ନୂଆଦିଲ୍ଲୀ: ୨୦୨୨ ମସିହାର ଆଇପିଏଲ ଚାମ୍ପିଅନ୍ ଗୁଜରାଟ ଟାଇଟାନ୍ସ ଆଇପିଏଲ ୨୦୨୫ରୁ ବାଦ ପଡ଼ିଛି। ଜିଟି ଏଲିମିନେଟର ମ୍ୟାଚ୍ରେ ମୁମ୍ବାଇ ଇଣ୍ଡିଆନ୍ସ ଦ୍ୱାରା ୨୦ ରନ୍ରେ ପରାସ୍ତ ହୋଇଛି। ଏହା ସହିତ, ମୁମ୍ବାଇ କ୍ୱାଲିଫାୟର-୨ରେ ସ୍ଥାନ ପାଇଛି, ଯେଉଁଠାରେ ସେମାନେ ଆସନ୍ତା ରବିବାର ପଞ୍ଜାବ କିଙ୍ଗ୍ସ ସହିତ ମୁକାବିଲା କରିବେ।
ମୁମ୍ବାଇ ନ୍ୟୁ ଚଣ୍ଡିଗଡ଼ର ମହାରାଜା ଯାଦବୀନ୍ଦ୍ର ସିଂହ ଅନ୍ତର୍ଜାତୀୟ ଷ୍ଟାଡିୟମ୍ରେ ଟସ୍ ଜିତି ମୁମ୍ୱାଇ ପ୍ରଥନେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଦଳ ୨୦ ଓଭରରେ ୫ ୱିକେଟ୍ ହରାଇ ୨୨୮ ରନ୍ ସଂଗ୍ରହ କରିଥିଲା। ଜବାବରେ, ଗୁଜରାଟ ୨୦ ଓଭରରେ ୬ ୱିକେଟ୍ ହରାଇ କେବଳ ୨୦୮ ରନ୍ ସଂଗ୍ରହ କରିପାରିଥିଲା। ଟ୍ରେଣ୍ଟ ବୋଲ୍ଟ ୨ଟି ୱିକେଟ୍ ନେଇଥିଲେ। ଜସପ୍ରିତ ବୁମରାହ, ରିଚାର୍ଡ ଗ୍ଲିସନ୍, ମିଚେଲ୍ ସାଣ୍ଟନର ଏବଂ ଅଶ୍ୱିନୀ କୁମାର ଗୋଟିଏ ଲେଖାଏଁ ୱିକେଟ୍ ପାଇଥିଲେ। ସାଇ ସୁଦର୍ଶନ (୮୦ ରନ୍) ଅର୍ଦ୍ଧଶତକୀୟ ଇନିଂସ୍ ଖେଳିଥିଲେ। ୱାଶିଂଟନ୍ ସୁନ୍ଦର ୪୮ ରନ୍ କରିଥିଲେ।
ମୁମ୍ୱାଇ ପକ୍ଷରୁ ରୋହିତ ଶର୍ମା ୫୦ ବଲ୍ରେ ୮୧ ରନ୍ର ଇନିଂସ୍ ଖେଳିଥିଲେ। ସେ ୯ ଚୌକା ଏବଂ ୪ ଛକା ମାରିଥିଲେ। ରୋହିତଙ୍କ ବ୍ୟତୀତ ଜନି ବେୟାରଷ୍ଟୋ ୪୭, ସୂର୍ଯ୍ୟକୁମାର ଯାଦବ ୩୩, ତିଲକ ବର୍ମା ୨୫ ଏବଂ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଅପରାଜିତ ରହି ୨୨ ରନ୍ ସଂଗ୍ରହ କରିଥିଲେ। ଗୁଜରାଟର ପ୍ରସିଦ୍ଧ କୃଷ୍ଣ ଏବଂ ସାଇ କିଶୋର ୨-୨ ୱିକେଟ୍ ପାଇଥିଲେ।