କଟକ,୧୦/୧୨: ଖାଉଟି ସାମଗ୍ରୀ ପରିବହନ  ବେଳେ ଯୋଗାଣ ଠିକାଦାରଙ୍କ ଦ୍ୱାରା ଚାଲିଥିବା  ବାଟମାରଣାକୁ ରୋକିବା ଲାଗି ଯୋଗାଣ ବିଭାଗ  ପକ୍ଷରୁ ଗତ ଅଗଷ୍ଟ ୨୭ରେ ଏକ ନିର୍ଦ୍ଦେଶନାମା  ଜାରି କରାଯାଇଥିଲା । ଯେଉଁଥିରେ ଖାଉଟି ସାମଗ୍ରୀ  ପରିବହନ କରୁଥିବା ଗାଡ଼ିରେ ଜିପିଆର୍‌ଏସ୍‌ ଲାଗିବା  ବାଧ୍ୟତାମୂଳକ କରାଯାଇଥିଲା । କିନ୍ତୁ ହଠାତ୍‌ ସେପ୍ଟେମ୍ବର  ୧୨ ତାରିଖରେ ଯୋଗାଣ ବିଭାଗ ପକ୍ଷରୁ ଆଉ ଏକ  ନିର୍ଦ୍ଦେଶନାମା ଜାରି କରାଯାଇ ଅକ୍ଟୋବର ୩୦ ତାରିଖ  ପର୍ଯ୍ୟନ୍ତ ଏହି ନିର୍ଦ୍ଦେଶନାମା ଉପରେ ସ୍ଥଗିତାଦେଶ ଜାରି କରାଯାଇଥିଲା। ସେ ସମୟ ଅତିକ୍ରାନ୍ତ ହୋଇଯାଇଥିଲେ  ମଧ୍ୟ ଠିକାଦାରମାନେ ଗାଡ଼ିରେ ଜିପିଆର୍‌ଏସ୍‌  ଲଗାଉନାହାନ୍ତି । ଏଣେ ବିଭାଗ ମଧ୍ୟ ଆଉ କୌଣସି ନୂଆ  ନିର୍ଦ୍ଦେଶନାମା ଜାରି କରୁନାହିଁ । ଠିକାଦାରଙ୍କ ଚାପରେ  ବିଭାଗ ଜାଣିଶୁଣି ନିରବ ରହୁଥିବା ଅଭିଯୋଗ ହୋଇଛି ।

ଅନ୍ୟପକ୍ଷରେ ଜାନୁଆରୀର ରାସନ୍‌ ସାମଗ୍ରୀ କୋଟା  ଡିସେମ୍ବରରୁ ବାଣ୍ଟିବା ଲାଗି ନିର୍ଦ୍ଦେଶ ଦିଆଯାଇଛି ।  ଏଣେ ବିନା ଜିପିଆର୍‌ଏସ୍‌ରେ ଡିଲର୍‌ମାନେ ଖାଉଟି  ସାମଗ୍ରୀ ଉଠାଇବା ପାଇଁ ମନା କରିଛନ୍ତି । ଫଳରେ  ହିତାଧିକାରୀଙ୍କୁ ଖାଉଟି ସାମଗ୍ରୀ ମିଳିବା ନେଇ  ଅନିଶ୍ଚିତତା ଦେଖାଦେଇଛି । ଯୋଗାଣ ଠିକାଦାରଙ୍କ  ଜରିଆରେ ରାସନ୍‌ ସାମଗ୍ରୀ ଡିଲରମାନଙ୍କ ନିକଟରେ  ପହଞ୍ଚାଇବାର ବ୍ୟବସ୍ଥା କରାଯାଇଛି । ଏହି ଯୋଗାଣ  ଠିକାଦାରମାନେ ସରକାରଙ୍କ ଦ୍ୱାରା ନିଯୁକ୍ତ । ସେମାନେ  ମାଗଣାରେ ଖାଉଟି ସାମଗ୍ରୀ ନେଇ ପ୍ରତ୍ୟେକ ଡିଲର  ପଏଣ୍ଟରେ ପହଞ୍ଚାଇବେ । କିନ୍ତୁ ସବୁବେଳେ ଡିଲର  ପଏଣ୍ଟରେ ଖାଉଟି ସାମଗ୍ରୀ ପହଞ୍ଚିବାବେଳକୁ ପ୍ରତି  ବସ୍ତାରୁ ୪/୫କେଜି ଚାଉଳ କମ୍‌ ରହିଥାଏ । ଏହି  ଚାଉଳ ପରିବହନ ସମୟରେ ହିଁ ହଡ଼ପ ହୋଇଥାଏ  ବୋଲି ଅଭିଯୋଗ ହୋଇଥାଏ । ଏହାଦ୍ୱାରା ଡିଲରମାନଙ୍କୁ  ଅନେକ ସମସ୍ୟାର ସାମ୍ନା କରିବାକୁ ପଡ଼ିଥାଏ । ବର୍ତ୍ତମାନ  ବ୍ୟବସ୍ଥାରେ ଯେତିକି ସାମଗ୍ରୀ ଆସୁଛି ସେତିକି ସାମଗ୍ରୀ  ହିଁ ଲୋକଙ୍କ ମଧ୍ୟରେ ବଣ୍ଟାଯିବ । ଯଦି କୌଣସି ଜଣେ  ବି ଖାଉଟି ତାଙ୍କ ସାମଗ୍ରୀ ନନେଲେ ଉକ୍ତ ସାମଗ୍ରୀ  ସିଧାସଳଖ ସରକାରଙ୍କ ଖାତାକୁ ଚାଲିଯିବ । ତେଣୁ  ଯେତିକି ସାମଗ୍ରୀ ଖାଉଟିଙ୍କ ନାମରେ ଆସୁଛି ସେତିକି  ସାମଗ୍ରୀ ହିଁ ଜଣେ ଡିଲର ବାଣ୍ଟି ପାରିବେ । କିନ୍ତୁ ସାମଗ୍ରୀ  କମ୍‌ ଆସୁଥିବାରୁ ଡିଲରମାନେ ସମସ୍ୟାରେ ପଡ଼ୁଛନ୍ତି । 

ପରିବହନ ବେଳେ ସାମଗ୍ରୀ ହଡ଼ପ ହେଉଥିବା  ନେଇ ଡିଲରମାନଙ୍କ ବାରମ୍ବାର ଅଭିଯୋଗ ପରେ  ଯୋଗାଣ ବିଭାଗ ପକ୍ଷରୁ ଗାଡ଼ିରେ ଜିପିଆର୍‌ଏସ୍‌ ଲାଗୁ  ପାଇଁ ନିର୍ଦ୍ଦେଶନାମା ହୋଇଥିଲା । ଏହି ବ୍ୟବସ୍ଥା ଲାଗୁ  ହେଲେ ଗାଡ଼ି କେଉଁଠାରୁ ବାହାରି କେତେ ସମୟ ମଧ୍ୟରେ ଡିଲର ପଏଣ୍ଟରେ ପହଞ୍ଚିଲା ସେସବୁର ସ୍ପଷ୍ଟ ଚିତ୍ର  ମିଳିଯିବ । ଏହି ନିର୍ଦ୍ଦେଶନାମା ଉପରେ ଅକ୍ଟୋବର ଶେଷ  ପର୍ଯ୍ୟନ୍ତ ବିଭାଗ ସ୍ଥଗିତାଦେଶ ଲାଗୁ କରିଥିଲା । ଅର୍ଥାତ  ଅକ୍ଟୋବର ପରେ ଖାଉଟି ସାମଗ୍ରୀ ପରିବହନ କରୁଥିବା  ଗାଡ଼ିରେ ଜିପିଆର୍‌ଏସ୍‌ ଲାଗିଯିବା କଥା । ଏବେ ରାଜ୍ୟ ସରକାର ଜାନୁଆରୀର କୋଟା ଚଳିତମାସ ୫ତାରିଖରୁ  ବାଣ୍ଟିବା ପାଇଁ ନିର୍ଦ୍ଦେଶନାମା ଜାରି କରିଛନ୍ତି । କିନ୍ତୁ ବିନା  ଜିପିଆର୍‌ଏସ୍‌ରେ ଏହି ସାମଗ୍ରୀ ବଣ୍ଟାଯିବା ନେଇ ଡିଲର  ଆସୋସିଏସନ୍‌ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । 

ଏ ସଂକ୍ରାନ୍ତରେ ସର୍ବଭାରତୀୟ ଖୁଚୁରା ବିକ୍ରେତା  ମହାସଂଘ ଓଡ଼ିଶା ଶଖାର ସାଧାରଣ ସମ୍ପାଦକ ସୟଦ୍‌  ଏକ୍ରାମ ହୁସେନ୍‌ କହିଛନ୍ତି, ସରକାର ଯେତେବେଳେ  ଯେଉଁ ନିଷ୍ପତ୍ତି ନେଉଛନ୍ତି ତାହାକୁ ବିନା ଦ୍ୱିଧାରେ  ଡିଲରମାନେ ମାନି ନେଉଛନ୍ତି । କିନ୍ତୁ ପରିବହନ  ଠିକାଦାରମାନେ କ’ଣ ପାଇଁ ସରକାରଙ୍କ ନିଷ୍ପତ୍ତିକୁ  ମାନୁନାହାନ୍ତି ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି । ଯୋଗାଣ  ଅଧିକାରୀ ଏବଂ ପରିବହନ ଠିକାଦାରଙ୍କ ମଧ୍ୟରେ  ଥିବା ଭିତରିଆ ସମ୍ପର୍କ ପାଇଁ ଗାଡ଼ିରେ ଜିପିଆରଏସ୍‌  ଲାଗିପାରୁ ନାହିଁ ବୋଲି ସେ ଅଭିଯୋଗ କରିଛନ୍ତି ।