କଟକ,୧୨।୦୨: ଦୁର୍ଘଟଣାରେ ଗୁରୁତର ହୋଇ ଜୀବନ ବଞ୍ଚାଇବାକୁ ବହୁ ସଙ୍ଘର୍ଷ କରିଥିଲେ। ଦୀର୍ଘ ୩ ଦିନ କାଳ ଆଇସିୟୁରେ ରହି ଶେଷରେ ଜୀବନ ଯୁଦ୍ଧରେ ହାରି ଯାଇଥିଲେ ଡିଏମ୍ଏଲ୍ଟି ଛାତ୍ର ଆଶିଷ ସାହୁ । ତେବେ ଏକମାତ୍ର ସନ୍ତାନକୁ ହରାଇ ବାପା, ମା’ ଆଶିଷଙ୍କ କିଡ୍ନୀ ଓ ଲିଭର ଦାନ କରାଇ ୩ ଜଣଙ୍କୁ ନୂଆ ଜୀବନ ଦେଇଛନ୍ତି। ଆଶିଷଙ୍କ ଗୋଟିଏ କିଡନୀ ଏସ୍ସିବି ମେଡିକାଲରେ ସାଲେପୁର ଅଞ୍ଚଳର କିଡନୀ ନଷ୍ଟ ହୋଇଥିବା ରୋଗୀ ସାମସୁଦ୍ଦିନ୍ ଶରୀରରେ କାଡାଭରିକ୍ ଟ୍ରାନ୍ସପ୍ଲାଣ୍ଟ କରାଯାଇଥିବା ବେଳେ ଅନ୍ୟଟି ଭୁବନେଶ୍ୱର ଏମସରେ କରାଯାଇଛି ।

ସେହିପରି ଭୁବନେଶ୍ୱରରେ ଜଣେ ରୋଗୀଙ୍କର ଶରୀରରେ ଲିଭର୍ ପ୍ରତିରୋପଣ କରାଯାଇଛି । ସୋଟୋର ସମୟପୋଯୋଗୀ ପଦକ୍ଷେପ ଯୋଗୁଁ ଏହା ସମ୍ଭବ ହୋଇପାରିଛି । ଭଞ୍ଜନଗର ବଡ଼କୋଦଣ୍ଡା ଅଞ୍ଚଳର ଆଶିଷ ସାହୁ ବାପା, ମାଙ୍କ ସହ ଭୁବନେଶ୍ୱରରେ ରହି ଏକ ଘରୋଇ କଲେଜରେ ଡିଏମ୍ଏଲ୍ଟି ପଢ଼ୁଥିଲେ । ବାପା ତ୍ରିପତି ସାହୁ ଏକ ବ୍ୟବସାୟିକ ସଂସ୍ଥାରେ ଶ୍ରମିକ । ଆର୍ଥିକ ସ୍ଥିତି ଭଲ ନ ଥିବାରୁ ପରୀକ୍ଷା ପରେ ଆଶିଷ ବିବାହ ମଣ୍ଡପରେ କ୍ୟାଟରିଂ ବୟ କାମ କରୁଥିଲେ । ଚଳିତ ମାସ ୪ ତାରିଖରେ କ୍ୟାଟରିଂ କାମ ସାରି ସାଙ୍ଗ ତଥା ଯାଜପୁର ମଙ୍ଗଳପୁର ଅଞ୍ଚଳର ଚନ୍ଦ୍ରଶେଖର ମହାରଣାଙ୍କ ସହ ବାଇକ୍ରେ ଭଡ଼ା ଘରକୁ ଫେରିବା ବେଳେ ପୁରୀ ବାଇପାସ୍ ରାସ୍ତା ରେବତୀ ନଗର ନିକଟରେ ଏକ କାର୍ ସେମାନଙ୍କୁ ଧକ୍କା ଦେଇଥିଲା । ଘଟଣାସ୍ଥଳରେ ଚନ୍ଦ୍ରଶେଖରଙ୍କର ମୃତ୍ୟୁ ଘଟିଥିବା ବେଳେ ଆଶିଷ ଗୁରୁତର ଅବସ୍ଥାରେ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ । ପରେ ଆଶିଷଙ୍କୁ ଏସ୍ସିବିକୁ ସ୍ଥାନାନ୍ତର କରାଯାଇଥିଲା । ଏସ୍‌ସିବି ଟ୍ରମା କେୟାର୍ ସେଣ୍ଟରରେ ଅବସ୍ଥାରେ କୌଣସି ସୁଧାର ଆସିନଥିଲା ।

ଆହୁରି ପଢନ୍ତୁ- ଚାର୍ଜସିଟ୍ରୁ ନୂଆ ଟ୍ଵିଷ୍ଟ : ବିକ୍ରମଙ୍କ ଆପତ୍ତିଜନକ ଫଟୋ ପାଇଁ ପୀତବାସଙ୍କୁ ହତ୍ୟା, ଆଲମାରୀ ସିକ୍ରେଟ୍ ଚାମ୍ବର୍ରୁ ମିଳିଲା ପେନ୍ଡ୍ରାଇଭ୍

ଗତ ୭ ତାରିଖ ରାତିରେ ଆଶିଷଙ୍କୁ ଡାକ୍ତରୀ ଟିମ୍ ବ୍ରେନ୍ ଡ୍ରେଡ୍ ଘୋଷଣା କରିଥିଲେ । ନିକଟସ୍ଥ ରେଡକ୍ରସ୍ ରକ୍ତ ଭଣ୍ଡାରରେ ନର୍ସିଂ ଅଫିସର ଆଶିଷଙ୍କ ମାଉସୀ ଝିଅ ଭଉଣୀ ସଚିତା ନାୟକ ଆଶିଷଙ୍କ ସ୍ମୃତିରକ୍ଷା ଲାଗି ତାଙ୍କ ବାପାମାଆଙ୍କୁ ଅଙ୍ଗଦାନ ପାଇଁ ବୁଝାଇଥିଲେ । ଅଭିଭାବକଙ୍କ ସମ୍ମତି ପରେ ସୋଟୋ ଟିମ୍ ଏସସିବି ଓ ଏମ୍ସ ସମେତ ଘରୋଇ ହସ୍ପିଟାଲ ସହ ସମନ୍ୱୟ ରକ୍ଷା କରି ଅଙ୍ଗ ଗ୍ରହଣ କରିବା ପ୍ରକ୍ରିୟା ଆରମ୍ଭ କରିଥିଲେ । ଟ୍ରମା କାଜୁଆଲଟିର ମେଡିକାଲ୍ ଅଫିସର ଡାକ୍ତର ଜେପି ବିଶ୍ୱାଳ, ଏସସିବି ୟୁରୋଲୋଜି ବିଭାଗ ମୁଖ୍ୟ ସମୀର ସ୍ୱାଇଁଙ୍କ ସମେତ ଏକ ଡାକ୍ତରୀ ଟିମ୍ ଆଶିଷଙ୍କଠାରୁ କିଡନୀ ଓ ଲିଭର ସଂଗ୍ରହ କରିଥିଲେ । ଆଶିଷଙ୍କ ସମ୍ମାନର୍ଥେ ଏସ୍ସିବି ମେଡିକାଲ ପ୍ରଶାସନ ପକ୍ଷରୁ ତାଙ୍କୁ ଶେଷ ସମ୍ମାନ ପ୍ରଦାନ କରାଯାଇଥିଲା । ସେହିପରି ପୁରୀ ସ୍ୱର୍ଗଦ୍ୱାରରେ ଶେଷକୃତ୍ୟ ସମ୍ପନ୍ନ ବେଳେ ପ୍ରଶାସନ ପକ୍ଷରୁ ତାଙ୍କୁ ଗାର୍ଡ ଅଫ୍ ଅନର୍ ପ୍ରଦାନ କରାଯାଇଥିଲା।