ଭୁବନେଶ୍ୱର, ୨୦।୨: କୌଣସି ଗାଡ଼ିର ପ୍ରଦୂଷଣ ପ୍ରମାଣପତ୍ର (ପିୟୁସିସି) ନ ଥିଲେ, ଇ-ଚାଲାଣ କାଟିବା ପାଇଁ ସରକାର ଟୋଲଗେଟ୍ଗୁଡ଼ିକୁ କିଛି ନିର୍ଦ୍ଦେଶ ଦେଇନାହାନ୍ତି । ଟୋଲଗେଟ୍ ଦେଇ କୌଣସି ଗାଡ଼ି ପାର୍ ହେଲେ, ଫାସ୍ଟ୍ୟାଗ୍ ଓ ବାହାନ/ସାରଥୀ ମାଧ୍ୟମରେ ଏହାର ଦସ୍ତାବିଜ୍ ଯାଞ୍ଚ କରାଯିବା ସହ ଆପେ ଇ-ଚାଲାଣ କଟାଯାଏ । ବିଧାନସଭାରେ ଏହି ସୂଚନା ଦେଇଛନ୍ତି ରାଜ୍ୟ ସରକାର । ପିୟୁସିସି ଓ ଟୋଲଗେଟ୍ରେ ଇ-ଚାଲାଣ କଟାଯିବାକୁ ନେଇ ସାରା ରାଜ୍ୟରେ କେଁ ଲାଗି ରହିଛି । ଏନେଇ ବିଧାୟକ ଅନନ୍ତ ନାରାୟଣ ଜେନା ପ୍ରଶ୍ନ କରିଥିଲେ ଯେ ଗାଡ଼ିର କେଉଁ କେଉଁ ଦସ୍ତାବିଜ୍ ଯାଞ୍ଚ କରାଯାଉଛି ? ପିୟୁସିସି ନଥିଲେ ଇ-ଚାଲାଣ କାଟିବା ପାଇଁ ରାଜ୍ୟ ସରକାର କେବେ ଓ କେଉଁ ଚିଠିରେ ଟୋଲଗେଟ୍ଗୁଡ଼ିକୁ ନିର୍ଦ୍ଦେଶ ଦେଇଥିଲେ ? ବାଣିଜ୍ୟ ଓ ପରିବହନ ବିଭାଗ ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କ ପ୍ରଦତ୍ତ ଉତ୍ତର ଅନୁସାରେ, ଟୋଲଗେଟ୍ କର୍ମଚାରୀ କେବେ ବି ଇ-ଚାଲାଣ ଜାରି କରନ୍ତି ନାହିଁ । ଟୋଲ୍ଗେଟ୍ରେ କୌଣସି ଗାଡ଼ି ପାର୍ ହେଲେ, ଫାସ୍ଟ୍ୟାଗ୍ ମାଧ୍ୟମରେ ଉକ୍ତ ଗାଡ଼ିର ମୋଟରଯାନ ଚଳାଚଳ ସମ୍ବନ୍ଧୀୟ ତଥ୍ୟ ଆପେ ରାଜ୍ୟ ପରିବହନ ପ୍ରାଧିକରଣ ପୋର୍ଟାଲକୁ ପଠାଯାଏ ।
ଏହା ବି ପଢ଼ନ୍ତୁ... ଉତ୍କଳ ବିଶ୍ୱବିଦ୍ୟାଳୟରେ ଅଣଛାତ୍ର ପ୍ରବେଶରେ ଲାଗିବ ରୋକ, ନିୟମ ଉଲ୍ଲଘଂନ କଲେ ପୁଲିସକୁ ହସ୍ତାନ୍ତର
ଏହି ତଥ୍ୟ ଆଧାରରେ ଏନ୍ଆଇସି ଦ୍ୱାରା ବିକଶିତ ଇ-ଡିଟେକ୍ସନସ ମଡ୍ୟୁଲ ମାଧ୍ୟମରେ ବାହାନ/ସାରଥୀ ଡାଟାବେସ୍ ସହ ମେଳ କରି ଉପଯୁକ୍ତ ଦସ୍ତାବିଜ୍ (ପିୟୁସିସି, ବୀମା) ନଥିବା ଗାଡ଼ିଗୁଡ଼ିକ ଆପେ ଚିହ୍ନଟ ହୋଇଯାଏ । ପ୍ରାଧିକୃତ ଅଧିକାରୀ ଦ୍ୱାରା ଉକ୍ତ ଗାଡ଼ିର ମାଲିକଙ୍କ ନିକଟକୁ ଆପେ ଇ-ଚାଲାଣ ପଳାଏ । ଦୁଇଚକିଆ ଯାନ ପାଇଁ ଟୋଲ୍ଗେଟ୍ରେ ଟୋଲ ଫି ଛାଡ଼ କରାଯାଇଛି । ସେମାନଙ୍କ ପାଇଁ ଫାସ୍ଟ୍ୟାଗ୍ ବ୍ୟବସ୍ଥା ନାହିଁ । କେବଳ ୪ ଚକିଆ ଓ ତା’ଠୁ ଅଧିକ ଯାନ ପାଇଁ ଫାସ୍ଟ୍ୟାଗ୍ ରହିଛି । ଏସବୁ ଗାଡ଼ିର ହିଁ ଇ-ଚାଲାଣ କଟାଯାଏ । ମୋଟରଯାନ ଆଇ ଅନୁସାରେ, ରାଜ୍ୟରେ ରେଜିଷ୍ଟ୍ରେସନ ସାର୍ଟିଫିକେଟ୍, ଡ୍ରାଇଭିଂ ଲାଇସେନ୍ସ, ପିୟୁସିସି, ବୀମା, ପରମିଟ୍, ଫିଟ୍ନେସ୍ ସାର୍ଟିଫିକେଟ୍, ଟ୍ୟାକ୍ସ ପେମେଣ୍ଟର ସ୍ଥିତିର ବୈଧତା ସମ୍ବନ୍ଧିତ ଦସ୍ତାବିଜ୍ ଯାଞ୍ଚ କରାଯାଉଛି । ଏସବୁ ଦସ୍ତାବିଜ୍ ଯାଞ୍ଚ ପାଇଁ କୌଣସି ସଂସ୍ଥାକୁ ନିୟୋଜିତ କରାଯାଇ ନାହିଁ । ସରକାରଙ୍କ ଦ୍ୱାରା କ୍ଷମତାପ୍ରାପ୍ତ ସବ୍ଇନ୍ସପେକ୍ଟର ଓ ତା’ଠୁ ଅଧିକ ପାହ୍ୟା ପୁଲିସ ଅଧିକାରୀ କିମ୍ବା କନିଷ୍ଠ ମୋଟରଯାନ ନୀରିକ୍ଷକ ଓ ତା’ଠୁ ଅଧିକ ପାହ୍ୟାର ପରିବହନ ବିଭାଗ ଅଧିକାରୀମାନଙ୍କର ହିଁ ଯାଞ୍ଚ କରିବାକୁ କ୍ଷମତା ଅଛି ।