କଟକ,୩୦/୦୩: ଗ୍ରୀଷ୍ମ ପ୍ରବାହ ସମୟରେ ଯାତ୍ରୀମାନେ କିପରି ସୁରକ୍ଷିତ ଯାତ୍ରା କରିବେ ତାହା ସୁନିଶ୍ଚିତ କରାଯିବ । ସବୁ ବସ୍‌ରେ ବିଶୁଦ୍ଧ ପାନୀୟ ଜଳ ରଖାଯିବ । ଏଥିସହ ବରଫ ପ୍ୟାକେଟ୍‌, ପ୍ରାଥମିକ  ଚିକିତ୍ସା କିଟ୍‌ ଏବଂ ଓଆର୍‌ଏସ୍‌ ପ୍ୟାକେଟ୍‌ ମଧ୍ୟ ବସ୍‌ରେ ରହିବ । ରାଜ୍ୟ ପରିବହନ ପ୍ରାଧିକରଣ (ଏସ୍‌ଟିଏ)  ପକ୍ଷରୁ ଜାରି ନିର୍ଦ୍ଦେଶାବଳୀରେ ଏହା ସ୍ପଷ୍ଟ କରାଯାଇଛି । ସେହିପରି ବସ୍‌ ଷ୍ଟପ୍‌ଗୁଡ଼ିକରେ ପର୍ଯ୍ୟାପ୍ତ ବିଶ୍ରାମ ସ୍ଥାନ  ବ୍ୟବସ୍ଥା କରାଯିବ । ସାର୍ବଜନୀନ ପରିବହନ ଯାନରେ  ଯାତ୍ରୀ ସୁରକ୍ଷା ଏବଂ ଆରାମକୁ ଗୁରୁତ୍ୱ ଦିଆଯିବ ।  ନିର୍ଦ୍ଧାରିତ ସଂଖ୍ୟାର ଅନୁମତିକୁ ଉଲ୍ଲଂଘନ କରି ଅଧିକ  ଯାତ୍ରୀ ନେଉଥିବା ଯାନ ବିରୋଧରେ ଦୃଢ଼ ପଦକ୍ଷେପ  ନିଆଯିବ ବୋଲି ଏସ୍‌ଟିଏ ପକ୍ଷରୁ କୁହାଯାଇଛି ।  

ଶନିବାର ଏନେଇ ଏସ୍‌ଟିଏର ବରିଷ୍ଠ ଅଧିକାରୀ,  ସମସ୍ତ ଆର୍‌ଟିଓ ଏବଂ ଏଆର୍‌ଟିଓଙ୍କ ସହିତ ବୈଠକ  କରିଥିଲେ । ନିଷ୍ପତ୍ତି ହୋଇଥିଲା ଯେ, ଦୂର ଯାତ୍ରୀଙ୍କ  ପାଇଁ ରାଜପଥରେ ଜଳ କିଓସ୍କ୍‌ ସ୍ଥାପନ କରି ପାନୀୟ  ଜଳ ଯୋଗାଇ ଦିଆଯିବ । ଓଭର୍‌ଲୋଡିଂ, ବସ୍‌ ଛାତ  ଉପରେ ବସି ଯାତ୍ରା କରିବା ଏବଂ ଝୁଲନ୍ତା ଅବସ୍ଥାରେ  ଯାତ୍ରୀ ନେଉଥିବା ଯାନଠାରୁ ଜରିମାନା ଆଦାୟ କରାଯିବ ।  ଆର୍‌ଟିଓ କାର୍ଯ୍ୟାଳୟରେ ଏକ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍‌  କାର୍ଯ୍ୟ କରିବ । ଏଥିସହ ଓଡ଼ିଶାରୁ ଯାତ୍ରୀ ନେଇ ଯାଉଥିବା  ବସ୍‌ ବିରୋଧରେ ଉକ୍ତ ପଦକ୍ଷେପ ନେବାକୁ ଏସ୍‌ଟିଏ  ପକ୍ଷରୁ ପଡୋଶୀ ରାଜ୍ୟଗୁଡିକୁ ଅନୁରୋଧ କରାଯାଇଛି । ଏ ଦିଗରେ ବ୍ୟାପକ ସଚେତନତା ପାଇଁ ବସ୍‌ ଏବଂ ଟ୍ରକ୍‌  ମାଲିକ ସଂଘ ସହଭାଗିତାରେ ହେଲ୍‌ପଲାଇନ୍‌ ନମ୍ବର  ଯୋଗାଇ ଦିଆଯିବ । ସ୍ଥାନୀୟ ଏନ୍‌ଜିଓଗୁଡିକୁ ବି ସାମିଲ  କରାଯିବ । ଆବଶ୍ୟକସ୍ଥଳେ ବସ୍‌ ଷ୍ଟାଣ୍ଡରେ ଯାତ୍ରୀଙ୍କୁ  ପ୍ରାଥମିକ ଚିକିତ୍ସା ଯୋଗାଇ ଦେବାକୁ ଏନ୍‌ଫୋର୍ସମେଣ୍ଟ  ଦଳ ସହ ଡାକ୍ତରଙ୍କୁ ପଠାଯିବ । ଏ ସମ୍ବନ୍ଧରେ ସମୀକ୍ଷା  ପାଇଁ ନିୟମିତ ବୈଠକ ହେବ । ପୂର୍ବାହ୍ଣ ୧୧ଟାରୁ ଅପରାହ୍ଣ  ୩ଟା ପର୍ଯ୍ୟନ୍ତ ଯାତ୍ରୀବାହୀ ଯାନଗୁଡ଼ିକ ଉପରେ ବିଶେଷ  ଧ୍ୟାନ ଦିଆଯିବ । ପ୍ରତିକୂଳ ପରିସ୍ଥିତି ଏଡ଼ାଇବା ପାଇଁ  ଆର୍‌ଟିଓ, ଏଆର୍‌ଟିଓ ଜିଲ୍ଲା ପ୍ରଶାସନ ଏବଂ ଏସ୍‌ଟିଏ  ସହ ଯୋଗାଯୋଗ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି ।