ନୂଆଦିଲ୍ଲୀ,୧୧/୧୧: ପାକିସ୍ତାନ ବୋଲର ନସିମ ଶାହଙ୍କ ଘର ଉପରେ ଆଖିବୁଜା ଗୁଳିମାଡ । ଫଳରେ ଅନେକ କ୍ଷୟକ୍ଷତି ହୋଇଛି। ଆକ୍ରମଣ ପରେ ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ତଦନ୍ତ ଆରମ୍ଭ କରିଛି।ତେବେ ନସିମ ଶାହଙ୍କ ଘର ଖାଇବର ପଖତୁନଖ୍ୱାର ଲୋୟର ଡିର ଜିଲ୍ଲାରେ ଅବସ୍ଥିତ।
ରିପୋର୍ଟ ଅନୁସାରେ, ନସିମ ଶାହଙ୍କ ଘର ଉପରେ ଖୋଲାଖୋଲି ଗୁଳି ଚାଳନା କରାଯାଇଥିଲା, ଯାହା ଫଳରେ ଅନେକ ଜିନିଷପତ୍ର କ୍ଷତିଗ୍ରସ୍ତ ହୋଇଥିଲା। ଆକ୍ରମଣରେ ନସିମ ଶାହଙ୍କ ଘରର ଝରକା, ମୁଖ୍ୟ ଫାଟକ ଏବଂ ପାର୍କିଂ ଅଞ୍ଚଳ ଗୁରୁତର ଭାବରେ କ୍ଷତିଗ୍ରସ୍ତ ହୋଇଛି। ତେବେ ଆକ୍ରମଣ ସମୟରେ ନସିମ ଶାହଙ୍କ ପରିବାର ଲୋକେ ଘରେ ଥିବାବେଳେ ସମସ୍ତେ ସୁରକ୍ଷିତ ଥିବା ଜଣାପଡିଛି। ଏହି ଘଟଣାରେ ପୁଲିସ ସମ୍ପୃକ୍ତ ୫ ଜଣଙ୍କୁ ଗିରଫ କରିଛି ଏବଂ ସେମାନଙ୍କୁ ପଚରାଉଚରା କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଆକ୍ରମଣ ପରେ ପୁଲିସ ନସିମ ଶାହଙ୍କ ଘର ବାହାରେ ମଧ୍ୟ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି କରିଛି। ତେବେ ଆକ୍ରମଣ ସମୟରେ ନସିମ ପାକିସ୍ତାନ କ୍ରିକେଟ୍ ଦଳ ସହିତ ରାୱଲପିଣ୍ଡିରେ ଥିଲେ । ନସିମ ଶାହଙ୍କୁ ଶ୍ରୀଲଙ୍କା ବିପକ୍ଷରେ ନଭେମ୍ବର ୧୧ ରୁ ୧୫ ତାରିଖ ମଧ୍ୟରେ ଖେଳାଯିବାକୁ ଥିବା ତିନି ମ୍ୟାଚ୍ ବିଶିଷ୍ଟ ଏକଦିବସୀୟ ସିରିଜ୍ ପାଇଁ ଚୟନ କରାଯାଇଛି।ଓଡିଆଇ ସିରିଜ ପରେ, ନସିମ ଶାହ ତିନିରାଷ୍ଟ୍ରୀୟ ଟି୨୦ ସିରିଜରେ ମଧ୍ୟ ପାକିସ୍ତାନର ପ୍ରତିନିଧିତ୍ୱ କରିବେ। ପାକିସ୍ତାନ ଏବଂ ଶ୍ରୀଲଙ୍କା ସହିତ ଟି୨୦ ସିରିଜରେ ଜିମ୍ବାୱେ ତୃତୀୟ ଦଳ ହେବ। ଟି୨୦ ମ୍ୟାଚ୍ ୧୭ ରୁ ୨୯ ତାରିଖ ମଧ୍ୟରେ ରାୱଲପିଣ୍ଡି ଏବଂ ଲାହୋରରେ ଖେଳାଯିବ ବୋଲି ସୂଚନା ରହିଛି।