କାଣ୍ଟା ଲଗା ଗାର୍ଲ ଶେଫାଳୀ ଜରିୱାଲା ମାତ୍ର ୪୨ ବର୍ଷ ବୟସରେ ହୃଦଘାତରେ ପ୍ରାଣ ହରାଇଛନ୍ତି । ସେ କୌଣସି ପ୍ରକାରର ରୋଗରେ ପୀଡିତ ମଧ୍ୟ ନଥିଲେ । ଯାହା ଏବେ ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ ? ଏତେ କମ୍ ବୟସ୍କ ଏବଂ ସୁସ୍ଥ ଜଣାପଡୁଥିବା ମହିଳା ହଠାତ୍ ହୃଦଘାତର ଶିକାର ହେଲେ କିପରି ! ତେବେ ପୂର୍ବ ଅପେକ୍ଷା ବହୁ କମ୍ ବୟସ୍କ ଯୁବତୀ ହୃଦଘାତର ଶିକାର ହେଉଛନ୍ତି । ମାତ୍ର ଏ ସମ୍ପର୍କିତ ଲକ୍ଷଣ ଓ ବିପଦ ସମ୍ପର୍କରେ ବହୁତ କମ୍ ମହିଳା ସଜାଗ ରୁହନ୍ତି ।
ହୃଦଘାତକୁ ନେଇ ସବୁଠାରୁ ବଡ଼ ଭୁଲ ଧାରଣା ରହିଆସିଛି ଯେ ଏହା କେବଳ ଖରାପ ଜୀବନଶୈଳୀ ଯୁକ୍ତ ଏବଂ ଧୂମପାନ କରୁଥିବା ବୟସ୍କ ବ୍ୟକ୍ତିକୁ ଆସିଥାଏ । ମାତ୍ର ନିକଟରେ କରାଯାଇଥିବା ଏକ ଡାକ୍ତରୀ ଅନୁସନ୍ଧାନ ଏହି ଧାରଣାକୁ ଭୁଲ ପ୍ରମାଣିତ କରିଛି । ହୃଦଘାତ ଜନିତ ରୋଗ ବର୍ତ୍ତମାନ ଅନ୍ୟ ବୟସ୍କ ବ୍ୟକ୍ତିଙ୍କ ତୁଳନାରେ କମ ବୟସ୍କ ମହିଳାଙ୍କ ନିକଟରେ ବେଶି ଦେଖାଯାଉଛି । ସାଧାରଣତଃ ମହିଳାଙ୍କ ୩୦ ରୁ ୪୦ ବର୍ଷ ମଧ୍ୟରେ ଏହି ବିପଦ ଆହୁରି ବଢିଯାଉଛି ।
ଅତ୍ୟଧିକ ସ୍କ୍ରିନ ଟାଇମ୍:
ଆପଣ କଣ ନିଜ ଡେସ୍କରେ ଘଣ୍ଟା ଘଣ୍ଟା ଧରି ବସି ରହୁଛନ୍ତି ଏବଂ ରାତି ଅନିଦ୍ରା ହୋଇ ଇନଷ୍ଟାଗ୍ରାମରେ ମଧ୍ୟ ରିଲ୍ସ ସ୍କ୍ରଲ୍ କରିଚାଲିଛନ୍ତି । ଏହା ତ ଆପଣଙ୍କର ନିତି ଦିନିଆ ଅଭ୍ୟାସ । ପୁନେର ଏକ ସୁପର ସ୍ପେସାଲିଟି ହସ୍ପିଟାଲର କାର୍ଡିଓଲୋଜି ବିଭାଗର ଡାକ୍ତର ଅଭିଜିତ ପାଲସିକର କହିଛନ୍ତି ଅଧିକ ସମୟ ଧରି ସ୍କ୍ରିନର ବ୍ୟବହାର କରିଲେ, ଏହା ନୀରବତାର ସହ ଆପଣଙ୍କ ହୃଦୟ ଉପରେ ଗଭୀର ପ୍ରଭାବ ପକାଇଥାଏ ।ଏହାଦ୍ୱାରା ଶାରୀରିକ ଗତିବିଧି କମ ହୋଇଯାଏ, ଯାହା ଆପଣଙ୍କ ହୃଦୟକୁ ଦୁର୍ବଳ କରିଥାଏ ।ସ୍କ୍ରିନରୁ ନିର୍ଗତ ବ୍ଲୁ ଲାଇଟ୍ ଆପଣଙ୍କ ନିଦକୁ ନକାରାତ୍ମକ ଭାବେ ପ୍ରଭାବିତ କରିବା ସହିତ ଏହା ହୃଦୟ ଉପରେ ଗଭୀର ପ୍ରଭାବ ପକାଇଥାଏ ।
ଗାଇନାକୋଲୋଜି ସମ୍ପର୍କିତ ଅସୁବିଧା:
ଆମେ ସାଧାରଣତଃ ଋତୁଚକ୍ର ଜନିତ ସମସ୍ୟା ଏବଂ ପ୍ରଜନନ ସ୍ୱାସ୍ଥ୍ୟ କ୍ଷେତ୍ରରେ ଅନିୟମିତତା ପ୍ରତି ସେତେଟା ଯତ୍ନଶୀଳ ହୋଇନଥାଉ ।ଅଧ୍ୟୟନରୁ ଜଣାପଡେ PCOS, ଏଣ୍ଡୋମେଟ୍ରୋସିସ୍ ଏବଂ ଶାଘ୍ର ମେନୋପଜ୍ ଭଳି ସମସ୍ୟା ହୃଦଘାତ ଏବଂ ଷ୍ଟ୍ରୋକର କାରଣ ହୋଇଥାଏ।ସେହିପରି ଶରୀରର ହର୍ମୋନ ଅସନ୍ତୁଳିତ ହେଲେ ଏହା ଶରୀରରେ ଜ୍ୱଳନ,ଇନସୁଲିନ ପ୍ରତିରୋଧତା ଏବଂ ଉଚ୍ଚ ରକ୍ତଚାପ ଜନିତ ରୋଗ ଗୁଡିକ ଦେଖା ଦେଇଥାଏ । ଯାହା ପରିଶେଷରେ ହୃଦରୋଗକୁ ଡାକି ଆଣିଥାଏ ।
ବାୟୁ ପ୍ରଦୂଷଣ:
ଭାରତର ପ୍ରମୁଖ ସହର ଗୁଡିକ ବାୟୁ ପ୍ରଦୁଷଣ ସହିତ ଯୁଦ୍ଧ କରୁଛନ୍ତି । ବାୟୁରେ ଥିବା କାର୍ବନ ମନୋକ୍ସାଇଡ ଓ ଧୂଳି କଣିକା ଭଳି ପ୍ରଦୂଷକ ଆପଣଙ୍କ ଫୁସଫୁସ ଓ ହୃଦୟ ଆଦିକୁ ଗମ୍ଭୀର ଭାବେ କ୍ଷତି ପହଁଚାଇଥାଏ ।