭଳି ସଂସ୍ଥାଗୁଡ଼ିକୁ ମଧ୍ୟ ସରକାର ପ୍ରୋତ୍ସାହିତ କରୁଛନ୍ତି । ଏହି ବୈଠକରେ ଶିଳ୍ପ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେମନ୍ତ ଶର୍ମା, ଗୃହ ଓ ନଗର ଉନ୍ନୟନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଉଷା ପାଢ଼ୀ ଏବଂ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ପ୍ରମୁଖ ସଚିବ ସଂଜୟ କୁମାର ସିଂଙ୍କ ସମେତ ଗେଲ୍, ବିପିସିଏଲ୍ ଏବଂ ଆଦାନୀ ଟାଟାଲ ଗ୍ୟାସ୍ ଭଳି ପ୍ରମୁଖ ସଂସ୍ଥାର ପ୍ରତିନିଧିମାନେ ଯୋଗଦେଇଥିଲେ ।