ରାଉରକେଲା,୧୬/୦୨: ବନ୍ଧମୁଣ୍ଡା ଥାନା  ଅନ୍ତର୍ଗତ ‘ସି’ ସେକ୍ଟର ଅଞ୍ଚଳରେ ଜିମ୍‌ ପ୍ରଶିକ୍ଷକ ଶ୍ୟାମଲ ସରକାରଙ୍କ ଉପରେ ଶୁକ୍ରବାର ହୋଇଥିଲା  ଆକ୍ରମଣ । ତାଙ୍କୁ ଜୀବନରୁ ମାରି ଦେବା ଲାଗି  କେତେକ ଯୁବକ ଦୁଇ ରାଉଣ୍ଡ ଗୁଳି ଚଳାଇବା ସହ  ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ । ଫଳରେ  ଶ୍ୟାମଲଙ୍କ ହାତରେ ଗଭୀର ଆଘାତ ଲାଗିଛି । ତାଙ୍କୁ  ଚିକିତ୍ସା ଲାଗି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ପୁଲିସ୍‌  ଘଟଣା ସ୍ଥଳରେ ଗୋଟିଏ  ଖୋକା ଜବତ କରିଛି । ୭ ଜଣ ଯୁବକଙ୍କୁ ସନ୍ଦେହରେ  ଥାନାରେ ଅଟକ ରଖି ଚଳାଇଛି ପଚରାଉଚରା । 

ବନ୍ଧମୁଣ୍ଡା ‘ଡି’ ସେକ୍ଟରରେ ରହୁଥିବା ଶ୍ୟାମଲ  ‘ସି’ ସେକ୍ଟର ଠାରେ ଥିବା ଜିମ୍‌ରେ ପିଲାଙ୍କୁ  ପ୍ରଶିକ୍ଷଣ ଦେଇ ରାତି ପ୍ରାୟ ୭ଟା ସମୟରେ ଘରକୁ  ଫେରୁଥିଲେ । ଏହି ସମୟରେ ୧୦ରୁ ଊଦ୍ଧ୍ୱର୍ ଯୁବକ  ହଠାତ ସେଠାରେ ପହଞ୍ଚି ଶ୍ୟାମଲଙ୍କ ଉପରକୁ  ଦୁଇ ରାଉଣ୍ଡ ଗୁଳି ଚଳାଇଥିଲେ । ହେଲେ ଗୁଳିଟି  ଲକ୍ଷ୍ୟଚ୍ୟୁତ ହୋଇଥିଲା । ଏହା ପରେ ସମ୍ପୃକ୍ତ  ଯୁବକମାନେ ଧାରୁଆ ଅସ୍ତ୍ରରେ ତାଙ୍କୁ ଆକ୍ରମଣ କରି ସେଠାରୁ ଚମ୍ପଟ ମାରିଥିଲେ । 

ଶନିବାର ପୁଲିସ୍‌ର  ଏକ ଟିମ୍‌ ଘଟଣା ସ୍ଥଳକୁ ଯାଇ ଛାନ୍‌ଭିନ କରିବା  ସହ ଏକ ଖୋକା ପାଇଥିଲା । ପୁଲିସ୍‌ ସନ୍ଦେହରେ ୭  ଜଣ ଯୁବକଙ୍କୁ ଥାନାରେ ଅଟକ ରଖି ପଚରାଉଚରା  ଚଳାଇଥିବା ବେଳେ କଣ ପାଇଁ ଶ୍ୟାମଲଙ୍କୁ  ଆକ୍ରମଣ କରାଗଲା, ଆକ୍ରମଣକାରୀମାନେ  କିଏ ଓ ସେମାନେ ବନ୍ଧୁକ କେଉଁଠୁ ଆଣିଥିଲେ  ତାର ଟିକିନିକି ତଦନ୍ତ ଚଳାଇଛି ପୁଲିସ୍‌ ।