ନୂଆଦିଲ୍ଲୀ ୦୧/୦୪: ବିଶ୍ୱ ତାପନ ଯୋଗୁ ସାରା ବିଶ୍ୱରେ ଗ୍ଲେସିଅର ତରଳୁଛି । ମେରୁ ବରଫ ଚାଦରରେ ଏହାର ପ୍ରଭାବ ସବୁଠୁ ଅଧିକ ଦେଖିବାକୁ ମିଳୁଛି । ବିଶ୍ୱର ୮ ପ୍ରତିଶତ ମୁଧର ଜଳ ଧାରଣ କରୁଥିବା ଗ୍ରୀନ୍‌ଲାଣ୍ଡ ବରଫ ଚାଦର ଲଗାତାର ୨୮ ବର୍ଷ ହେଲା ନିଜର ବରଫ ହରାଇ ଚାଲିଛି ।

ନ୍ୟାସ୍‌ନାଲ ଓସେନିକ୍‌ ଆଣ୍ଡ୍‌ ଆଟ୍‌ମୋସପିୟରିକ୍‌ ଆଡ୍‌ମିନିଷ୍ଟ୍ରେସନ୍‌ (ନୋଆ) ଦର୍ଶାଇଛି, ଗ୍ରୀନ୍‌ଲାଣ୍ଡ ୨୦୨୩ରୁ ୨୦୨୪ ମଧ୍ୟରେ ୫୫ ଗିଗାଟନ୍‌ ବରଫ ଓ ତୁଷାର ହରାଇଛି । ଜାଣି ଆଶ୍ଚର୍ଯ୍ୟ ହେବେ, ୧୯୯୨ ମସିହାରୁ ଏହା ୫ ଟ୍ରିଲିଅନ୍‌ ଟନ୍‌ରୁ ଅଧିକ ବରଫ ହରାଇ ଦେଇଛି । କେତେ ପରିମାଣର ବରଫ ଜଳୀୟ ବାଷ୍ପରେ ରୂପାନ୍ତର ହୋଇଛି, ତାହା ଜାଣିବା ପାଇଁ ବୈଜ୍ଞାନିକମାନେ ପ୍ରଥମ ଥର ଗ୍ରୀନ୍‌ଲାଣ୍ଡ ବରଫ ଚାଦର ପୃଷ୍ଠଠୁ ଉପରେ ଜଳୀୟ ବାଷ୍ପର ମାତ୍ରାର ତଥ୍ୟ ସଂଗ୍ରହ କରିଛନ୍ତି । ଜେଜିଆର୍‌ ଆଟ୍‌ମୋସପିୟର୍ସରେ ଅଧ୍ୟୟନର ତଥ୍ୟ ପ୍ରକାଶ ପାଇଛି । ଦ୍ରୁତ ଉତ୍ତପ୍ତ ହେଉଥିବା ମେରୁ କ୍ଷେତ୍ରରେ ବରଫ-କ୍ଷୟର ମାତ୍ରା ସଠିକ୍‌ ଆକଳନ କରିବାରେ ଏହି ଅଧ୍ୟୟନ ବୈଜ୍ଞାନିକଙ୍କୁ ସାହାଯ୍ୟ କରିଛି ।

ଅଧ୍ୟୟନର ଲେଖକ କେଭିନ ରୋଜମିଆରେକ୍‌ କହିଛନ୍ତି, ଜଳୀୟ ବାଷ୍ପ କୁଆଡ଼େ ଯାଉଛି ତାହା ଅସ୍ପଷ୍ଟ । କିଛି ତୁଷାର ଭାବେ ତଳକୁ ଫେରିପାରେ କିମ୍ବା ପରେ ପୃଷ୍ଠରେ ପୁଣି ଜମା ହୋଇପାରେ । କିନ୍ତୁ କିଛି ବରଫ ଗ୍ରୀନ୍‌ଲାଣ୍ଡର ଜଳ ପ୍ରଣାଳୀକୁ ସମ୍ପୂର୍ଣ୍ଣ ରୂପେ ଛାଡ଼ି ଦେଇପାରନ୍ତି ।ମଝି ଆକାଶରେ ନମୁନା ସଂଗ୍ରହ କରିବାକୁ ବିମାନ ପଠାଇବାର ପାରମ୍ପରିକ ପଦ୍ଧତି ଅତ୍ୟନ୍ତ ମହଙ୍ଗା ଥିଲା । ତେଣୁ ବୈଜ୍ଞାନିକମାନେ ୧୦ ଫୁଟର ପଙ୍ଖଯୁକ୍ତ ଏକ ବଡ଼ ଡ୍ରୋନ୍‌ରେ ବାୟୁ ନମୁନା ସଂଗ୍ରହର ଉପକରଣ ସଂଲଗ୍ନ କଲେ । ପୂର୍ବ ଗ୍ରୀନ୍‌ଲାଣ୍ଡ ଆଇସ୍‌-କୋର୍‌ ପ୍ରୋଜେକ୍ଟ କ୍ୟାମ୍ପ୍‌ରୁ ଡ୍ରୋନ୍‌ ୧୦୪ ଥର ଉଡ଼ି ଭୂମିଠୁ ପ୍ରାୟ ୫ ହଜାର ଫୁଟ ଉପରେ ବିଭିନ୍ନ ଉଚ୍ଚତାରେ ବାୟୁ ନମୁନା ସଂଗ୍ରହ କଲା । ସେମାନେ ଉଷ୍ଣଆଦ୍ର ସ୍ଥାନ ଓ ଗର୍ତ୍ତରୁ ପ୍ରବାହିତ ଜଳର ନମୁନା ସଂଗ୍ରହ କଲେ, ଯାହା ଗ୍ରୀନ୍‌ଲାଣ୍ଡ ବରଫ ଚାଦର ପୃଷ୍ଠରେ ଥିବା ତୁଷାର । ପ୍ରତ୍ୟେକ ନମୁନାରେ ସେମାନେ ଉଦ୍‌ଯାନ ଓ ଅମ୍ଳଜାନର ମାତ୍ରାକୁ ଚିହ୍ନଟ କଲେ । ଗ୍ରୀନ୍‌ଲାଣ୍ଡରେ ବାସ୍ତବରେ କ’ଣ ଘଟିବାକୁ ଯାଉଛି, ତାହା ଯଥା ସମ୍ଭବ ସଠିକ୍‌ ଅନୁମାନ କରିବାରେ ସକ୍ଷମ ହେବା ବାସ୍ତବରେ ଗୁରୁତ୍ୱପୂର୍ଣ୍ଣ ବୋଲି ରୋଜ୍‌ମିଆରେକ୍‌ କହିଛନ୍ତି । ପ୍ରତ୍ୟେକ ଉତ୍ସରୁ ସଂଗ୍ରହ କରାଯାଇଥିବା ତଥ୍ୟର ଗୁରୁତ୍ୱକୁ ଏହା ଦର୍ଶାଇଛି, ଯାହା ଅଧ୍ୟୟନ ମଡେଲ୍‌ର ଉନ୍ନତିରେ ସାହାଯ୍ୟ କରିବ ।