ନୂଆଦିଲ୍ଲୀ: ଗୁଜୁରାଟ ଆତଙ୍କବାଦ ନିରୋଧୀ ଦଳ (ATS) ଏକ ବଡ଼ ଅଭିଯାନ ଚଳାଇ ଅଲ-କାଏଦାର ମଡ୍ୟୁଲ୍ AQIS ର ଏକ ନୂଆ ଯୋଜନାକୁ ପଣ୍ଡ କରିଦେଇଛି । ଏହି ଅଭିଯାନରେ ATS ଚାରି ଜଣ ସନ୍ଦିଗ୍ଧ ଆତଙ୍କବାଦୀଙ୍କୁ ଗିରଫ କରିଛି। ଏହି ଗିରଫଙ୍କ ମଧ୍ୟରେ ଗୁଜୁରାଟରୁ୨ ଜଣ ଏବଂ ଦିଲ୍ଲୀ ଏବଂ ନୋଏଡାରୁ ଜଣେ ଲେଖାଏଁ ଆତଙ୍କବାଦୀଙ୍କୁ ଗିରଫ କରାଯାଇଛି।
ଗିରଫ ହୋଇଥିବା ଚାରି ଜଣ ଆତଙ୍କବାଦୀଙ୍କ ବୟସ୨୦ ରୁ ୨୫ ବର୍ଷ ମଧ୍ୟରେ ହେବ ବୋଲି ସୂଚନା ରହିଛି । ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ, ଏହି ଆତଙ୍କବାଦୀ ମାନଙ୍କୁ ଭାରତରେ ବଡ଼ ଟାର୍ଗେଟ୍ ଏବଂ ବଡ଼ ସ୍ଥାନ ଉପରେ ଆକ୍ରମଣ କରିବାର ଦାୟିତ୍ୱ ଦିଆଯାଇଥିଲା। ତଦନ୍ତରୁ ଜଣାପଡିଛି ଯେ ଏହି ଚାରି ଜଣ ଆତଙ୍କବାଦୀ ସୋସିଆଲ ମିଡିଆ ଆପ୍ ମାଧ୍ୟମରେ ପରସ୍ପର ସହିତ ଜଡିତ ଥିଲେ। ଏହା ବ୍ୟତୀତ ସେମାନଙ୍କର ସୀମା ପାର ଲିଙ୍କ୍ ମଧ୍ୟ ସାମ୍ନାକୁ ଆସିଛି।
ଆତଙ୍କବାଦ ନିରୋଧୀ ସଂସ୍ଥା ଏକ ବିବୃତ୍ତିରେ କହିଛି,"ଗୁଜୁରାଟ ATS AQIS ସହିତ ଜଡିତ ଏକ ଆତଙ୍କବାଦ ମଡ୍ୟୁଲ୍କୁ ଧ୍ୱଂସ କରିଛି। ଏହି ନିଷିଦ୍ଧ ଆତଙ୍କବାଦୀ ସଂଗଠନ ସହିତ ଜଡିତ ଚାରି ଜଣଙ୍କୁ ଗିରଫ କରାଯାଇଛି । ୨୦୨୩ ମସିହାରେ, ଏହି ଆତଙ୍କବାଦୀ ସଂଗଠନ ସହିତ ସମ୍ପର୍କ ରଖିଥିବା ଅଭିଯୋଗରେ ଅହମଦାବାଦର ବିଭିନ୍ନ ସ୍ଥାନରୁ ଚାରି ଜଣ ବାଂଲାଦେଶୀ ନାଗରିକଙ୍କୁ ଗିରଫ କରାଯାଇଥିଲା। ଏବେ ତଦନ୍ତ ଜାରି ରହିଛି । ପରେ ଏହି ଅପରେସନ୍ ବିଷୟରେ ଅଧିକ ବିବରଣୀ ପ୍ରଦାନ କରିବ ATS।