ନୂଆଦିଲ୍ଲୀ,୧୭/୧୨:  ଧୂଆଁ ଟାଣିବା ହେବ ମହଙ୍ଗା । ସାମଗ୍ରୀ ଏବଂ ସେବା ଟିକସ(ଜିଏସ୍‌ଟି) ପରିଷଦ ତମାଖୁ ଏବଂ ସିଗାରେଟ୍‌ ଭଳି ଉତ୍ପାଦଗୁଡ଼ିକ ଉପରେ  ଜିଏସ୍‌ଟିକୁ ୭% ବଢ଼ାଇ ୩୫% କରିପାରେ ।  ଏହାସହିତ ପୁରୁଣା କାର ଏବଂ ବ୍ୟବହୃତ  ଇଲେକ୍ଟ୍ରିକ୍‌ ଯାନଗୁଡ଼ିକ ଉପରେ ବି  ଜିଏସ୍‌ଟି ବଢ଼ାଇବା ପାଇଁ ବିଚାର ହେଉଛି ।  

ଡିସେମ୍ବର ୨୦ ଏବଂ ୨୧ରେ  ରାଜସ୍ଥାନର ଜୈସଲ୍‌ମେର୍‌ରେ ହେବାକୁ  ଥିବା ୫୫ତମ ଜିଏସ୍‌ଟି ପରିଷଦ  ବୈଠକରେ ଏହା ଉପରେ ନିଷ୍ପତ୍ତି ନିଆଯିବ ।  ଏ ନିଷ୍ପତ୍ତି ଦ୍ୱାରା ପୁରୁଣା ଗାଡ଼ି ଏବଂ  ବ୍ୟବହୃତ ଇଭି କାର ମହଙ୍ଗା ହୋଇପାରେ ।  ପରବର୍ତ୍ତୀ ବୈଠକରେ ପୁରୁଣା କାର ଏବଂ ଇଭି ଉପରେ ଜିଏସ୍‌ଟି ୧୨%ରୁ  ବଢ଼ି ୧୮% ହୋଇପାରେ । ତମାଖୁ ଉତ୍ପାଦ  ଉପରେ ଜିଏସ୍‌ଟି ୨୮%ରୁ ବଢ଼ି ୩୫% ହୋଇପାରେ । ଏ ପରିବର୍ତ୍ତନଗୁଡ଼ିକ ଦ୍ୱାରା  ସାଧାରଣ ଲୋକଙ୍କ ଉପରେ ପ୍ରଭାବ ପଡ଼ିବ ।  ଗାଡ଼ିଗୁଡ଼ିକର ଦର ବଢ଼ିବ । ସିଗାରେଟ୍‌  ଏବଂ ତମାଖୁ ମହଙ୍ଗା ହୋଇଯିବ ।  

ପୁରୁଣା କାର ଏବଂ ଇଭିଗୁଡ଼ିକ  ଉପରେ ଜିଏସ୍‌ଟି ବୃଦ୍ଧି ପ୍ରସ୍ତାବକୁ ଜିଏସ୍‌ଟି  ଫିଟ୍‌ମେଣ୍ଟ କମିଟି ଦେଇଛି । ଏବେ ଅଧିକାଂଶ  ପୁରୁଣା ଗାଡ଼ି ଉପରେ ୧୨% ଜିଏସ୍‌ଟି  ଲାଗୁଛି । ଯଦି ଏ ପ୍ରସ୍ତାବକୁ ମଞ୍ଜୁରି ମିଳେ  ତେବେ ପୁରୁଣା ଗାଡ଼ି ମହଙ୍ଗା ହୋଇଯିବ ।  ବିଶେଷ କରି ଇଭିଗୁଡ଼ିକ ଉପରେ ଅଧିକ  ପ୍ରଭାବ ପଡ଼ିବ । ନୂଆ ଇଭି ଉପରେ  ୫% ଜିଏସ୍‌ଟି ଲାଗିଥାଏ କିନ୍ତୁ ପୁରୁଣା  ଇଭି ଉପରେ ୧୮% ଜିଏସ୍‌ଟି ଲାଗିବ ।  ଏସ୍‌ୟୁଭି ଉପରେ ବି ୨୨% କ୍ଷତିପୂରଣ  ସେସ୍‌ ଲାଗିଥାଏ । ଏଥର ବି ଜିଏସ୍‌ଟି  ପରିଷଦ ବୈଠକରେ ସ୍ପଷ୍ଟୀକରଣ  ଆସିପାରେ । ଏହି ସେସ୍‌ ଏ ଯାଏ ସମ୍ପୂର୍ଣ୍ଣ  ରୂପେ ଲାଗୁ ହୋଇ ପାରିନାହିଁ । ଏହା ଲାଗୁ  ହେବା ପରେ ଏସ୍‌ୟୁଭି ଦର ବି ବଢ଼ିଯିବ ।  

ତମାଖୁ ଏବଂ ସିଗାରେଟ୍‌ ଉପରେ  ଜିଏସ୍‌ଟି ବୃଦ୍ଧି ନିଷ୍ପତ୍ତି ମନ୍ତ୍ରୀସମୂହ  ନେଇଯାଇଛନ୍ତି । ବିହାର ଉପମୁଖ୍ୟମନ୍ତ୍ରୀ  ସମ୍ରାଟ ଚୌଧୁରୀ ଏହି ମନ୍ତ୍ରୀଗୋଷ୍ଠୀର  ମୁଖ୍ୟ । ସେ ତମାଖୁ ଉତ୍ପାଦ ଉପରେ  ଜିଏସ୍‌ଟି ୭% ବଢ଼ାଇ ୩୫% କରିବାକୁ  ପ୍ରସ୍ତାବ ଦେଇଛନ୍ତି । ଏବେ ଏ ଉତ୍ପାଦ ଉପରେ  ୨୮% ଜିଏସ୍‌ଟି ଲାଗୁଛି । ଏହା ଉପରେ  ଚୂଡ଼ାନ୍ତ ନିଷ୍ପତ୍ତି ଜିଏସ୍‌ଟି ପରିଷଦ ନେବ ।