ନୂଆଦିଲ୍ଲୀ: ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଲା ଗୁଜୁରାଟ । କୋଲକାତାକୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଛନ୍ତି ଗିଲ୍ । କୋଲକାତା ପ୍ରଥମେ ବ୍ୟାଟିଂ କରୁଥିବାବେଳେ ବଡ଼ ସ୍କୋର କରିବା ପାଇଁ ଲକ୍ଷ୍ୟ ରଖିବ । ଆଜି ଦଳରେ ଦୁଇଟି ପରିବର୍ତ୍ତନ କରିଛି କୋଲକାତା । ଦଳକୁ ଆହତ ପରେ ଫେରିଛନ୍ତି ବରୁଣ ଚକ୍ରବର୍ତ୍ତୀ । ଏହାସହ ସୌରଭ ଦୁବେଙ୍କୁ ଦଳରେ ଖେଳିବା ପାଇଁ ସୁଯୋଗ ମିଳିଛି । ଆଜିର ମ୍ୟାଚରେ କୋଲକାତା ହାରିଲେ ପ୍ଲେଅଫରୁ ବାଦ୍ ପଡ଼ିବ । ଏଣୁ ଦଳ ଦମଦାର ପ୍ରଦର୍ଶନ କରିବା ଲକ୍ଷ୍ୟରେ ରହିବ ।
ଏହି ମ୍ୟାଚ ଜିତି ଗୁଜରାଟ ପ୍ରଥମ ଦଳ ଭାବେ ପ୍ଲେ-ଅଫ୍ରେ ସ୍ଥାନ ପକ୍କା କରିବାକୁ ଲକ୍ଷ୍ୟ ରଖିଛି । କୋଲକାତା ପାଇଁ ମଧ୍ୟ ବିଜୟ ଜରୁରି । ଜିତିଲେ ପ୍ଲେ-ଅଫ ଆଶା ଉଜ୍ଜୀବିତ ରହିବ, ପରାଜିତ ହେଲେ ବିଦାୟ ନେବ । ଫଳରେ ଆଜି ଏକ ସଂଘର୍ଷପୂର୍ଣ୍ଣ ମୁକାବିଲା ଦେଖିବାକୁ ମିଳିବ ।
କୋଲକାତା ୧୧ଟି ମ୍ୟାଚ ଖେଳି ୯ ପଏଣ୍ଟ ଅର୍ଜନ କରିଛି । ପ୍ଲେ-ଅଫ୍ରେ ପ୍ରବେଶ କରିବାକୁ ହେଲେ ଘରୋଇ ଦଳକୁ ସମସ୍ତ ୩ଟି ଯାକ ମ୍ୟାଚ ଜିତିବାକୁ ହେବ । କୋଲକାତା ପ୍ରଥମ ୬ଟି ମ୍ୟାଚରୁ ମାତ୍ର ୧ ପଏଣ୍ଟ ଅର୍ଜନ କରିଥିଲା । ଏହାପରେ ଦଳ କ୍ରମାନ୍ୱୟରେ ୪ଟି ମ୍ୟାଚ ଜିତି ପ୍ଲେ-ଅଫ୍ ଦୌଡ଼ରେ ସାମିଲ ହୋଇଥିଲା । ମାତ୍ର ଗତ ବୁଧବାର ଦିନ କୋଲକାତାର ବିଜୟ ଧାରାରେ ବ୍ରେକ ଲଗାଇଥିଲା ବେଙ୍ଗାଲୁରୁ । ଏହି ପରାଜୟକୁ ଭୁଲି କୋଲକାତାକୁ ପୁଣି ଥରେ ଶ୍ରେଷ୍ଠ ପ୍ରଦର୍ଶନ କରିବାକୁ ହେବ । ଗୁଜରାଟ କ୍ରମାନ୍ୱୟରେ ୫ଟି ମ୍ୟାଚ ଜିତି ପଏଣ୍ଟ ତାଲିକାର ଦ୍ୱିତୀୟ ସ୍ଥାନରେ ରହିଛି । ଉଭୟ ବିଭାଗରେ ଦଳ ଶ୍ରେଷ୍ଠ ପ୍ରଦର୍ଶନ କରୁଛି ।
ଏହାସହ ପଢ଼ନ୍ତୁ : ବାହାଘର ହୋଇ ପାରୁନାହିଁ କି? ଏହି ବିଧାୟକ ଖୋଜୁଛନ୍ତି ବାଡୁଅଙ୍କ ବାୟୋଡାଟା...