ନୂଆଦିଲ୍ଲୀ: ଭାରତୀୟ ଯାତ୍ରୀଙ୍କ ପାଇଁ ଖୁସି ଖବର । ନବବର୍ଷ ଅବସରରେ ଭ୍ରମଣ କରିବାକୁ ଭଲ ପାଉଥିବା ଲୋକଙ୍କ ଲାଗି ଥାଇଲାଣ୍ଡ ବଡ଼ ଅଫର ଘୋଷଣା କରିଛି । ଏଣିକି ବିନା ଭିସାରେ ଭାରତୀୟ ଯାତ୍ରୀମାନେ ଥାଇଲାଣ୍ଡ ଯାତ୍ରା କରିପାରିବେ । ଆଉ ଏହି ନିୟମ ଅନିର୍ଦ୍ଦିଷ୍ଟ କାଳ ଯାଏଁ ଲାଗୁ କରିଛନ୍ତି ଥାଇଲାଣ୍ଡ ସରକାର । ବିନା ଭିସାରେ ଭାରତୀୟ ଯାତ୍ରୀମାନେ ଥାଇଲାଣ୍ଡରେ ୬୦ ଦିନ ଯାଏଁ ରହିପାରିବେ । ଏହା ପରେ ଅତିରିକ୍ତ ୩୦ ଦିନ ରହିବା ଲାଗି ମଧ୍ୟ ସେମାନଙ୍କୁ ଅନୁମତି ମିଳିପାରିବ । 

ଭିସା ଆବେଦନ ପ୍ରକ୍ରିୟାରେ ହେଉଥିବା ଅସୁବିଧାରୁ ମୁକ୍ତି ଦେବା ଲାଗି ଥାଇଲାଣ୍ଡ ଭାରତୀୟଙ୍କ ଲାଗି ଏହି ସୁବିଧା କରିଛି । ଏହା ସହ ନିଜ ଦେଶର ସଂସ୍କୃତି, ପରମ୍ପରା ଏବଂ ପ୍ରାକୃତିକ ସୌନ୍ଦର୍ଯ୍ୟ ଦେଖିବା ଲାଗି ଅଧିକରୁ ଅଧିକ ଭାରତୀୟ ଯାତ୍ରୀଙ୍କୁ ଆକୃଷ୍ଟ କରିବା ଲାଗି ଥାଇଲାଣ୍ଡ ଏଭଳି ପଦକ୍ଷେପ ନେଇଛି । ଏହା ଦ୍ବାରା ଥାଇଲାଣ୍ଡର ପର୍ଯ୍ୟଟନ ଶିଳ୍ପ ଆହୁରି ମଜଭୁତ ହେବ । ନୂଆଦିଲ୍ଲୀରେ ଥିବା ଥାଇଲାଣ୍ଡର ଦୂତାବାସ ସହ ଆଲୋଚନ ପରେ ଭିସା ମୁକ୍ତ ଭ୍ରମଣ ନେଇ ଘୋଷଣା କରିଛି ଥାଇଲାଣ୍ଡର ପର୍ଯ୍ୟଟନ ବିଭାଗ ।  

ଭାରତୀୟଙ୍କ ଲାଗି ଭିସା ମୁକ୍ତ ଭ୍ରମଣ ପାଇଁ ଥାଇଲାଣ୍ଡ ସରକାରଙ୍କ ଏହି ନିଷ୍ପତ୍ତି ଦେଶର ଅର୍ଥନୀତିକୁ ଗତି ଦେବ । ପର୍ଯ୍ୟଟକଙ୍କ ସଂଖ୍ୟା ବଢ଼ିଲେ ଦେଶର ରାଜସ୍ବ ବଢ଼ିବ । ଅଧିକରୁ ଅଧିକ ଲୋକେ ଥାଇଲାଣ୍ଡ ଗଲେ ସେଠାରେ କାରବାର ବୃଦ୍ଧି ପାଇବ । ଏହା ସହ ପର୍ଯ୍ୟଟନ କ୍ଷେତ୍ରରେ ନିଯୁକ୍ତ ମଧ୍ୟ ବଢ଼ିବ ।   ତେବେ ଥାଇାଲାଣ୍ଡ କଲଚର, ନେଚର ଏବଂ ଆଡଭେଞ୍ଚର ଲାଗି ଖୁବ ପ୍ରସିଦ୍ଧ ।  ବ୍ୟାଙ୍କକ୍‌ରେ ଗ୍ରାଣ୍ଡ ପ୍ୟାଲେସ୍‌ ହେଉ ଅବା ଓ୍ବାଟ ଅରୁନ ମନ୍ଦିର ଏସବୁ ପର୍ଯ୍ୟଟକଙ୍କୁ ଖୁବ ଆକୃଷ୍ଟ କରେ । ସୁନ୍ଦର ସମୁଦ୍ର କୂଳ ସାଙ୍ଗକୁ ସବୁଜିମା ଭରା ପାହାଡ଼ ଭ୍ରମଣକାରୀଙ୍କୁ ବାରମ୍ବାର ଥାଇଲାଣ୍ଡ ଯିବାକୁ ବାଧ୍ୟ କରେ କହିଲେ ଭୁଲ ହେବ ନାହଁ ।