ନୂଆଦିଲ୍ଲୀ ୨୯/୦୪: ଦିଲ୍ଲୀର ଏକ ବିବାହରେ ବ୍ୟାଣ୍ଡ୍‌ ବାଜା ବାରାତ୍‌ ଧୂମ୍‌ ମଚାଉଥିଲା । ହଠାତ୍‌ ଡିଜେବାଲା ବଲିଉଡ୍‌ ଫିଲ୍ମ ‘ୟେ ଦିଲ୍‌ ହୈ ମୁଶ୍‌କିଲ’ର ଚନ୍ନା ମେରେୟା ଗୀତ ବଜାଇଦେଲା । ଏହା ପରେ ଖୁସିର ମାହୋଲକୁ ଯେମିତି କଳା ବାଦଲ ଢାଙ୍କିଦେଲା । ଫିଲ୍ମରେ ଚନ୍ନା ମେରେୟା ଗୀତ ଏକତରଫା ପ୍ରେମର ଯନ୍ତ୍ରଣାକୁ ଦର୍ଶାଏ । ବାହାଘରରେ ଏହି ଗୀତ ବର କାନରେ ପଡ଼ିବାରୁ ବର ଖୁବ୍‌ ଭାବୁକ ହୋଇପଡ଼ିଲା । ଅତୀତରେ ହୋଇଥିବା ବ୍ରେକ୍‌ଅପ୍‌ କଥା ତା’ର ମନେପଡ଼ିଗଲା । ନିଜ ଭାବନାକୁ କାବୁ କରି ନ ପାରି ସେ ଏକ ଅଜବ ନିଷ୍ପତ୍ତି ନେଲା, ଯାହା ଶୁଣି ବିବାହରେ ଉପସ୍ଥିତ ସମସ୍ତେ ମୁଣ୍ଡରେ ହାତ ଦେଲେ । 

ଗୀତ ଶୁଣିବା ପରେ ଭାବୁକ ବର ବିବାହ ନ କରିବାକୁ ନିଷ୍ପତ୍ତି ନେଲା ଏବଂ କନ୍ୟା ବଦଳରେ ଖାଲି ହାତରେ ବାରାତ୍‌କୁ ଫେରାଇଦେଲା । ଏହି ଅଜବ ଘଟଣା ଚାହୁଁ ଚାହୁଁ ସୋସିଆଲ ମିଡିଆରେ ଭାଇରାଲ ହୋଇଗଲା । ଗୋଟିଏ ଗୀତ କିଭଳି ଚରମ ନିଷ୍ପତ୍ତି ନେବାକୁ ବାଧ୍ୟ କରିପାରେ, ତାକୁ ନେଇ ଚର୍ଚ୍ଚା ଜୋର ଧରିଲା । କରନ ଜୋହରଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ଏ ଦିଲ୍‌ ହୈ ମୁଶ୍‌କିଲ’ (୨୦୧୬) ପ୍ରେମ ଓ ପ୍ରେମକୁ ହରାଇବାର ଥିମ୍‌ ଉପରେ ପର୍ଯ୍ୟବସିତ । ଏଥିରେ ଆୟାନ (ରଣବୀର କପୁର) ଚରିତ୍ର ଅଲିଜେହ (ଅନୁଷ୍କା ଶର୍ମା)କୁ ଭଲପାଇ ବସିଛି । କିନ୍ତୁ ଆୟାନ ପ୍ରତି ଅଲିଜେହର ସେଭଳି ଭାବନା ନାହିଁ । ‘ଚନ୍ନା ମେରେୟା’ ଗୀତ ଆୟାନର ସେହି ଏକତରଫା ପ୍ରେମର ଯନ୍ତ୍ରଣାକୁ ଦର୍ଶାଇଛି । ଫିଲ୍ମର ନିର୍ଦ୍ଦେଶକ କରନ ଜୋହର ଏହି ଭାଇରାଲ ବିବାହ ଘଟଣା ବିଷୟରେ ଜାଣିବା ପରେ ସୋସିଆଲ ମିଡିଆରେ ପ୍ରତିକ୍ରିୟା ଦେଇଛନ୍ତି । ଫିଲ୍ମର ଗୀତ ବାସ୍ତବ ଜୀବନରେ ଏମିତି ଏକ ବଡ଼ ଡ୍ରାମା ସୃଷ୍ଟି କରିପାରେ ବୋଲି ସେ ବିଶ୍ୱାସ କରିପାରୁ ନାହାନ୍ତି ।