ନୂଆଦିଲ୍ଲୀ,୨୪।୯: ଟାରିଫ ପରେ ଟ୍ରମ୍ପଙ୍କ ଭିସା ବାଣ ଭାରତୀୟଙ୍କୁ ପ୍ରଭାବିତ କରିଛି 'H-1B' ଭିସା ନିୟମରେ ପରିବର୍ତ୍ତନ ଯୋଗୁଁ ବିଶେଷ ଭାବରେ ଆଇଟି ଓ ଟେକ୍କର୍ମଚାରୀଙ୍କ ଚିନ୍ତା ବଢିଛି। ଏସବୁ ଭିତରେ ଭାରତୀୟ ବୃତ୍ତିଗତଙ୍କ ପାଇଁ ଖୁସି ଖବର।  ୟୁରୋପର ଅନ୍ୟତମ ଶକ୍ତିଶାଳୀ ଅର୍ଥନୀତି ଜର୍ମାନୀ ଦେଇଛି ଭାରତୀୟ ଟ୍ୟାଲେଣ୍ଟଙ୍କୁ ଅଫର। ସେଠାରେ ନିଯୁକ୍ତି ନେଇ କରିଛି ବଡ଼ ଘୋଷଣା। ଭାରତରେ ଥିବା ଜର୍ମାନ ରାଷ୍ଟ୍ରଦୂତ ଡକ୍ଟର ଫିଲିପ୍ ଆକରମ୍ୟାନ୍ ଦକ୍ଷ ଭାରତୀୟ ବୃତ୍ତିଗତଙ୍କୁ ଖୋଲା ନିମନ୍ତ୍ରଣ କରିଛନ୍ତି।

ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ ଏକ ଭିଡିଓ ପୋଷ୍ଟ କରି ସେ ଲେଖିଛନ୍ତି, ‘ସମସ୍ତ ଦକ୍ଷ ଭାରତୀୟଙ୍କୁ ମୋର ଅପିଲ।ଜର୍ମାନୀ ଏହାର ସ୍ଥିର ପ୍ରବାସ ନୀତି, IT, ମ୍ୟାନେଜମେଣ୍ଟ, ସାଇନ୍ସ  ଏବଂ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଭାରତୀୟମାନଙ୍କ ପାଇଁ ଉତ୍କୃଷ୍ଟ ନିଯୁକ୍ତି ସୁଯୋଗ ସହିତ ଏକ ଅନନ୍ୟ ସ୍ବତନ୍ତ୍ର ସ୍ଥାନ ରଖିଛି। ଜର୍ମାନୀ ପ୍ରସ୍ତୁତ ଅଛି, ଆପଣମାନେ ଆସନ୍ତୁ। ଜର୍ମାନୀରେ କାମ କରୁଥିବା ଭାରତୀୟ ସାଧାରଣତଃ ଜର୍ମାନୀ ନାଗରିକଙ୍କଠାରୁ ଅଧିକ ଟଙ୍କା ଆୟ କରନ୍ତି। ଏଠାର ସ୍ଥିର ନୀତି ଓ ଭଲ ସୁଯୋଗ ଆପଣଙ୍କ ଅପେକ୍ଷାରେ ରହିଛି। ଏହା ସହ ଆକରମାନ ଏକ୍ସରେ ଏକ ଭିଡିଓ ବି ସେୟାର କରିଛନ୍ତି। ଯେଉଁଥିରେ ଏକ ଲିଙ୍କ୍ ରହିଛି, ସେଥିରେ ସ୍ଥାନାନ୍ତରଣ ଓ ଚାକିରି ସମ୍ପର୍କିତ ଜରୁରୀ ସୂଚନା ରହିଛି।

ରାଷ୍ଟ୍ରଦୂତ ଆକରମାନ ଜର୍ମାନୀର ପ୍ରବାସ ନୀତିକୁ ଜର୍ମାନ କାର ସହିତ ତୁଳନା କରିଛନ୍ତି। ସେ କହିଛନ୍ତି ଏହା - ଦ୍ରୁତ, ସ୍ଥିର ଏବଂ ନିର୍ଭରଯୋଗ୍ୟ। ଜର୍ମାନ ନୀତିଗୁଡ଼ିକ ହଠାତ୍ ପରିବର୍ତ୍ତନ ହୁଏ ନାହିଁ। ଆମେ ନିଜ କଥାରୁ ଓହରି ନଥାଉ। ଆମର ନୀତି ଗୋଟିଏ ସରଳ ରେଖାରେ ଗତି କରେ। ଆମକୁ ହଠାତ୍ ବ୍ରେକ୍ ଲଗାଇବାର ଡର ନଥାଏ। ଏହି ସ୍ଥିରତା ଆପଣଙ୍କୁ ଏଠାରେ ଏକ ସୁରକ୍ଷିତ ଏବଂ ସମ୍ମାନଜନକ କ୍ୟାରିଅରର ଆତ୍ମବିଶ୍ୱାସ ପ୍ରଦାନ କରିବ। ତାଙ୍କର ଏହି ବିବୃତ୍ତି ସ୍ପଷ୍ଟ ଭାବରେ ଭାରତୀୟ ବୃତ୍ତିଗତଙ୍କ ପାଇଁ ଦୀର୍ଘକାଳୀନ, ସ୍ଥାୟୀ ଏବଂ ସୁରକ୍ଷିତ କ୍ୟାରିଅର ପାଇଁ ଏକ ପ୍ଲାଟଫର୍ମ ହେବାର ଇଚ୍ଛାକୁ ଦର୍ଶାଏ। ଏହା ପୂର୍ବରୁ ଏଚ-୧ବି ଭିସା ଟେନ୍ସନ ଭିତରେ ଆମେରିକାକୁ ଟକ୍କର ଦେଇ ଚୀନ ଆରମ୍ଭ କରିଛି କେ-ଭିସା। ଚୀନ ବିଶେଷ କରି K-ଭିସାକୁ ଯୁବପିଢି ଏବଂ ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ଇଞ୍ଜିନିୟରିଂ ଗଣିତ କ୍ଷେତ୍ରରେ ଦକ୍ଷ ବୃତ୍ତିଗତଙ୍କ ପାଇଁ ଲାଗୁ କରିବ ଅକ୍ଟୋବର ପହିଲାରୁ ଏହା ଜାରି ହେବ। ଚୀନ କମ୍ପାନୀରୁ ଚାକିରି ପ୍ରସ୍ତାବ ନଥିଲେ ମଧ୍ୟ ସେମାନେ ଏହି ଭିସା ଆବେଦନ କରିପାରିବେ ଚୀନ କେ-ଭିସାକୁ ଏଚ-୧ବିର ବିକଳ୍ପ ଭାବରେ ବିଚାର କରାଯାଉଛି।