ହରିୟାଣା, ୨୨।୨: ଇନ୍ଦୋରର ଏମବିଏ ଛାତ୍ରୀଙ୍କ ସହ ଘଟିଥିବା ଘଟଣା ନ ଥମୁଣୁ, ଏବେ ଗୁରୁଗ୍ରାମରୁ ସାମ୍ନାକୁ ଆସିଛି ଏକ ସମାନ ଧରଣର ଛାତିଥରା ଘଟଣା । ବିବାହର ପ୍ରତିଶ୍ରୁତି ଦେଇ ଜଣେ ୧୯ ବର୍ଷୀୟା ବାୟୋଟେକ୍ ଛାତ୍ରୀଙ୍କୁ ତିନି ଦିନ ଧରି ପାଶବିକ ନିର୍ଯ୍ୟାତନା ଦେଇଛି ଲିଭ୍-ଇନ୍ ପାର୍ଟନର । ଅଭିଯୁକ୍ତ ଶିବମ୍ର କ୍ରୂରତା ଏମିତି ଥିଲା ଯେ, ସେ ଯୁବତୀଙ୍କ ଗୁପ୍ତାଙ୍ଗରେ ସାନିଟାଇଜର ଢାଳି ନିଆଁ ଲଗାଇବାକୁ ମଧ୍ୟ ପଛାଇ ନାହିଁ ।
ସୋସିଆଲ ମିଡିଆରୁ ବନ୍ଧୁତା ପରେ 'ଲିଭ୍-ଇନ୍' ପାର୍ଟନର:
ମୂଳତଃ ତ୍ରିପୁରାର ଏହି ଛାତ୍ରୀ ଜଣକ ଗୁରୁଗ୍ରାମର ଏକ ପ୍ରସିଦ୍ଧ ବିଶ୍ୱବିଦ୍ୟାଳୟରେ ପାଠ ପଢ଼ୁଥିଲେ । ଗତବର୍ଷ ଏକ ସୋସିଆଲ ମିଡିଆ ଆପ୍ ଜରିଆରେ ତାଙ୍କର ବନ୍ଧୁତା ଶିବମ୍ଙ୍କ ସହ ହୋଇଥିଲା । ବନ୍ଧୁତାରୁ ପ୍ରେମ ଆଉ ପରେ ଦୁହେଁ ସେକ୍ଟର ୬୯ର ଏକ ପିଜିରେ ଲିଭ୍-ଇନ୍ରେ ରହିବାକୁ ସ୍ଥିର କରିଥିଲେ । କିନ୍ତୁ, କିଛି ଦିନ ପରେ ବିବାହକୁ ନେଇ ଯୁକ୍ତିତର୍କ ଏବଂ ଶିବମ୍ର ସନ୍ଦେହୀ ମନୋଭାବ ଯୋଗୁଁ ଯୁବତୀଙ୍କ ପାଇଁ ଏହି ସମ୍ପର୍କ ଏକ ଅଭିଶାପ ପାଲଟି ଯାଇଥିଲା ।
ଏହା ବି ପଢ଼ନ୍ତୁ... ବାହାହେବାକୁ କହି ଡାକିଲେ, ସୁନା ଗହଣା ଲୁଟିନେଲେ
ତିନି ଦିନର ନର୍କ ଯନ୍ତ୍ରଣା: ଛୁରାମାଡ଼ ସହ ନଗ୍ନ ଭିଡିଓ
ଅଭିଯୁକ୍ତ ଶିବମ୍ ଫେବୃଆରୀ ୧୬ରୁ ଯୁବତୀଙ୍କୁ ବନ୍ଦୀ କରି ଅକଥନୀୟ ନିର୍ଯ୍ୟାତନା ଦେବା ଆରମ୍ଭ କରିଥିଲା । ପୁଲିସ ନିକଟରେ ପୀଡ଼ିତା ଦେଇଥିବା ବୟାନ ଅନୁଯାୟୀ ଷ୍ଟିଲ୍ ବୋତଲରେ ମୁଣ୍ଡକୁ ପିଟିବା ସହ କାନ୍ଥ ଓ ଘରେ ଥିବା ଫର୍ଣ୍ଣିଚରରେ ମୁଣ୍ଡ ବାଡ଼େଇ ତାଙ୍କୁ ରକ୍ତ ଜୁଡ଼ୁବୁଡ଼ୁ କରିଦେଇଥିଲା । ଗୁପ୍ତାଙ୍ଗରେ ସାନିଟାଇଜର ସ୍ପ୍ରେ କରି ନିଆଁ ଲଗାଇ ଦେଇଥିଲା ଏବଂ ହାତ, ଗୋଡ଼ରେ ବାରମ୍ବାର ଛୁରାମାଡ଼ କରିଥିଲା । ଯୁବତୀଙ୍କୁ ନଗ୍ନ କରି ଭିଡିଓ ପ୍ରସ୍ତୁତ କରିବା ସହ "ତୁ କେବେ ମା' ହୋଇପାରିବୁନି କି ଚାଲି ପାରିବୁନି" କହି ଧମକ ଦେଇଥିଲା ।
ଜୀବନ ବଞ୍ଚାଇଲା ମା’ ଙ୍କ ଫୋନ୍ କଲ୍:
ଗୁରୁବାର ରାତିରେ ଯେତେବେଳେ ଶିବମ୍ ଯୁବତୀଙ୍କୁ ମୁକ୍କା ଓ ଗୋଇଠା ମାରୁଥିଲା, ଠିକ୍ ସେତିକିବେଳେ ଯୁବତୀଙ୍କ ମା’ ଙ୍କ ଫୋନ୍ ଆସିଥିଲା । ଫୋନ୍ରେ ଝିଅର କାନ୍ଦ ଓ ଚିତ୍କାର ଶୁଣି ମା’ ତୁରନ୍ତ ପୁଲିସକୁ ଖବର ଦେଇଥିଲେ । ପୁଲିସ ଘଟଣାସ୍ଥଳରେ ପହଞ୍ଚି କବାଟ ଭାଙ୍ଗି ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ପୀଡ଼ିତାଙ୍କୁ ଉଦ୍ଧାର କରିଥିଲା ।
ଅଭିଯୁକ୍ତ ଗିରଫ, ଯୁବତୀଙ୍କ ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ:
ପୁଲିସ ଅଭିଯୁକ୍ତ ଶିବମ୍କୁ ଗିରଫ କରିଛି । ତାଙ୍କ ବିରୋଧରେ ବିଏନଏସ୍ (BNS) ର ବିଭିନ୍ନ ଗୁରୁତର ଧାରାରେ ମାମଲା ରୁଜୁ ହୋଇଛି । ଅନ୍ୟପଟେ ଯୁବତୀଙ୍କ ଅବସ୍ଥା ଅତ୍ୟନ୍ତ ଗୁରୁତର ଥିବାରୁ ତାଙ୍କୁ ଦିଲ୍ଲୀର ସଫଦରଜଙ୍ଗ ହସ୍ପିଟାଲରେ ଚିକିତ୍ସା କରାଯାଉଛି ।