ଚକାପାଦ/ଟିକାବାଲି,୯/୧ : ଚକାପାଦ ବ୍ଲକ୍ ଅନ୍ତର୍ଗତ ଲାଇନପଡ଼ା- ପସରା ଘାଟି ରାସ୍ତାର ଲାଇନ୍ ପଡ଼ାଠାରୁ ପାଞ୍ଚ କିମି ଦୂର ସୁଉଚ୍ଚ ଚୂନ ଘାଟି ରାସ୍ତା ପାର୍ଶ୍ବରେ ଜନୈକ ଯୁବକକୁ ହତ୍ୟା କରି ପୋଡ଼ି ଦିଆଯାଇଥିବା ଅଭିଯୋଗରେ ଟିକାବାଲି ପୁଲିସ୍ ତିନି ଅଭିଯୁକ୍ତଙ୍କୁ ଗିରଫ କରିଛି । ଅଭିଯୁକ୍ତମାନେ ହେଲେ ଖଲିବେରେଣା ଗ୍ରାମର ଦୁଇ ଭାଇ ପ୍ରକାଶ ହଂସ (୨୩) ଓ ମୁକେଶ ହଂସ (୨୭) ଏବଂ ଜିତେନ୍ଦ୍ର ଗୁରୁ(୨୫)।

ସୂଚନା ଅନୁସାରେ, ଖଜୁରୀପଡ଼ା ଥାନା ଅନ୍ତର୍ଗତ ଖଲିବେରେଣା ଗ୍ରାମର ଦାଶରଥି ବଗର୍ତ୍ତୀଙ୍କ ପୁଅ ଦୁର୍ଯ୍ୟୋଧନ ବଗର୍ତ୍ତୀ(୩୫) ରବିବାର ସନ୍ଧ୍ୟାବେଳେ ନିଜ ଘରୁ ନୂଆଗାଁକୁ ଚିକେନ୍ ଆଣିବାକୁ ଯାଇ ଫେରି ନ ଥିଲେ। ଏ ନେଇ ଖଜୁରୀପଡ଼ା ଥାନାରେ ମଙ୍ଗଳବାର ନିଖୋଜ ମାମଲା ରୁଜୁ ହୋଇଥିଲା। ପରିବାର ଲୋକେ ବହୁ ଖୋଜାଖୋଜି ପରେ ବୁଧବାର ଉକ୍ତ ଘାଟି ରାସ୍ତା ପାର୍ଶ୍ବରେ ଦୁର୍ଯ୍ୟୋଧନଙ୍କ ଅର୍ଦ୍ଧଦଗ୍ଧ ଶବକୁ ଦେଖିଥିଲେ। ଏହାପରେ ବାପା ଦାଶରଥି ବଗର୍ତ୍ତୀ ଟିକାବାଲି ଥାନାରେ ଏତଲା ଦେଇଥିଲେ। ଏ ସମ୍ପର୍କରେ ଜି ଉଦୟଗିରି ଉପଖଣ୍ଡ ଆରକ୍ଷୀ ଅଧୀକ୍ଷକ ବିଜୟ ବିଶି ଏକ ସାମ୍ବାଦିକ ସମ୍ମିଳନୀରେ ଘଟଣାର ସବିଶେଷ ତଥ୍ୟ ରଖିଛନ୍ତି।

ଘଟଣାର ମୁଖ୍ୟ ଅଭିଯୁକ୍ତ ପ୍ରକାଶ ହଂସଙ୍କ ଭାଇ ମାନସ ହଂସଙ୍କ ସାତ ମାସ ପୂର୍ବରୁ ମୃତ୍ୟୁ ହୋଇଛି। ମାନସଙ୍କୁ ଦୁର୍ଯୋଧନ ଗୁଣି ଗାରେଡ଼ି କରି ମାରିଥିବା ପରିବାର ଲୋକଙ୍କ ମନରେ ସନ୍ଦେହ ହେବା ପରେ ଏନେଇ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଥିଲା । ପ୍ରତିହିଂସା ପରାୟଣ ହୋଇ ଗତ ରବିବାର ସନ୍ଧ୍ୟାରେ ଗାଁଠାରୁ ୩କିମି ଦୂର ଆର୍.ନୂଆଗାଁକୁ ଚିକେନ ମାଂସ ଆଣିବାକୁ ଯାଇଥିବା ଦୁର୍ଯ୍ୟୋଧନର ଫେରନ୍ତା ସମୟକୁ ଚାହିଁ ବସିଥିଲେ ଅଭିଯୁକ୍ତମାନେ । ରାତ୍ର ପ୍ରାୟ ପ୍ରାୟ ୯ଟାବେଳେ ମାଂସ ନେଇ ଫେରୁଥିବା ଦୁର୍ଯ୍ୟୋଧନକୁ ଘରଠାରୁ ୫୦୦ମିଟର ଦୂରରେ ଅଭିଯୁକ୍ତ ପ୍ରକାଶ ଏକ କାଠ ଫାଳିଆରେ ମୁଣ୍ଡକୁ ଆକ୍ରମଣ କରିଥିଲା । ସଙ୍ଗେସଙ୍ଗେ ତଳେ ପଡ଼ି ଛଟପଟ ହେଉଥିବା ଦୁର୍ଯ୍ୟୋଧନକୁ ସହଯୋଗୀ ଅଭିଯୁକ୍ତ ଜିତେନ୍ଦ୍ର(୨୫) ସହ ମିଶି ନିକଟରେ ଥିବା ଏକ ବୁଦାମୂଳକୁ ଟାଣି ନେଇଥିଲା । ସେଠାରେ ମୃତକ ଜଣକ କାଳେ ବଞ୍ଚିଯିବ ଭାବି ପଥରରେ ମୁଣ୍ଡକୁ ଛେଚି ଦେଇଥିଲେ। ପରେପରେ ଅଭିଯୁକ୍ତ ପ୍ରକାଶ ତାର ବଡ଼ ଭାଇ ମୁକେଶକୁ ଫୋନ୍ କରି ଡାକିଥିଲା। ପ୍ରମାଣ ନଷ୍ଟ କରିବା ପାଇଁ ସେମାନେ ଖଲିବେରେଣାରୁ ମୋଟର ସାଇକେଲରେ ଶବଟିକୁ ରଖି ଲାଇନପଡ଼ା - ପସରା ଘାଟି ରାସ୍ତାକୁ ଆସିଥିଲେ। ଶବଟିକୁ ରାସ୍ତାକଡ଼ରେ ଥିବା ବୁଦା ମୂଳେ ରଖି ଗାଡ଼ିରୁ ପେଟ୍ରୋଲ ବାହାର କରି ପୋଡ଼ି ଦେଇ ଚାଲିଯାଇଥିଲେ। ଏ ସମ୍ପର୍କରେ ଟିକାବାଲି ଥାନାରେ କେଶ ନଂ ୫/୨୬ରେ ହତ୍ୟା ମାମଲା ରୁଜୁ ହୋଇଛି । ହତ୍ୟାକାଣ୍ଡରେ ବ୍ୟବହୃତ କାଠ, ପଥର ଓ ମୋଟର ସାଇକେଲ ଜବତ ହୋଇଛି । ଅଭିଯୁକ୍ତମାନଙ୍କୁ ଡାକ୍ତରୀ ପରୀକ୍ଷା ପରେ ଜି ଉଦୟଗିରି କୋର୍ଟ ଚାଲାଣ କରାଯିବ ବୋଲି ଟିକାବାଲି ଥାନା ଅଧିକାରୀ ପ୍ରଜ୍ଞା ରୀତାମ୍ଭରା କର ସୂଚନା ଦେଇଛନ୍ତି।