ନୂଆଦିଲ୍ଲୀ,୧୮।୩: ଯଦି ଆପଣ ଓଟିଟି ପ୍ଲାଟଫର୍ମରେ ଓ୍ବେବସିରିଜ୍ ଓ ମୁଭି ଦେଖୁଛନ୍ତି ତେବେ ଆପଣଙ୍କ ପାଇଁ ରହିଛି ବଡ଼ ବିପଦ। ପ୍ରାୟ୧୫ ଓଟିଟି ପ୍ଲାଟଫର୍ମ ଉପରେ ସରକାର ନଜର ରଖିଛନ୍ତି। ଏଥିରେ ଦେଖାଯାଉଥିବା ବେଆଇନ ଓ ଆପତ୍ତିଜନକ କଣ୍ଟେଣ୍ଟ ଉପରେ ସରକାର ନଜର ରଖିଛନ୍ତି। ଖୁବ୍ ଶୀଘ୍ର ଏହାକୁ ବ୍ଲକ କରାଯାଇପାରେ। ସରକାର ସମୟ ସମୟରେ ଅଶ୍ଲୀଳ ଓ ଆପତ୍ତିଜନକ କଣ୍ଟେଣ୍ଟ କାରଣରୁ ବହୁ ପ୍ଲାଟଫର୍ମକୁ ବ୍ୟାନ୍ କରିଛନ୍ତି।

କମ୍ୟୁନିକେସନ୍ ଆଣ୍ଡ ଇନଫରମେସନ୍ ଟେକ୍ନୋଲୋଜି ଉପରେ ସଂସଦର ଷ୍ଟାଣ୍ଡିଂ କମିଟିର ଏକ ରିପୋର୍ଟ ଅନୁଯାୟୀ, ୧୫ଟି ଓଟିଟି ପ୍ଲାଟଫର୍ମ ଉପରେ ନଜର ରଖାଯାଇଛି। ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ (MIB) ପ୍ୟାନେଲକୁ ସୂଚନା ଦେଇଛି ଯେ, ସରକାର ପ୍ରଥମେ ୨୫ଟି ଓଟିଟି ପ୍ଲାଟଫର୍ମକୁ ବ୍ୟାନ୍ କରିଥିଲେ। ପରବର୍ତ୍ତୀ ସମୟରେ, ଆହୁରି ୧୮ଟି ଏବଂ ବର୍ତ୍ତମାନ ଆହୁରି ୧୦-୧୫ଟି ପ୍ଲାଟଫର୍ମ ଉପରେ ଯାଞ୍ଚ ଚାଲିଛି। ଲଗାତାର ବ୍ଲକ ନିର୍ଦ୍ଦେଶ ଜାରି କରାଯାଉଛି। କେବଳ ଫେବୃଆରୀ ମାସରେ, ସରକାର MoodXVIP, Koyal Playpro, Digi Movieplex, Feel ଏବଂ Jugnu ସମେତ ପାଞ୍ଚଟି ପ୍ଲାଟଫର୍ମକୁ ବ୍ଲକ କରିଥିଲେ। ଏ ସବୁ ପ୍ଲାଟଫର୍ମ ଅଶ୍ଲୀଳ କଣ୍ଟେଣ୍ଟ ଷ୍ଟ୍ରିମ କରୁଥିଲେ। ଉଲ୍ଳେଖନୀୟ ଯେ ଗତ କିଛି ବର୍ଷ ହେବ ସରକାର ଲଗାତାର ବେଆଇନ କଣ୍ଟେଣ୍ଟ ଦେଖାଉଥିବା ପ୍ଲାଟଫର୍ମ ବିରୋଧରେ କାର୍ଯ୍ୟାନୁଷ୍ଠାନଜାରି ରଖିଛନ୍ତି। ଗତ ବର୍ଷ ଏଭଳି ୨୫ଟି ଆପ୍‌କୁ ବ୍ୟାନ୍ କରାଯାଇଥିଲା। ତା ଭିତରେ ‘ULLUଭଳି ପପୁଲାର ଫ୍ଲାଟଫର୍ମ ରହିଥିଲା।

​​​​​​​

ଗତ କିଛି ବର୍ଷ ଧରି ଭାରତରେ ଡିଜିଟାଲ ଷ୍ଟ୍ରିମିଂ ଦ୍ରୁତ ଗତିରେ ବୃଦ୍ଧି ପାଉଛି। ରିପୋର୍ଟ ଅନୁଯାୟୀ, ଭାରତରେ ୬୦ କୋଟିରୁ ଅଧିକ ଲୋକ OTT ପ୍ଲାଟଫର୍ମ ବ୍ୟବହାର କରନ୍ତି, ସେମାନଙ୍କ ମଧ୍ୟରୁ ପ୍ରାୟ ୧୫ କୋଟି ପେଡ୍ ସବସ୍କ୍ରାଇବର୍। ଡିଜିଟାଲ ଷ୍ଟ୍ରିମିଂର ବୃଦ୍ଧି ଯୋଗୁଁ ଟିଭି ଦର୍ଶକଙ୍କ ସଂଖ୍ୟା ହ୍ରାସ ପାଇଛି। ମନୋରଞ୍ଜନ ପାଇଁ ଏବେ କେବଳ ୨୫% ପ୍ରତିଶତ ଲୋକ ପାରମ୍ପରିକ ଟିଭି ଉପରେ ନିର୍ଭର କରନ୍ତି।