ନୂଆଦିଲ୍ଲୀ,୦୨/୦୬: ଚଳିତବର୍ଷ ମେ’ ମାସରେ କେନ୍ଦ୍ର ସରକାର ୨.୦୧ ଲକ୍ଷ କୋଟି ଟଙ୍କାର ସାମଗ୍ରୀ ଏବଂ ସେବା  ଟିକସ(ଜିଏସ୍‌ଟି) ଆଦାୟ କରିଛନ୍ତି ।  ପୂର୍ବବର୍ଷ ମେ’ ମାସ ତୁଳନାରେ  ଏହା ୧୬.୪% ଅଧିକ । ରବିବାର  ଜାରି ହୋଇଥିବା ସରକାରୀ ତଥ୍ୟରୁ  ଏହା ଜଣାପଡ଼ିଛି । ତେବେ ଏ ବର୍ଷ  ଏପ୍ରିଲରେ ସରକାର ୨.୩୭ ଲକ୍ଷ  କୋଟି ଟଙ୍କାର ଜିଏସ୍‌ଟି ଆଦାୟ  କରିଥିଲେ । ବାର୍ଷିକ ଆଧାରରେ  ଏଥିରେ ୧୨.୬% ଅଭିବୃଦ୍ଧି ଦେଖିବାକୁ  ମିଳିଥିଲା । ଏହା ଜିଏସ୍‌ଟି ଆଦାୟରେ  ଥିଲା ରେକର୍ଡ । ସରକାରୀ ତଥ୍ୟ  ଅନୁସାରେ, ମେ’ ମାସରେ ଘରୋଇ  ଟ୍ରାଞ୍ଜାକ୍‌ସନ୍‌ରୁ ଆଦାୟ ହୋଇଥିବା  ଟିକସରେ ୧୩.୭% ବୃଦ୍ଧି ଘଟି ୧.୫୦  ଲକ୍ଷ କୋଟି ଟଙ୍କା ରହିଛି । ସେହିଭଳି  ଆମଦାନିରୁ ଜିଏସ୍‌ଟି ରାଜସ୍ୱ ୨୫.୨%  ବଢ଼ି ୫୧,୨୬୬ କୋଟି ଟଙ୍କା ରହିଛି । 

ଆଲୋଚ୍ୟ ମାସରେ ଆଦାୟ  ହୋଇଥିବା ମୋଟ ଜିଏସ୍‌ଟି ମଧ୍ୟରୁ  କେନ୍ଦ୍ରୀୟ ଜିଏସ୍‌ଟି ୩୫,୪୩୪ କୋଟି  ଟଙ୍କା ଥିବାବେଳେ ରାଜ୍ୟ ଜିଏସ୍‌ଟି  ୪୩,୯୦୨ କୋଟି, ସମନ୍ୱିତ ଜିଏସ୍‌ଟି  ୧.୦୯ ଲକ୍ଷ କୋଟି ଏବଂ ସେସ୍‌ରୁ  ରାଜସ୍ୱ ଆଦାୟ ରହିଛି ୧୨,୮୭୯  କୋଟି ଟଙ୍କା । ୨୦୨୪ ମେ’ରେ  ୧,୭୨,୭୩୯ କୋଟି ଟଙ୍କାର  ଜିଏସ୍‌ଟି ଆଦାୟ ହୋଇଥିଲା ।