ମନମୁଣ୍ଡା, ୧୮।୮ : ଗ୍ରାମରକ୍ଷୀ ମାନେ ମାସକୁ ମାତ୍ର ୧୮୦୦ ଟଙ୍କା ଭତ୍ତା ଆକାରରେ ପାଉଛନ୍ତି। ସେମାନଙ୍କୁ ସରକାରୀ କର୍ମଚାରୀ ଦର୍ଶାଇ ରାସନ୍ କାର୍ଡ , ପ୍ରଧାନମନ୍ତ୍ରୀ ଆବାସ, ସୁଭଦ୍ରା ଯୋଜନା ଇତ୍ୟାଦି ଅନେକ ସରକାରୀ ଯୋଜନା ରୁ ବଞ୍ଚିତ କରାଯାଇଛି। ଫଳରେ ଅନୁସୂଚିତ ଜାତି ର ଏହି ଗ୍ରାମରକ୍ଷୀ ମାନେ ନାହିଁ ନ ଥିବା ଅସୁବିଧାର ର ସମ୍ମୁଖୀନ ହେଉଥିବା ଜାଣିବାକୁ ମିଳିଛି। ଏତେ କମ ଭତ୍ତା ରେ ସେମାନଙ୍କ ପରିବାର ଚଳାଇବା କଷ୍ଟ କର ହୋଇ ପଡ଼ୁଥିବା କହିଛନ୍ତି।
ଗତ ୧୨ ତାରିଖରେ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ନଚନ୍ଦ୍ର ମହାପାତ୍ର ମନମୁଣ୍ଡା ଗସ୍ତ ରେ ଆସିଥିବାବେଳେ ମନମୁଣ୍ଡା ଗ୍ରାମରକ୍ଷୀ ମାନେ ମନ୍ତ୍ରୀ ଙ୍କ ଦୃଷ୍ଟି ଆକର୍ଷଣ କରି ଲିଖିତ ଭାବେ ଜଣାଇଥିଲେ। ସମସ୍ୟା ବୁଝିବାକୁ ମନ୍ତ୍ରୀ ସେଠାରେ ଉପସ୍ଥିତ ଥିବା ବୌଦ୍ଧ ଜିଲ୍ଲାପାଳ ବିଭୂତି ଭୂଷଣ ନାଏକଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଗ୍ରାମରକ୍ଷୀମାନଙ୍କୁ ସମସ୍ତ ସରକାରୀ ଯୋଜନାରେ ଯୋଗ୍ୟ ଘୋଷିତ କରିବା ଓ ସୁବିଧା ପ୍ରଦାନ କରିବା ପାଇଁ ପଦକ୍ଷେପ ନେବାକୁ ମନମୁଣ୍ଡା ଥାନାର ପ୍ରାୟ ସମସ୍ତ ଗ୍ରାମରକ୍ଷୀ କଣ୍ଟାମାଳ ରେ ଅନୁଷ୍ଠିତ ଅଭିଯୋଗ ଶୁଣାଣି ଶିବିର ରେ ଜିଲ୍ଲାପାଳ ବିଭୂତି ଭୂଷଣ ନାଏକ ଙ୍କୁ ଲିଖିତ ଅଭିଯୋଗ କରିଥିଲେ। ଜିଲ୍ଲାପାଳ ସକାରାତ୍ମକ ପଦକ୍ଷେପ ନେବେ ବୋଲି କହିଥିବା ଜାଣିବାକୁ ମିଳିଛି।