ସୋରଡା,୨୧/୧୦: ଦୀପାବଳିରେ ଗୋଷ୍ଠୀ ସଂଘର୍ଷ। ଫଳରେ ଉଭୟ ଗୋଷ୍ଠୀର ୩ ଜଣ ଗୁରୁତର ଆହତ ହୋଇଛନ୍ତି। ଗଞ୍ଜାମ ଜିଲ୍ଲା ସୋରଡା ଥାନା ଅନ୍ତର୍ଗତ କେଶରା ଗ୍ରାମରୁ ସାମ୍ନାକୁ ଆସିଛି ଏହି ଘଟଣା।
ସୂଚନା ଅନୁଯାୟୀ, ସୋରଡା ଠାରୁ ୧୦ କିଲୋମିଟର ଦୂରରେ ଥିବା କେଶରା ଗ୍ରାମରେ ଦୀର୍ଘ ଦିନ ଧରି ଦୁଇ ଗୋଷ୍ଠୀ ମଧ୍ୟରେ ଛକାପଞ୍ଝା ଲାଗି ରହିଥିଲା। ହେଲେ ସୋମବାର ରାତିରେ ଗ୍ରାମର ଜଣେ ଯୁବକ ମଦ ପିଇ ନିଶାସକ୍ତ ଅବସ୍ଥାରେ ଅପର ଗୋଷ୍ଠୀର ଜଣେ ଯୁବକଙ୍କୁ ଗାଳି ଗୁଲଜ କରିଥିଲେ। ଏହାପରେ ଗଣ୍ଡଗୋଳର ସୂତ୍ରପାତ ହୋଇଥିଲା। ଏଥିରେ ଉଭୟ ଗୋଷ୍ଠୀର ୩ ଜଣ ଆହତ ହୋଇଥିବା ବେଳେ ସମସ୍ତଙ୍କୁ ସୋରଡା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଏମାନଙ୍କ ମଧ୍ୟରୁ ଜଣଙ୍କ ସ୍ୱାସ୍ଥ୍ୟବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ବ୍ରହ୍ମପୁର ମେଡିକାଲ କଲେଜ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ସେପଟେ ଘଟଣାର ଖବର ପାଇ ସୋରଡା ଥାନା ଅଧିକାରୀ ସୁନୀଲ କୁମାର ପ୍ରଧାନଙ୍କ ନେତୃତ୍ବରେ ପୁଲିସ ଘଟଣାସ୍ଥଳରେ ପହଞ୍ଚିବା ପରେ ଗଣ୍ଡଗୋଳ ଶାନ୍ତ ପଡିଥିଲା। ଗ୍ରାମରେ ପୁଲିସ ସଜାଗ ରହିଥିବା ବେଳେ ଏବେ ସୁଦ୍ଧା ଏନେଇ ଉଭୟ ଗୋଷ୍ଠୀ ପକ୍ଷରୁ କେହିବି ରିପୋର୍ଟ ଦାଖଲ କରିନଥିବା ଥାନା ଅଧିକାରୀ ପ୍ରଧାନ ସୂଚନା ଦେଇଛନ୍ତି।