ନୂଆଦିଲ୍ଲୀ:  ମେଗା ଅକ୍ସନ ପୂର୍ବରୁ ଗୁଜରାଟ ଟାଇଟନ୍ସ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରିଛି । ଅନୁଭବୀ ଖେଳାଳି ପାର୍ଥିବ ପଟେଲଙ୍କୁ ବଡ଼ ଦାୟିତ୍ବ ଦେଇଛି । ଟିମ୍ ପାର୍ଥିବ ପଟେଲଙ୍କୁ ଆସିଷ୍ଟାଣ୍ଟ ଏବଂ ବ୍ୟାଟିଂ କୋଚ୍‌ ନିଯୁକ୍ତ କରିଛି । ପ୍ରଶିକ୍ଷଣ କ୍ଷେତ୍ରରେ ପାର୍ଥିବ ପଟେଲଙ୍କ ଭଲ ଅଭିଜ୍ଞତା ରହିଛି । ସେ ଅନେକ ଟିମ୍‌ ସହ କାମ କରିସାରିଛନ୍ତି । ମୁମ୍ବାଇ ଇଣ୍ଡିଆନ୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଟିମ୍‌ର ପ୍ରଶିକ୍ଷଣ ଟିମ୍‌ରେ କାର୍ଯ୍ୟ କରିଛନ୍ତି  ପାର୍ଥିବ।

ଗୁଜରାଟ ଟାଇଟନ୍ସ ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି ଯେ,  ‘ଦୀର୍ଘ ୧୭ ବର୍ଷର କ୍ରିକେଟ କ୍ୟାରିୟର ଥିବା ପୂର୍ବତନ ଭାରତୀୟ ଓ୍ବିକେଟକିପର ବ୍ୟାଟର ପାର୍ଥିବ ପଟେଲ ଆମ ଟିମ୍‌ ସହ ଅଭିଜ୍ଞତା ବାଣ୍ଟିବେ ।’ ସେପଟେ ନିକଟରେ ଗୁଜରାଟ ଟିମ୍‌ ନିଜର ରିଟେନ୍‌ ଲିଷ୍ଟ ଜାରି କରିଥିଲା ।  ଶୁଭମନ ଗିଲଙ୍କ ସେମତ ୫ ଜଣ ଖେଳାଳିଙ୍କୁ ରିଟେନ କରିଛି ଟିମ୍‌ । ଏବେ ଗୁଜରାଟ ଟାଇଟନ୍ସ ଅକ୍ସନରେ ସାମିଲ ହେବା ପୂର୍ବରୁ ପାର୍ଥିବ ପଟେଲଙ୍କ ପରାମର୍ଶ ନେବ। ପାର୍ଥିବ ପଟେଲ ମୁମ୍ବାଇ ଇଣ୍ଡିଆନ୍ସ ସହ କାମ କରିସାରିଛନ୍ତି । ସେ ମୁମ୍ବାଇ ଏମିରେଟସ୍‌ର କୋଚ୍‌ ମଧ୍ୟ ଥିଲେ । ଏହା ବ୍ୟତୀତ ସେ ଆଇପିଏଲରେ ୧୩୯ଟି ମ୍ୟାଚ୍‌ ଖେଳିଥିଲେ । ଏହି ସବୁ ମ୍ୟାଚ୍‌ରେ ପାର୍ଥିବ ୧୩ଟି ଅର୍ଦ୍ଧଶତକ ସହ ୨୮୪୮ ରନ୍‌ କରିଥିଲେ । 




ପାର୍ଥିବ ପଟେଲଙ୍କ ସର୍ବଶ୍ରେଷ୍ଠ ଆଇପିଏଲ ସ୍କୋର ୮୧ ରନ୍‌ ଥିଲା । ସେହିଭଳି ଭାରତୀୟ ଟିମ୍‌ରେ ପ୍ରାର୍ଥିବ ପଟେଲ ଭଲ ପ୍ରଦର୍ଶନ କରିଥିଲେ । ଟିମ ଇଣ୍ଡିଆ ପାଇଁ ସେ ୩୮ଟି ଦିନିକିଆ ମ୍ୟାଚ୍‌ ଖେଳିଥିଲେ । ଏହି ସମୟରେ ସେ ୭୩୬ ରନ୍‌ କରିଥିଲେ । ସେହିଭଳି ୨୫ଟି ଟେଷ୍ଟ ମ୍ୟାଚ୍‌ ଖେଳି ୯୩୪ କରିଥିଲେ ପାର୍ଥିବ ପଟେଲ ।  ଟେଷ୍ଟରେ ପାର୍ଥିବ ପଟେଲ ୬ଟି ଅର୍ଦ୍ଧଶତକ କରିଥିଲେ । ପୂର୍ବତନ କ୍ରିକେଟର ପାର୍ଥିବ ପଟେଲ୍‌ ଭାରତୀୟ ଟିମ୍‌ ଲାଗି କେବଳ ଦୁଇଟି ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳିଥିଲେ ।