ଭୁବନେଶ୍ୱର,୧୯/୧୧ : ଲିଙ୍ଗଗତ ସମାନତାର ଅଭିବୃଦ୍ଧି ଓ ବିପର୍ଯ୍ୟୟଜନିତ ଆପଦ ହ୍ରାସ ସୁନିଶ୍ଚିତ କରୁଥିବା ପ୍ରଶାସନ ନିମନ୍ତେ ଜାତୀୟ କର୍ମଶାଳା ଆରମ୍ଭ ହୋଇଛି । ଏହି ଦୁଇ ଦିନିଆ କର୍ମଶାଳା ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ (ଓସ୍ଡମା), ମିଳିତ ଜାତିସଂଘ ଜନସଂଖ୍ୟା ପାଣ୍ଠି (ୟୁଏନ୍ଏଫ୍ପିଏ) ସହଯୋଗରେ ସାରା ଭାରତରେ ବିପର୍ଯ୍ୟୟଜନିତ ଆପଦ ହ୍ରାସ କ୍ଷେତ୍ରରେ ଦାୟିତ୍ୱସଂପନ୍ନ ପ୍ରଶାସନ ନିଶ୍ଚିତ ଭାବେ ମାର୍ଗଦର୍ଶନ ଦେବ । ଏହି କାର୍ଯ୍ୟକ୍ରମରେ ଜାତୀୟ ବିପର୍ଯ୍ୟୟ ପରିଚାଳନା ସଂସ୍ଥା, ଓଡ଼ିଶା ସରକାର ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ ବରିଷ୍ଠ ଅଧିକାରୀ, ମିଳିତ ଜାତିସଂଘ ସଂସ୍ଥା ବିକାଶ ସହଭାଗୀ ଶିକ୍ଷା ପ୍ରତିଷ୍ଠାନ ଏଥିରେ ଯୋଗଦେଇଥିଲେ ।
ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ କହିଲେ ଯେ, ବିପର୍ଯ୍ୟୟ ପରିଚାଳନାରେ ଓଡ଼ିଶାର ଉଲ୍ଲେଖନୀୟ ସଫଳତା ପାଇଁ ବିଶ୍ୱସ୍ତରୀୟ ସ୍ୱୀକୃତି ସହ ଓଡ଼ିଶା ଆଜି ଅନ୍ୟମାନଙ୍କ ପାଇଁ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ରୋଲ ମଡେଲ ସାଜିଛି । ଏହା ହେଉଛି ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ସରକାରଙ୍କର ପ୍ରତିଶ୍ରୁତିବଦ୍ଧତା, ଆନ୍ତରିକତା ଓ ନିଷ୍ଠାପର ଭାବେ ଦାୟିତ୍ୱ ସମ୍ପାଦନର ନିଚ୍ଛକ ଉଦାହରଣ । ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କର୍ମଶାଳାର ଗୁରୁତ୍ୱ ଉପରେ ଆଲୋକପାତ କରି କହିଲେ ଯେ, ସରକାର ସବୁବେଳେ ଜନକେନ୍ଦ୍ରୀୟ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଅଗ୍ରାଧିକାର ଦେଇ ଆସୁଛନ୍ତି । ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଘଟୁଥିବା ଆପଦକାଳୀନ ସ୍ଥିତିରୁ ଆମେ ଯେଉଁ ପରିଚାଳନାଜନିତ ଅଭିଜ୍ଞତା ଆହରଣ କରୁଅଛୁ । ସଂକଟ ସମୟରେ ସେ ସବୁର ଉପଯୋଗ କରି ଜନସାଧାରଣଙ୍କୁ ସୁରକ୍ଷା ଦେବା ତଥା ଶୂନ୍ୟ ମୃତ୍ୟୁହାର ନିଶ୍ଚିତ କରିବା ଦିଗରେ ସରକାର ସବୁବେଳେ ପ୍ରୟାସ କରି ଆସୁଛନ୍ତି ।
ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ଓଡ଼ିଶା ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ ପରିଚାଳନା ନିର୍ଦ୍ଦେଶକ ଦେଓରଞ୍ଜନ କୁମାର ସିଂହ କହିଲେ ଯେ, ଓଏସ୍ଡିଏମ୍ଏ ସବୁବେଳେ ଗୋଷ୍ଠୀଗତ ସହଭାଗିତା ତଥା ସ୍ବେଚ୍ଛାସେବୀମାନଙ୍କ ଦକ୍ଷତା ବୃଦ୍ଧି କ୍ଷେତ୍ରରେ ଆମେ ନିରନ୍ତର ଭାବେ ଚେଷ୍ଟାରତ । ଆମେ ସବୁବେଳେ ଆପଦକାଳୀନ ସ୍ଥିତିର ସାମ୍ନା କରିବା ପାଇଁ ପ୍ରାକ୍ ପ୍ରସ୍ତୁତି ଓ ତ୍ୱରିତ୍ କାର୍ଯ୍ୟାନୁଷ୍ଠାନ ଉପରେ ଗୁରୁତ୍ୱ ଦେଉଛୁ ଏବଂ ଜରୁରୀକାଳୀନ ସ୍ଥିତିରେ ଜନସାଧାରଣଙ୍କ ନିକଟତର ହୋଇ ସେମାନଙ୍କୁ ସୁରକ୍ଷା ଦେବା ପାଇଁ ଆମେ ସବୁବେଳେ ଚେଷ୍ଟା କରି ଆସୁଛୁ ।
ଏହି ସମ୍ମିଳନୀରେ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ବିଶେଷଜ୍ଞମାନେ ସେମାନଙ୍କର ସୁଚିନ୍ତିତ ମତ ଉପସ୍ଥାପନ କରିବା ସହ ଅନ୍ତର୍ଭୁକ୍ତୀକରଣକୁ ସମନ୍ୱିତ କରିବାର ଆବଶ୍ୟକତା ଉପରେ ଆଲୋଚନା କରିଥିଲେ । ଏଥିରେ ଦେଶର ବିଭିନ୍ନ ରାଜ୍ୟର ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ପରସ୍ପର ମଧ୍ୟରେ ଉତ୍ତମ ବ୍ୟବସ୍ଥାଜନିତ ପଦକ୍ଷେପ ଆଦାନ ପ୍ରଦାନ ଓ ନବସୃଜନ କ୍ଷେତ୍ରରେ ଅଂଶୀଦାର ଓ ବିପର୍ଯ୍ୟୟ ଆପଦ ହ୍ରାସଜନିତ ଇକୋସିଷ୍ଟମ୍କୁ ଆଗକୁ ବଢ଼ାଇ ନେବା ପାଇଁ ସହଯୋଗର ରଣନୀତି ଠିକ୍ କରିବା ଭଳି କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ପ୍ଲାଟ୍ଫର୍ମ ସାବ୍ୟସ୍ତ ହୋଇପାରିଛି । ଓଡ଼ିଶାର ପ୍ରତିଶ୍ରୁତିବଦ୍ଧତାକୁ ଦୃଢ଼ ଭାବେ ସମର୍ଥନ କରି ଉପସ୍ଥିତ ଅଂଶଗ୍ରହଣକାରୀମାନେ ଏହି ସିଦ୍ଧାନ୍ତରେ ପହଞ୍ଚିଥିଲେ ଯେ, ଜଳବାୟୁ ପରିବର୍ତ୍ତନଜନିତ ବିପଦ ଦିନକୁ ଦିନ ତୀବ୍ର ହେଉଛି । ଏଥିପାଇଁ ବ୍ୟାପକ ଜନସଚେତନତା, ଆନ୍ତରିକତା, ନିଷ୍ଠା ଓ ଦାୟିତ୍ୱପୂର୍ଣ୍ଣ ଭାବରେ ପରିବେଶର ସୁରକ୍ଷା କ୍ଷେତ୍ରରେ କାର୍ଯ୍ୟ କରିବାର ଆବଶ୍ୟକତା ରହିଛି । ଓଏସ୍ଡିଏମ୍ଏ, ୟୁଏନ୍ଏଫ୍ପିଏ ଏବଂ ସହଭାଗୀ ସଂସ୍ଥାଗୁଡ଼ିକ ଏ କ୍ଷେତ୍ରରେ ଜନସାଧାରଣଙ୍କ ସହଯୋଗ ସହ ବିଜ୍ଞାନ ଓ ବୈଷୟିକ ଶିକ୍ଷା ଆଧାରିତ ପଦକ୍ଷେପ ବିପର୍ଯ୍ୟୟ ପରିଚାଳନାକୁ ନିଶ୍ଚିତ ଭାବେ ଆଗକୁ ବଢ଼ାଇବା ପାଇଁ ପ୍ରୋତ୍ସାହିତ କରିବ ଓ ଏଥିରେ ସମସ୍ତ ବର୍ଗର ଭାଗୀଦାରି ସାବ୍ୟସ୍ତ ହୋଇପାରିବ ।