ନୂଆଦିଲ୍ଲୀ: ପହଲଗାମ ଆତଙ୍କବାଦୀ ଆକ୍ରମଣକୁ ନେଇ ବେଳକୁ ବେଳ ଆସୁଛି ନୂଆ ନୂଆ ଅପଡେଟ୍ । ସୈତାନଙ୍କ ଏହି ରକ୍ତର ହୋଲିରେ ଯାଇଛି ୨୬ ଜଣ ନୀରିହ ପର୍ଯ୍ୟଟକଙ୍କ ଜୀବନ । ମଙ୍ଗଳବାର ଜମ୍ମୁକାଶ୍ମୀର ଅନନ୍ତନାଗ ଜିଲ୍ଲାର ପହଲଗାମ ବୈସରନ ଭ୍ୟାଲିରେ ଆତଙ୍କବାଦୀ ମାନେ ଏହି ବୀଭତ୍ସ ଖେଳ ଖେଳିଯାଇଛନ୍ତି । ତେବେ ସବୁଠାରୁ ବଡ କଥା ହେଉଛି ୨୬ ଜଣ ମୃତକଙ୍କ ମଧ୍ୟରେ ୨ ଜଣ ବିଦେଶୀ ପର୍ଯ୍ୟଟକ, ଦୁଇ ଜଣ ସ୍ଥାନୀୟ ବାସିନ୍ଦା ଏବଂ ବହୁ ଉଚ୍ଚପଦାଧିକାରୀ ବ୍ୟକ୍ତିବିଶେଷ ରହିଛନ୍ତି ।
ରିପୋର୍ଟ ମୁତାବକ ମୃତକଙ୍କ ମଧ୍ୟରେ ୨୬ ବର୍ଷିୟ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ବିନୟ ନରଓ୍ବଲ ରହିଛନ୍ତି । ଯିଏକି କୋଚିରେ ନିଯୁକ୍ତ ରହିଥିଲେ । ଏହି ସମୟରେ ଛୁଟି କାଟିବାକୁ ଆସିଥିଲେ । ସେ ହରିୟାଣାର ବାସିନ୍ଦା ଥିଲେ । ଏପ୍ରିଲ ୧୬ରେ ତାଙ୍କ ବିବାହ ହୋଇଥିବା ନୌସେନା ପକ୍ଷରୁ ସୂଚନା ମିଳିଛି ।
ପହଲଗାମର ଏହି ଭ୍ୟାଲି ବହୁ ଜଣାଶୁଣା । ଏହାକୁ ମିନି ସ୍ବିଜରଲ୍ୟାଣ୍ଡ ଭାବରେ ପର୍ଯ୍ୟଟକ ମାନେ ଅନୁଭବ କରନ୍ତି । ତେବେ ଆତଙ୍କବାଦୀ ଘଟଣା ପରେ ସଂପୃକ୍ତ ଅଂଚଳରେ ସୁରକ୍ଷାରେ ଘେରାବନ୍ଦୀ କରି ରଖାଯାଇଛି । ଏହି ଭ୍ୟାଲିକୁ ଯିବା ଆସିବା ପାଇଁ ମାଧ୍ୟମ ହେଉଛି କେବଳ ପାଦରେ ଚାଲି ଯିବା କିମ୍ବା ଘୋଡା ମାଧ୍ୟମରେ ଯିବା । ତେଣୁ ଏଠାରେ ଉଦ୍ଧାର କାର୍ଯ୍ୟ ବେସ୍ କଠିନ ରହିଛି । ଅଧିକାରୀ କହିଛନ୍ତି ଯେ, ଆହତଙ୍କ ଉଦ୍ଧାରକାର୍ଯ୍ୟ ପାଇଁ ଘଟଣାସ୍ଥଳକୁ ଚପର ହେଲିକ୍ୟାପ୍ଟରର ବ୍ୟବହାର କରାଯାଉଛି । ଏଥି ସହ ସ୍ଥାନୀୟ ଲୋକଙ୍କ ସହାୟତାରେ ଘୋଡା ଦ୍ବାରା ଉଦ୍ଧାରକାର୍ଯ୍ୟ ହେଉଛି ।