ଅହମ୍ମଦାବାଦ, ୨୯/୦୭ : ସାଇବର୍ ଲୁଟେରାଙ୍କ ଆତଙ୍କରାଜ୍। ୩ ମାସ ଯାଏଁ ଡିଜିଟାଲ୍ ଆରେଷ୍ଟ। ୨୦ କୋଟି ଟଙ୍କାର ଠକେଇ। ଏଫ୍‌ଡି ଭାଙ୍ଗି, ସେୟାର ବିକି ଶେଷରେ ସୁନା ଋଣ କରି ଟଙ୍କା ଦେଲେ ଡାକ୍ତରାଣୀ। ଗାନ୍ଧୀନଗରରେ ଦେଶର ସବୁଠୁ ବଡ଼ ଡିଜିଟାଲ୍ ଆରେଷ୍ଟ। ସୁରଟରୁ ବନ୍ଧା ହେଲା ଠକ। ଲାଲଜୀଭାଇ ବଲଦାନିୟା ନାମକ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି ପୁଲିସ। 

ସୂଚନା ଅନୁସାରେ, ଗାନ୍ଧୀନଗରରେ ରହୁଥିବା ଜଣେ ଡାକ୍ତରାଣୀଙ୍କ ନିକଟକୁ ଚଳିତବର୍ଷ ମାର୍ଚ୍ଚ ମାସରେ ଦୂରସଞ୍ଚାର ବିଭାଗରୁ ଜ୍ୟୋତି ବିଶ୍ୱନାଥ ନାମକ ଜଣେ ବ୍ୟକ୍ତିଙ୍କର ଫୋନ୍‌ ଆସିଥିଲା । ଏହାପରେ ତାଙ୍କୁ ଜଣେ ପୁଲିସ ଇନ୍‌ସପେକ୍ଟର ଓ ଜଣେ ସରକାରୀ ଓକିଲଙ୍କ ସମେତ ଅନେକ ନାଁରୁ ଫୋନ୍‌ ଆସିଥିଲା । ଫୋନ୍‌ରେ ଡାକ୍ତରାଣୀଙ୍କୁ ଧମକ ଦିଆଯାଇଥିଲା । ତାଙ୍କ ମୋବାଇଲ୍‌ ନମ୍ବରରୁ ଅନେକ ଲୋକଙ୍କୁ ବାରମ୍ବାର ଅପମାନଜନକ ମେସେଜ୍‌ ପଠାଯାଉଥିବା ଦର୍ଶାଇ ତାଙ୍କ ବିରୋଧରେ ଏଫ୍‌ଆଇଆର କରାଯିବାର ଭୟ ଦେଖାଯାଇଥିଲା । କେବଳ ସେତିକି ନୁହେଁ, ଧୀରେ ଧୀରେ ମହିଳାଙ୍କୁ ଅନେକ ସରକାରୀ ଏଜେନ୍ସି ନାମରେ ଧମକପୂର୍ଣ୍ଣ ଚିଠି ମିଳିଥିଲା । ସେଥିରେ ଦର୍ଶାଯାଇଥିଲା ଯେ, ସାଦା ପୋଷାକରେ ତାଙ୍କ ଘର ଆଖପାଖରେ ପୁଲିସକର୍ମୀ ବୁଲୁଛନ୍ତି । ତେଣୁ ଜେଲ୍‌ ଯିବାରୁ ରକ୍ଷା ପାଇବାକୁ ହେଲେ ନିଜର ସବୁ ସମ୍ପତ୍ତିର ବିବରଣୀ ଦେବାକୁ ହେବ । ଡରି ଯାଇ ଡାକ୍ତରାଣୀ ଠକଙ୍କୁ ତାଙ୍କ ପୂରା ସମ୍ପତ୍ତିର ତାଲିକା ଦେଇଥିଲେ । ସେ ଏତେ ଡରି ଯାଇଥିଲେ ଯେ ଯେଉଁସ୍ଥାନକୁ ଯାଉଥିଲେ ସେଠାରୁ ଭିଡିଓ କଲ୍‌ କରି ଠକଙ୍କୁ ତାଙ୍କ ଲୋକେସନ୍‌ ସେୟାର କରୁଥିଲେ । ଏହାପରେ ଠକମାନେ ମାମଲାକୁ ରଫାଦଫା କରିବା କଥା କହି ତାଙ୍କଠାରୁ ପର୍ଯ୍ୟାୟକ୍ରମେ ୧୯.୨୪ କୋଟି ଟଙ୍କା ଠକି ନେଇଥିଲେ । ଡାକ୍ତରାଣୀ ସେମାନଙ୍କୁ ନିଜର ସଞ୍ଚିତ ସମସ୍ତ ଅର୍ଥ ସହିତ ଘରେ ଥିବା ସୁନା ବିକି ଟଙ୍କା ଦେଇଥିଲେ । ଏପରିକି ଠକଙ୍କୁ ଦେବା ଲାଗି ସେ ସୁନା ଋଣ ବି କରିଥିଲେ ।  

କିଛି ଦିନ ପରେ ଅଚାନକ ଦିନେ ଡାକ୍ତରାଣୀଙ୍କୁ ଭିଡିଓ କଲ୍‌ କିମ୍ବା କୌଣସି ପ୍ରକାର କଲ୍‌ ଆସିବା ବନ୍ଦ ହୋଇଗଲା । ତାଙ୍କୁ ସନ୍ଦେହ ହେବାରୁ ସେ ବିଦେଶରେ ରହୁଥିବା ଦୁଇ ଝିଅଙ୍କ ସହ ଆଲୋଚନା କରିଥିଲେ । ଏହାପରେ ସେ ସାଇବର ଠକେଇର ଶିକାର ହୋଇଥିବା ଜାଣିବାରୁ ଗାନ୍ଧୀନଗର ସାଇବର ବିଭାଗରେ ମାମଲା ରୁଜୁ କରାଇଥିଲେ । ପ୍ରାଥମିକ ତଦନ୍ତରୁ ଏହି ମାମଲାରେ କାମ୍ବୋଡିଆ ଓ ଭାରତର ଏକ ଗ୍ୟାଙ୍ଗ୍‌ ସାମିଲ ଥିବା ସିଆଇଡି ଜାଣିବାକୁ ପାଇଛି । ଏହି ମାମଲାରେ ପୁଲିସ ସୁରଟରୁ ଲାଲଜୀଭାଇ ବଲଦାନିୟା ନାମକ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି । ବଲଦାନିୟାଙ୍କ ଖାତାକୁ ମଧ୍ୟ ଏକ କୋଟି ଟଙ୍କା ଟ୍ରାନ୍ସଫର କରାଯାଇଥିଲା ।