ଭୁବନେଶ୍ବର,୨୦/୦୨: ଆର୍ଥିକ ବର୍ଷ ୨୦୨୬-୨୭ ପାଇଁ ଶୁକ୍ରବାର ବିଧାନସଭାରେ ବଜେଟ ମୁଣି ଖୋଲିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ରାଜ୍ୟରେ ବିକାଶର ଦିଗକୁ ତ୍ବରାନ୍ବିତ କରିବା ତଥା ସାଧାରଣ ଜନତାଙ୍କ ଜୀବନଶୈଳୀରେ ଉନ୍ନତି ଆଣିବାକୁ ଚଳିତ ଆର୍ଥିକ ବର୍ଷରେ ୩ ଲକ୍ଷ ୧୦ ହଜାର କୋଟି ଟଙ୍କାର ବଜେଟ ଉପସ୍ଥାପନ କରାଯାଇଛି। ସମସ୍ତ ତମାମ ବିଭାଗ ଗୁଡ଼ିକ ମଧ୍ୟରୁ ଉଚ୍ଚଶିକ୍ଷା ମାଧ୍ୟମରେ ରାଜ୍ୟର ଛାତ୍ରଛାତ୍ରୀମାନଙ୍କର ସର୍ବାଙ୍ଗୀନ ବିକାଶ ଉପରେ ଗୁରୁତ୍ବାରୋପ କରିଛନ୍ତି ରାଜ୍ୟ ସରକାର।

ରାଜ୍ୟର ସମସ୍ତ ବିଶ୍ବବିଦ୍ୟାଳୟ, ସରକାରୀ କଲେଜ ଏବଂ ବେସରକାରୀ ଅନୁଦାନପ୍ରାପ୍ତ କଲେଜଗୁଡ଼ିକର ଭିତ୍ତିଭୂମି ବିକାଶ ପାଇଁ ୪ ଶହ ୭୦ କୋଟି ଟଙ୍କାର ପ୍ରସ୍ତାବ ରଖିଛନ୍ତି ମୁଖ୍ୟମନ୍ତ୍ରୀ। ଏହା ବ୍ୟତୀତ ଗୁଣାତ୍ମକ ଶିକ୍ଷାର ଆଧୁନିକୀକରଣ ପାଇଁ ୫୦ କୋଟି ଟଙ୍କା ଏବଂ ସରକାରୀ ଏବଂ ଅନୁଦାନପ୍ରାପ୍ତ କଲେଜଗୁଡ଼ିକରେ ପରୀକ୍ଷାଗାର ପାଇଁ ୨୫ କୋଟି ଟଙ୍କା ପ୍ରସ୍ତାବ ଦେଇଛନ୍ତି ରାଜ୍ୟ ସରକାର।

ରାଜ୍ୟ ବଜେଟ ସମ୍ପର୍କିତ ଖବର ପଢ଼ନ୍ତୁ: ବଜେଟ୍ ୨୦୨୬-୨୭ :୧୬ ନୂଆ ପଦକ୍ଷେପ ଗ୍ରହଣ କଲେ ସରକାର

ସେହିଭଳି ଉଚ୍ଚଶିକ୍ଷା ହାସଲରେ ସମାନ ସୁଯୋଗ ପାଇଁ "ମୁଖ୍ୟମନ୍ତ୍ରୀ ମେଧାବୀ ଛାତ୍ର ପ୍ରୋତ୍ସାହନ ଯୋଜନା"କୁ ଜାରି ରଖିବାକୁ ପ୍ରସ୍ତାବ ରଖିଛନ୍ତି ମୁଖ୍ୟମନ୍ତ୍ରୀ। ଇ-ମେଧାବୃତ୍ତି ଜରିଆରେ ସ୍ନାତକୋତ୍ତର ଛାତ୍ରଛାତ୍ରୀଙ୍କ ପାଇଁ ବାର୍ଷିକ ୧୦ ହଜାର ଟଙ୍କା ଏବଂ ସ୍ନାତକୋତ୍ତର ଛାତ୍ରଛାତ୍ରୀଙ୍କ ପାଇଁ ୧୫ ହଜାର ଟଙ୍କା ବୃଦ୍ଧିର ବ୍ୟବସ୍ଥା ରହିଛି। ସେହିପରି ବ୍ୟାସକବୀ ଫକୀର ମୋହନ ଛାତ୍ରବୃତ୍ତି ବୃଦ୍ଧି ଯୋଜନାରେ +୩ ଓଡ଼ିଆ ସମ୍ମାନ ପାଇଁ ଛାତ୍ର ପିଛା ୨୦ ହଜାର ଟଙ୍କା ବୃଦ୍ଧି ଏବଂ ସ୍ନାତକୋତ୍ତର ସ୍ତରରେ ୩୦ ହଜାର ଟଙ୍କା ବୃଦ୍ଧିର ବ୍ୟବସ୍ଥା ରହିଛି ।

ଗୋପବନ୍ଧୁ ଶିକ୍ଷା ସହାୟତା ଯୋଜନା ବଞ୍ଚିତ ଛାତ୍ରଛାତ୍ରୀଙ୍କୁ ବାର୍ଷିକ ୨୦ ହଜାର ଟଙ୍କା ଏବଂ ବିଦେଶରେ ସ୍ନାତକୋତ୍ତର ଏବଂ ଡକ୍ଟରାଲ ଅଧ୍ୟୟନ ପାଇଁ ୫୦ ଲକ୍ଷ ଟଙ୍କାର ସୀମା ସହିତ ୫୦ ଜଣ ଅନୁସୂଚିତ ଜାତି/ଜନଜାତି ଛାତ୍ରଛାତ୍ରୀଙ୍କ ପାଇଁ ବିଦେଶ ଶିକ୍ଷାବୃତ୍ତି ପ୍ରଦାନ କରାଯିବ । ଏହା ବ୍ୟତୀତ ଗୋଦାବରୀଶ ବିଦ୍ୟାର୍ଥୀ ପ୍ରୋତ୍ସାହନ ଯୋଜନା ଅଧୀନରେ +୨ ପାସ୍ କରିଥିବା ୧୫ ହଜାର ମେଧାବୀ ଛାତ୍ରଛାତ୍ରୀଙ୍କୁ ଲାପଟପ କିଣିବା ପାଇଁ ବାର୍ଷିକ ୩୦ ହଜାର ଟଙ୍କା ଲେଖାଏଁ ପ୍ରୋତ୍ସାହନ ରାଶି ପ୍ରଦାନ କରାଯିବ ।

ଅଧିକ ପଢ଼ନ୍ତୁ: ପୁରୀ ଐତିହ୍ୟର ପୁନରୁଦ୍ଧାର ପାଇଁ ୧୦୦୦ କୋଟି, “ସମର୍ପଣ” ନାମରେ ଶ୍ରୀମନ୍ଦିରରେ ଆରମ୍ଭ ହେବ ଅନଲାଇନ ଦାନ ପ୍ଲାଟ ଫର୍ମ “ଡିଜିଟାଲ ହୁଣ୍ଡି”...

ଗ୍ରାମାଞ୍ଚଳ ଏବଂ ସହରାଞ୍ଚଳରେ ଅଧିକ ମହିଳା ନାମଲେଖା ଏବଂ ଶିକ୍ଷାକୁ ବଜାୟ ରଖିବା ଲକ୍ଷ୍ୟରେ ଆବାସ ଏବଂ ନିରାପତ୍ତା ସୁନିଶ୍ଚିତ କରିବା ପାଇଁ, ୨୦୨୬-୨୭ କେନ୍ଦ୍ର ବଜେଟରେ ଭାରତର ପ୍ରତ୍ୟେକ ଜିଲ୍ଲାରେ ଗୋଟିଏ ବାଳିକା (ମହିଳା) ହଷ୍ଟେଲ ପାଇଁ ଘୋଷଣା କରାଯାଇଛି। ଏହି ପଦକ୍ଷେପର ପରିପୂରକ ଭାବେ, ଉଚ୍ଚଶିକ୍ଷା ସଂସ୍ଥାନଗୁଡ଼ିକରେ ଛାତ୍ରୀମାନଙ୍କ ପାଇଁ ହଷ୍ଟେଲ୍ ନିର୍ମାଣ ପାଇଁ ଏକ ନୂତନ ଯୋଜନାର ପ୍ରସ୍ତାବ ରଖିଛନ୍ତି ମୁଖ୍ୟମନ୍ତ୍ରୀ। ସେହିଭଳି କେନ୍ଦ୍ରାପଡ଼ା, ଜଗତସିଂହପୁର, ଭଦ୍ରକ ଏବଂ ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟାଳୟରେ ୪ଟି ନୂତନ ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା କରାଯିବା ନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। ଏହି ନୂତନ ଅନୁଷ୍ଠାନଗୁଡିକ ଏନଇପି (ଜାତୀୟ ଶିକ୍ଷା ନୀତି)– ୨୦୨୦ ଅନୁଯାୟୀ ପ୍ରଥମ ଦିନରୁ ସ୍ନାତକୋତ୍ତର ପାଠ୍ୟକ୍ରମରେ ମୌଳିକ ଭାବରେ ଅଭିନବ ଶିକ୍ଷାଦାନ କାର୍ଯ୍ୟକାରୀ କରିବାର ଅନନ୍ୟ ସୁବିଧା ପାଇପାରିବେ ।

ପ୍ରମେୟ ପୃଷ୍ଠାର ପ୍ରମୁଖ ଖବର: ରାଜ୍ୟ ବଜେଟ ୨୦୨୬-୨୭ ଉପସ୍ଥାପନ କଲେ ମୁଖ୍ୟମନ୍ତ୍ରୀ; ଏହିସବୁ ବିଭାଗକୁ ଗୁରୁତ୍ବ